ରୋହିତ ଦକ୍ଷ ଅଧିନାୟକ, ତାଙ୍କ ପ୍ରତି ୧୦୦ % ସମର୍ଥନ ରହିଛି – କୋହଲି

ମୁମ୍ବଇ: ବିରାଟ କୋହଲିଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଏହାକୁ ରୋହିତ ଶର୍ମାଙ୍କୁ ଦିଆଯିବା ପରେ ଗଣମାଧ୍ୟମରେ ଏହି ଦୁଇ କ୍ରିକେଟରଙ୍କ ତିକ୍ତ ସମ୍ପର୍କ କଥା ଆଲୋଚନା ହୋଇଥିଲା। ଏମିତି ବି କୁହା ଯାଉଥିଲା ଯେ ରୋହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଦିନିକିଆ ଦଳର ଅଧିନାୟକ ହେବାର ଥିବାରୁ ବିରାଟ ଦିନିକିଆ ସିରିଜ୍‌ରୁ ଓହରି ଯାଇପାରନ୍ତି। କେବଳ ଏହା ନୁହେଁ; କୋହଲିଙ୍କୁ ନେଇ ଏକାଧିକ ମାମଲାରେ ଗଣମାଧ୍ୟମରେ ଆଲୋଚନା ହୋଇଥିଲା। ଏପରି ଆକଳନ ଏବଂ ବିବାଦୀୟ କାହାଣୀ ଆଗକୁ ଅଧିକ ହେବା ପୂର୍ବରୁ ବୁଧବାର ବିରାଟ କୋହଲି ଆଭାସୀ ଜରିଆରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ସ୍ବାଭାବିକ ଭାବେ ବିରାଟଙ୍କ ଚରିତ୍ର ପରି ବିସ୍ଫୋରକ ଥିଲା। ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବିଭିନ୍ନ ପ୍ରସଙ୍ଗରେ କୋହଲି ତାଙ୍କ ପକ୍ଷ ରଖିଥିଲେ।
ଦିନିିକିଆ ଅଧିନାୟକ ରୋହିତ ଶର୍ମାଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ପ୍ରସଙ୍ଗରେ ବିରାଟ କୋହଲି କହିଛନ୍ତି, ଏହି କଥା ବାରମ୍ବାର ଶୁଣିଛି ଏବଂ ସ୍ପଷ୍ଟୀକରଣ ଦେଇ କ୍ଳାନ୍ତ ହୋଇଗଲିଣି। ମୁଁ କହିବି ଯେ ରୋହିତ ଜଣେ ଦକ୍ଷ ଏବଂ ରଣକୌଶଳ ପ୍ରସ୍ତୁତିରେ ସକ୍ଷମ ଅଧିନାୟକ।

ସେ ଏକାଧିକ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି ଏବଂ ଆଇପିଏଲ୍‌ରେ ମଧ୍ୟ ତାଙ୍କ ଦକ୍ଷ ନେତୃତ୍ବର ପ୍ରମାଣ ପାଇସାରିଛି। ରାହୁଲ ଭାଇ (ଦ୍ରାବିଡ଼) ମଧ୍ୟ ଜଣେ ଭଲ ପ୍ରଶିକ୍ଷକ। ଦଳକୁ ପରିଚାଳନା କରିବାରେ ରାହୁଲଭାଇ ସିଦ୍ଧହସ୍ତ। ରୋହିତ ଓ ରାହୁଲଭାଇଙ୍କ ପ୍ରତି ମୋର ଶତ ପ୍ରତିଶତ ସମର୍ଥନ ରହିବ। ଦୁହେଁ ଦଳ ପାଇଁ ଯେପରି ଯୋଜନା କରିବେ; ମୁଁ ସେହି ଅନୁସାରେ ଖେଳିବି। ଏବେଠାରୁ ଦଳକୁ ଆଗକୁ ନେବା ମୋର ପ୍ରଥମ ଦାୟିତ୍ବ ରହିବ। ରୋହିତଙ୍କ ନେତୃତ୍ବରେ​‌ ମୋର କାମ ହେବ ଦଳକୁ ସଠିକ୍ ଦିଶାରେ ନେଇଯିବା। ଅଧିନାୟକ ହେବା ପୂର୍ବରୁ ମଧ୍ୟ ଏହା କରୁଥିଲି ଏବଂ ଆଗକୁ ମଧ୍ୟ ଏହା କରି ଚାଲିଥିବି। ତେଣୁ ମୋର ଏହି ମାନସିକତା ବଦଳିନାହିଁ କି ମୁଁ ବଦଳିବି ନାହିଁ। ମୁଁ କ୍ରିକେଟ୍‌ ଖେଳୁଥିବା ପର୍ଯ୍ୟନ୍ତ ମୋର କୌଣସି କାର୍ଯ୍ୟ କିମ୍ବା କଥା ଦଳର କ୍ଷତିକରିବ ନାହିଁ। ଭାରତୀୟ କ୍ରିକେଟ୍‌ ପ୍ରତି ଏହା ମୋର ପ୍ରତିବଦ୍ଧତା। ସମସ୍ତ ଫର୍ମାଟର ଅଧିନାୟକ ଭାବେ ସ୍ବଚ୍ଛତାର ସହ ଦାୟିତ୍ବ ସମ୍ଭାଳିଛି ଏବଂ ମୋ ଦକ୍ଷତା ଅନୁସାରେ ଦଳର ନେତୃତ୍ବ ନେଇଛି। ଦିନିକିଆ କ୍ରିକେଟ୍‌ରେ ମଧ୍ୟ ଏପରି କରିଛି।

Comments are closed.