ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ୍‌ ଟୁର୍‌: ଏଥର ପର୍ଯ୍ୟଟକ ଦେଖିପାରିବେ ‘ଭୂମିଜ୍‌’ ଜନଜାତିଙ୍କ ଜୀବନଶୈଳୀ ଓ ପରମ୍ପରା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସିଆର୍‌ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ମୋଡ୍‌ରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଜାନୁଆରୀ ୩(ରବିବାର) ତାରିଖ ଦିନ ଦର୍ଶକମାନେ ଫେସବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ‘ଭୂମିଜ୍‌’ ଜନଜାତିଙ୍କ ଜୀବନଶୈଳୀ ସହିତ ସେମାନଙ୍କ ସଂସ୍କୃତି ଓ ପରମ୍ପରା ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ‘ଭୂମିଜ୍‌’ ଜନଜାତିର ଲୋକମାନେ ମୁଖ୍ୟତଃ ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲାରେ ବସବାସ କରିଥାନ୍ତି। କୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶ୍ରମ କରିବା ସେମାନଙ୍କର ମୁଖ୍ୟ ପେଶା ଅଟେ। ଅନ୍ୟାନ୍ୟ ଜନଜାତି ଗୋଷ୍ଠୀଙ୍କ ସହିତ ଏକତ୍ର ବସବାସ କରିଥାନ୍ତି । ‘ଭୂମିଜ୍‌’ ଜନଜାତି ବେଶପୋଷାକ କ୍ଷେତ୍ରରେ ହିନ୍ଦୁ ଓ ଅନ୍ୟାନ୍ୟ ଜନଜାତିଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ‘ଭୂମିଜ୍‌’ ଜନଜାତି ପୁରୁଷମାନେ ଧୋତି ଓ ଗାମୁଛା ସହିତ ସାର୍ଟ ପରିଧାନ କରିଥାନ୍ତି।
ସେହିପରି ମହିଳାମାନେ ଶାଢ଼ି ଓ ବ୍ଲାଉଜ୍‌ (ଜ୍ୟାକେଟ୍‌) ପରିଧାନ କରିଥାନ୍ତି। ପାରମ୍ପରିକ ଭାବେ ସେଗୁଡ଼ିକ ସୂତା ବସ୍ତ୍ର ଓ ନାଲି କମ୍ବା ନୀଳ ଧଡ଼ି ଥାଇ ପ୍ରସ୍ତୁତ କରାଯାଇଥାଏ। ମହିଳାମାନେ ନାକଚଣା, ମାଳିରେ ତିଆରି ହାର, ଆର୍ମଲେଟ୍‌, ଚୂଡ଼ି ଆଦି ସ୍ଥାନୀୟ ବଜାରରୁ କିଣି ପିନ୍ଧିଥାନ୍ତି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଗହଣା ବ୍ୟୟବହୁଳ। ଅଧିକାଂଶ ଧାତୁ ମଧ୍ୟରୁ ରୂପା ତିଆରି ଗହଣା ମଧ୍ୟ ‘ଭୂମିଜ୍‌’ ଜନଜାତିର ମହିଳାମାନେ ପରିଧାନ କରିଥାନ୍ତି।


‘ଭୂମିଜ୍‌’ ଜନଜାତି ଗୋଷ୍ଠୀ ଏକ ସ୍ୱତନ୍ତ୍ର ସାମାଜିକ-ଧାର୍ମିକ ବିଶ୍ୱାସକୁ ଅନୁସରଣ କରିଥାନ୍ତି। ବିଭିନ୍ନ ପ୍ରାକୃତିକ ବସ୍ତୁ ଯେପରିକି ଘୋଡ଼ା, ପଦ୍ମ, ସର୍ପ, ପୃଥିବୀ ଆଦିଙ୍କୁ ନେଇ ଏହି ‘ଭୂମିଜ’ ଜନଜାତି ୧୫ଟି ଗୋଷ୍ଠୀରେ ବିଭକ୍ତ ହୋଇଥା’ନ୍ତି। ‘ସିଙ୍ଗ୍‌ବଙ୍ଗା’ ସେମାନଙ୍କର ମୁଖ୍ୟ ଦେବତା। ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ‘ପ୍ରତୀକ’ ଅନୁଯାୟୀ ବିଭିନ୍ନ ପ୍ରଥାକୁ ମାନିଥାନ୍ତି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Comments
Loading...