ଆଇସିସି ପୁରସ୍କାର; ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଦୌଡ଼ରେ କୋହଲି, ଅଶ୍ବିନ

ଦୁବାଇ : ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବିଭିନ୍ନ ବିଭାଗରେ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୧୦ ବର୍ଷରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରଦର୍ଶନ ଭିତ୍ତିରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦଶନ୍ଧିର ଶ୍ରେଷ୍ଠ ପୁରୁଷ କ୍ରିକେଟର ଦୌଡ଼ରେ ୨ ଜଣ ଭାରତୀୟ ଅଛନ୍ତି। ସେ ଦୁହେଁ ହେଲେ ଅଧିନାୟକ ବିରାଟ କୋହଲି ଏବଂ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ।

ତାରକା ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଅଧିକ ଆଭ୍‌ରେଜ୍‌ରେ ରନ୍ ସ୍କୋର୍ କରିଛନ୍ତି। ସେ ୭୦ଟି ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି; ଯାହା ସଚିନ ତେନ୍ଦୁଲକର (୧୦୦) ଓ ରିକି ପଣ୍ଟିଂ (୭୧)ଙ୍କ ପରେ ୩ୟ ସର୍ବାଧିକ। ପୁଣି ପଣ୍ଟିଂ (୨୭,୪୮୩) ଓ ସଚିନ୍‌ (୩୪,୩୫୭)ଙ୍କ ପ​‌େ​‌ର କୋହଲି ବିଶ୍ବରେ ୩ୟ ସର୍ବାଧିକ (୨୧,୪୪୪) ଆନ୍ତର୍ଜାତିକ ରନ୍ ସ୍କୋର୍ କରିଛନ୍ତି। କୋହଲି ଟେଷ୍ଟ କ୍ରିକେଟ୍‌ରେ ୭ ହଜାରରୁ ଅଧିକ, ଦିନିକିଆରେ ୧୧ ହଜାରରୁ ଅଧିକ ଓ ଟ୍ବେଣ୍ଟି୨୦ରେ ୨୬୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି। କୋହଲି ଓ ଅଶ୍ବିନଙ୍କୁ ଛାଡ଼ି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଦୌଡ଼ରେ ଥିବା କ୍ରିକେଟର ହେଲେ ଜୋ ରୁଟ୍‌ (ଇଂଲଣ୍ଡ), କେନ୍ ୱିଲିୟମ୍‌ସନ (ନ୍ୟୁଜିଲାଣ୍ଡ), ଷ୍ଟିଭେନ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ଏବି ଡି’ଭିଲିଅର୍ସ (ଦକ୍ଷିଣ ଆଫ୍ରିକା) ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା)। ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଦୌଡ଼ରେ ୩ ଜଣ ଭାରତୀୟ ଅଛନ୍ତି। ବିରାଟ କୋହଲିଙ୍କୁ ଛାଡ଼ି ଅନ୍ୟ ଦୁହେଁ ହେଲେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା। ଲାସିଥ୍ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ)ଙ୍କ ସହ ଡି’ଭିଲିଅର୍ସ ଓ ସାଙ୍ଗାକାରା ମଧ୍ୟ ଏହି ତାଲିକାରେ ଅଛନ୍ତି। ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟ୍ବେଣ୍ଟି୨୦ କ୍ରିକେଟର ଦୌଡ଼ରେ କୋହଲିଙ୍କ ସହ ରୋହିତ ଶର୍ମା ମଧ୍ୟ ରହିଛନ୍ତି। ଅନ୍ୟ ୫ ଜଣ ହେଲେ କ୍ରିସ୍ ଗେଲ୍‌ (ୱେଷ୍ଟଇଣ୍ଡିଜ୍‌), ରସିଦ୍ ଖାଁ (ଅାଫ୍‌ଗାନିସ୍ତାନ), ଇମ୍ରାନ୍ ତାହିର (ଦକ୍ଷିଣ ଆଫ୍ରିକା), ଆରୋନ୍ ଫିଞ୍ଚ୍ (ଅଷ୍ଟ୍ରେଲିଆ) ଓ ମାଲିଙ୍ଗା। ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଦୌଡ଼ରେ ବିରାଟ କୋହଲି ରହିଛନ୍ତି। ଆଇସିସି ସ୍ପିରିଟ୍‌ ଅଫ୍ ଦି ଇଅର (ଖେଳୁଆଡ଼ ଭାବନା) ପୁରସ୍କାର ଦୌଡ଼ରେ କୋହଲିଙ୍କ ସହ ମହେନ୍ଦ୍ର ସିଂହ ଧୋନି ମଧ୍ୟ ରହିଛନ୍ତି। ଭାରତର ମିତାଲି ରାଜ୍ ଦଶନ୍ଧିର ଶ୍ରେଷ୍ଠ ମହିଳା କ୍ରିକେଟର ଏବଂ ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ପୁରସ୍କାର ଦୌଡ଼ରେ ରହିଛନ୍ତି।

Comments are closed.