ଏଣିକି ମାସର ପ୍ରଥମ ଗୁରୁବାର ହେବ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅଗ୍ରଗତି ସମୀକ୍ଷା, ଗଞ୍ଜାମ ଜିଲ୍ଲା ଋଣ ପ୍ରଦାନରେ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ଏଣିକି ପ୍ରତ୍ୟେକ ମାସର ପ୍ରଥମ ଗୁରୁବାର ଦିନ ଭର୍ଚୁଆଲ୍‌ ମାଧ୍ୟମରେ ହେବ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅଗ୍ରଗତିର ସମୀକ୍ଷା । ଏହା ପ୍ରକାଶ କରିଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀଦିବ୍ୟଶଙ୍କର ମିଶ୍ର । ଆଜି ଲୋକସେବା ଭବନ କାର୍ଯ୍ୟାଳୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ, ଖଦୀ ଓ ଗ୍ରାମୋଦ୍ୟୋଗ କମିଶନର ରାଜ୍ୟ ଶାଖା, ଏମ୍‌ଏସ୍‌ଏମ୍‌ଇଡିଆଇ, ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ଶିଳ୍ପ ନିର୍ଦ୍ଦେଶାଳୟ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ ପ୍ରମୁଖ ଶାସନ ସଚିବସତ୍ୟବ୍ରତ ସାହୁ, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି. ପ୍ରମୁଖ ଏହି ଡିଜିଟାଲ୍‌ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ । କୋଭିଡ୍‌-୧୯ ପରିସ୍ଥିତିରେ ଜୀବିକା ଉପାର୍ଜନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଅବଗତ ହୋଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଜୀବିକାନିର୍ବାହ ପାଇଁ ସୁଯୋଗ ସୃଷ୍ଟି କରୁଥିବାରୁ ଏଥିରେ ସେମାନେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟରେ ଅଦ୍ୟାବଧି ୧.୬୦ ଲକ୍ଷ ଆକାଉଣ୍ଟକୁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୧ ଲକ୍ଷ ଆକାଉଣ୍ଟକୁ ୧୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଯୋଜନାରେ କୋଭିଡ୍‌ ମହାମାରୀ କବଳିତ ଗଞ୍ଜାମ ଜିଲ୍ଲାରେ ଶତପ୍ରତିଶତ ମଞ୍ଜୁରୀପ୍ରାପ୍ତ ଆକାଉଣ୍ଟକୁ ଋଣ ଆବଣ୍ଟନ ହୋଇଥିବାରୁ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା । ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ମୃର୍ତ୍ତିକା ଶିଳ୍ପ, ମହୁମାଛି ପାଳନ, ଜୋତା କାରିଗରୀ ଇତ୍ୟାଦି ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନାକ୍‌ଟିକାନୀ ଗ୍ରାମରେ ଚଳିତ ବର୍ଷ ଅଗଷ୍ଟ ୧୫ ସୁଦ୍ଧା ମହୁମାଛି ପାଳନ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖାଦ୍ୟପ୍ରକି୍ରୟାକରଣ ମନ୍ତ୍ରାଳୟର ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅଗ୍ରାଧିକାର ଦେବାପାଇଁ ମନ୍ତ୍ରୀ ଏହି ସମୀକ୍ଷାରେ ଗୁରୁତ୍ୱ ଆରୋପ କରିଥିଲେ ।

Comments are closed.