ଜନଜାତି ସଂଗ୍ରହାଳୟ: ଏଥର ଭର୍ଚୁଆଲ୍‌ ଟୁର୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର କୁଟିଆ କନ୍ଧଙ୍କ ପାରମ୍ପରିକ କଳା ଓ କଳାସାମଗ୍ରୀ

ଡଙ୍ଗରିଆ କନ୍ଧମାନଙ୍କର ଏମ୍ବ୍ରଡରି ବିଶ୍ୱବିଦିତ

ଭୁବନେଶ୍ୱର: ରାଜଧାନୀରେ ରହିଛି ଜନଜାତି ସଂଗ୍ରହାଳୟ। ପର୍ଯ୍ୟଟକଙ୍କୁ ନିଆରା ଅନୁଭୁତି ଆଣିଦେବା ପାଇଁ ଏଠାରେ ଭର୍ଚୁଆଲ୍‌ ଟୁର୍‌ ବ୍ୟବସ୍ଥା କରାଯାଇଛି। ପ୍ରତି ରବିବାରରେ ପର୍ଯ୍ୟଟକମାନେ ଭର୍ଚୁଆଲ୍‌ ଟୁର୍‌ରେ ଆଦିବାସୀଙ୍କ ଜୀବନଶୈଳୀ, ସେମାନଙ୍କ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅନେକ ତଥ୍ୟ ହାସଲ କରୁଛନ୍ତି, ଯାହା ସେମାନଙ୍କ ପାଇଁ ନିଆରା ଅନୁଭୁତି ଆଣି ଦେଉଛି। ଏହି ପରିପ୍ରେକ୍ଷୀରେ ଏଥର ଭର୍ଚୁଆଲ୍‌ ଟୁର୍‌ରେ ‘ଓଡ଼ିଶାର କୁଟିଆ କନ୍ଧଙ୍କ ପାରମ୍ପରିକ କଳା ଓ କଳା ସାମଗ୍ରୀ’ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି(ରବିବାର) ପର୍ଯ୍ୟଟକମାନେ ଭର୍ଚୁଆଲ୍‌ ଟୁର୍‌ରେ ଓଡ଼ିଶାର କୁଟିଆ କନ୍ଧଙ୍କ ଜୀବନଶୈଳୀ, ସେମାନଙ୍କ ସଂସ୍କୃତି, ପାରମ୍ପରିକ କଳା ଓ କଳା ସାମଗ୍ରୀ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଜଣାପଡ଼ିଛି।


ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଅଗଷ୍ଟ ୧ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଘରେ ବସି ଟୁଇଟର ଓ ଫେସ୍‌ବୁକ୍‌ ପେଜ୍‌ @scstrti, @stscdev ଖୋଲି ଜନଜାତି ସଂଗ୍ରହାଳୟରେ ଥିବା ବିଭିନ୍ନ ଜନଜାତିଙ୍କ ଜୀବନଶୈଳୀ ସଂପର୍କରେ ଅବଗତ ହେଉଛନ୍ତି। ଆସନ୍ତାକାଲି(ରବିବାର) ଭର୍ଚୁଆଲ୍‌ ଟୁର୍‌ରେ ଓଡ଼ିଶାର କୁଟିଆକନ୍ଧଙ୍କ ଜୀବନଶୈଳୀ ସାଙ୍ଗକୁ ସେମାନଙ୍କ ପାରମ୍ପରିକ କଳା ଓ କଳାସାମଗ୍ରୀ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା କହିଛନ୍ତି ଯେ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୨୯ ତାରିଖ ଦିନ ଦର୍ଶକମାନେ କୁଟିଆ କନ୍ଧ ଜନଜାତିମାନଙ୍କର ପାରମ୍ପରିକ କଳା ଓ କଳାସାମଗ୍ରୀ ପ୍ରସ୍ତୁତି ଦେଖିପାରିବେ। ମୁଖ୍ୟତଃ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା କୁଟିଆ କନ୍ଧ ଜନଜାତିମାନେ ବାଉଁଶରୁ ବିଭିନ୍ନ ପ୍ରକାରର ସୌଖୀନ ଓ ସୁନ୍ଦର ପାନିଆ ତିଆରି କରିବାରେ ସିଦ୍ଧହସ୍ତ ଅଟନ୍ତି। କୁଟିଆ କନ୍ଧ ଜନଜାତି ମହିଳାମାନେ ସେମାନଙ୍କ କେଶକୁ ପାନିଆରେ ସଜାଇଥାନ୍ତି। ଏହି ପାନିଆଗୁଡ଼ିକୁ କେଶବିନ୍ୟାସ ସହିତ ଉପହାର ଦେବା ନିମନ୍ତେ ତିଆରି କରାଯାଇଥାଏ।
ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଏମ୍ବ୍ରଡରି ବିଶ୍ୱବିଦିତ। ଡଙ୍ଗରିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାମାନେ ଭିନ୍ନ ଧରଣର ଶାଲ୍‌ ବ୍ୟବହାର କରିଥାନ୍ତି। ଏହି ଶାଲ୍‌ଗୁଡ଼ିକ ନାଲି, ହଳଦିଆ ଓ ସବୁଜ ରଙ୍ଗର ପାରମ୍ପରିକ ବସ୍ତ୍ର ଉପରେ ସୂଚୀଶିଳ୍ପରେ ଅଳଙ୍କୃତ କରାଯାଇଥାଏ। ଏହି ଶାଲ୍‌କୁ କପଡାଗଣ୍ଡା କୁହାଯାଏ। ଡଙ୍ଗରିଆ ଜନଜାତି ମହିଳାମାନଙ୍କ ଦ୍ୱାରା ପ୍ରସ୍‌ୁତ ଶାଲ୍‌କୁ ଉପହାର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କନ୍ଧ ଜନଜାତିର ଲୋକମାନେ ସାଧାରଣତଃ କଳାପ୍ରିୟ। ତେଣୁ ସେମାନେ ବିଭିନ୍ନ ପ୍ରକାର କଳା ସାମଗ୍ରୀ ଓ ବସ୍ତ୍ର ବୁଣାବୁଣିରେ ବେଶ୍‌ ପାରଙ୍ଗମ ବୋଲି ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Comments are closed.