ଜନଜାତି ସଂଗ୍ରହାଳୟ: ଭର୍ଚୁଆଲ୍‌ ଟୁର୍‌ରେ ପର୍ଯ୍ୟଟକ ଦେଖିଲେ କୋୟା ଜନଜାତିଙ୍କ ନୃତ୍ୟ ଓ ସଂଗୀତ

ଭୁବନେଶ୍ୱର: ରାଜ୍ୟ ଜନଜାତି ସଂଗ୍ରହାଳୟରେ ପର୍ଯ୍ୟଟକମାନେ ଆଜିର ଭର୍ଚୁଆଲ୍‌ ଟୁର୍‌ରେ କୋୟା ଜନଜାତିଙ୍କ ନୃତ୍ୟ ଓ ସଙ୍ଗୀତ ଦେଖିବାକୁ ପାଇଛନ୍ତି। ପର୍ଯ୍ୟଟକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି କୋୟା ଜନଜାତିଙ୍କର ନୃତ୍ୟ ଓ ସଂଗୀତ ଦେଖିପାରିଛନ୍ତି। ଏହା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଆଣି ଦେଇଥିବା ଜଣାଯାଇଛି।

ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କହିଛନ୍ତି ଯେ ରାଜ୍ୟ ଜନଜାତି ସଂଗ୍ରହାଳୟରେ ପ୍ରତି ରବିବାର ପର୍ଯ୍ୟଟକମାନେ ଭର୍ଚୁଆଲ୍‌ ଟୁର୍‌ ମାଧ୍ୟମରେ ବିଭିନ୍ନ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଓ ନୃତ୍ୟସଙ୍ଗୀତ ଆଦି ଦେଖିପାରୁଛନ୍ତି, ଯାହା ସେମାନଙ୍କ ମନୋରଞ୍ଜନ ଯୋଗାଇବାରେ ସହାୟକ ହେଉଛି। ଏହି ପରିପେକ୍ଷୀରେ ଆଜି ରାଜ୍ୟ ଜନଜାତି ସଂଗ୍ରହାଳୟରେ କୋୟା ଜନଜାତିଙ୍କ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପର୍ଯ୍ୟଟକମାନେ ଦେଖିପାରିଥିଲେ।
କୋୟାମାନେ ମାଲକାନଗିରି ଜିଲ୍ଲାର ମୁଖ୍ୟ ଜନଜାତି ଅଟନ୍ତି। ସେମାନଙ୍କର ପ୍ରଧାନ ପେଶା ହେଉଛି, ଶିକାର, ଖାଦ୍ୟସଂଗ୍ରହ, ପୋଡ଼ୁଚାଷ, ଜଙ୍ଗଲ ସଂରକ୍ଷଣ, ପଶୁପାଳନ, କୃଷି, ବାସ୍କେଟ ପ୍ରସ୍ତୁତି ଇତ୍ୟାଦି। ସେମାନଙ୍କର ମୁଖ୍ୟ ଦେବତା ହେଉଛନ୍ତି ଘର ଦେବତା ‘ବିଲାଗୁଡ଼ି’ ଓ ଗ୍ରାମ ଦେବୀ ‘ଗୁଡ଼ିନାଟା’। ସେମାନେ ମାଟି ମା’କୁ ମଧ୍ୟ ପୂଜା କରିଥା’ନ୍ତି। କୋୟା ଜନଜାତିଙ୍କର ପର୍ବପର୍ବାଣିର ମୁଖ୍ୟ ଅଂଶ ହେଉଛି ନୃତ୍ୟ ଓ ସଂଗୀତ। ଏହା ଦ୍ୱାରା ସେମାନେ ସେମାନଙ୍କର ଉଚ୍ଚକୋଟୀର ପରମ୍ପରାକୁ ଉଜ୍ଜୀବିତ କରି ରଖିପାରିଛନ୍ତି। କୋୟା ନୃତ୍ୟର ମୌଳିକତା, ସ୍ୱତଃସ୍ପୁର୍ତ୍ତ ଗତିଶୀଳତାର ବିଶେଷତ୍ୱ ରହିଛି। ମନଖୁସି ଥିବାବେଳେ ସେମାନେ ନିଜେ ସଂଗୀତ ପ୍ରସ୍ତୁତ କରି ଗାୟନ କରିଥାନ୍ତି।

କୋୟା ଜନଜାତି ପର୍ବ ପାଳନ କରିବା ସମୟରେ ନୃତ୍ୟ ଓ ସଂଗୀତ ମୁଖ୍ୟ ଅଂଶ ଅଟେ। ‘ବିଜାପଡ଼ୁ’ଙ୍କର ପବିତ୍ର ବିହନ ପର୍ବବେଳେ, ଗ୍ରାମଦେବତୀ ‘ଗୁଡ଼ିମାତା’ଙ୍କ ଉଦ୍ଦେଶ୍ୟରେ ନୃତ୍ୟ ସଂଗୀତ ସହିତ ପ୍ରଚୁର ଶସ୍ୟ ଉତ୍ପାଦନ ନିମନ୍ତେ ଅନୁରୋଧ କରିଥା’ନ୍ତି। ଏହି ସମୟରେ କୋୟା ମହିଳାମାନେ ନୃତ୍ୟ, ସଂଗୀତ ଓ ଢୋଲ ସହିତ ପୁରୁଷମାନେ ଶିକାର କରି ଫେରିବାବେଳେ ସେମାନଙ୍କୁ ସ୍ୱାଗତ କରିଥାନ୍ତି। ଅନ୍ୟାନ୍ୟ ପର୍ବ ଓ ଉତ୍ସବ ସମୟରେ ଉଭୟ ପୁରୁଷ ଓ ମହିଳାମାନେ ଏକତ୍ର ନୃତ୍ୟ ପରିବେଷଣ କରିଥାନ୍ତି।
ଏହି ସମୟରେ ମହିଳାମାନେ ମୁଣ୍ଡରେ ପିତ୍ତଳ ମୁଣ୍ଡବନ୍ଧା, ବାଡ଼ି ଓ ଘଣ୍ଟି(ଗୁଜୁରି)କୁ ହାତରେ ଧରି ନୃତ୍ୟ କରିବା ସମୟରେ ମାଟିରେ ପିଟି ସଂଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ପରିବେଷଣ କରିଥାନ୍ତି। ପୁରୁଷମାନେ ସ୍ପେସାଲ୍‌ ଗୟଳ ଶିଙ୍ଘ ଓ କାଉରି ପିନ୍ଧି ଚିତ୍ତାକର୍ଷକ ନୃତ୍ୟ କରିଥାନ୍ତି।

କୋୟା ହେଉଛି କେତେକ ଜନଜାତି ଗୋଷ୍ଠୀ ଭଳି ଗୋଟିଏ ଯେଉଁମାନେ କାଉରିକୁ ଅଳଙ୍କାର ଭାବେ ବ୍ୟବହାର କରିଥାନ୍ତି। ପୁରୁଷମାନେ ନୃତ୍ୟ କରିବା ସମୟରେ ଏକ ବ ଡ଼ ଢୋଲ କୁ କାନ୍ଧ ରେ ଝୁଲ ।ଇ ଏକାଠି ନୃତ୍ୟ କରିଥାନ୍ତି। କୋୟାମାନଙ୍କର ଗୟଳ ଶିଙ୍ଘ ପରିପାଟୀ ବସ୍ତରର ‘ମାରିଆମ୍‌’ମାନଙ୍କ ସହିତ ସମାନତା ରହିଛି। ନୃତ୍ୟ ଓ ସଂଗୀତ ମାଧ୍ୟମରେ କୋୟା ଜନଜାତି ପ୍ରକୃତି ସହିତ ସମ୍ପର୍କ ରଖିବା ସହିତ ପରିବେଶକୁ ସମ୍ମାନ ଦେଇଥାନ୍ତି ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କହିଛନ୍ତି।

 

Comments are closed.