ଟେଷ୍ଟରେ କୋହଲିଙ୍କ ଏକାଧିକ ରେକର୍ଡ

ପୁଣେ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅପରାଜିତ ୨୫୪ ରନ୍‌ ସଂଗ୍ରହ କରିଥିଲେ। ଟେଷ୍ଟ ଫର୍ମାଟ୍‌ରେ ଏହା କୋହଲିଙ୍କ ୭ମ ଦ୍ବିଶତକ। ଏହି କ୍ରମରେ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇ ଦେଇଛନ୍ତି। ତେନ୍ଦୁଲକର ଓ ସେହ୍ବାଗ ଟେଷ୍ଟରେ ୬ଟି ଲେଖାଏଁ ଦ୍ବିଶତକ ହାସଲ କରିଥିଲେ।
ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ କୋହଲି ଅନେକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପ୍ରଥମ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଦ୍ବିଶତକ ହାସଲ କରିଥିଲେ। ସେହିପରି ଅଧିନାୟକ ଭାବେ କୋହଲି ଦିନିକିଆ ଓ ଟେଷ୍ଟରେ ୪୦ଟି ଶତକ ହାସଲ କରିଛନ୍ତି। ସେ ଟେଷ୍ଟରେ ୧୯ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ୨୧ଟି ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଅଧିନାୟକ ଭାବେ ଶତକ ହାସଲ କରିବା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ପଣ୍ଟିଂ ୪୧ଟି ଶତକ ହାସଲ କରିଛନ୍ତି। କୋହଲି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୩୩ଟି ଶତକ ସହ ଦକ୍ଷିଣ ଆଫ୍ରିକାର ଗ୍ରାହାମ୍‌ ସ୍ମିଥ୍‌ ୩ୟ ଓ ୨୦ଟି ଶତକ ସହ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ମ୍ୟାଚ୍‌ରେ କୋହଲି ଟେଷ୍ଟ କ୍ୟାରିୟର ୨୬ଟି ଶତକ ହାସଲ କରି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକଙ୍କୁ ପଛରେ ପକାଇ ଦେଇଛନ୍ତି। ଇଞ୍ଜାମାମ୍‌ ୧୨୦ଟି ଟେଷ୍ଟ ଖେଳି ୨୫ଟି ଶତକ ହାସଲ କରିଥିବା ବେଳେ କୋହଲି ୮୧ଟି ଟେଷ୍ଟ ଖେଳି ୨୬ଟି ଶତକ ହାସଲ କରିଛନ୍ତି।
ସେହିପରି କୋହଲି ଅଷ୍ଟ୍ରେଲିଆର ମହାନ୍‌ ବ୍ୟାଟସମ୍ୟାନ୍‌ ସାର୍‌ ଡନ୍‌ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ମଧ୍ୟ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ଅଧିନାୟକ ଭାବେ ବ୍ରାଡ଼ମ୍ୟାନ୍‌ ଟେଷ୍ଟ ଫର୍ମାଟ୍‌ରେ ୮ଥର ୧୫୦ରୁ ଅଧିକ ରନ୍‌ ସ୍କୋର କରିଥିବା ବେଳେ କୋହଲି ୯ଥର ୧୫୦ରୁ ଅଧିକ ରନ୍‌ ସ୍କୋର କରି ବ୍ରାଡ଼ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟେଷ୍ଟ ଫର୍ମାଟ୍‌ରେ ରନ୍‌ ସଂଗ୍ରହ କରିବା ମାମଲାରେ ପୂର୍ବତନ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାରଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି। ଭେଙ୍ଗସରକାର ଟେଷ୍ଟ ଫର୍ମାଟ୍‌ରେ ୬,୮୬୮ ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି ତାଙ୍କ ଠାରୁ ଆଗକୁ ବଢ଼ିବାରେ ସକ୍ଷମ ହୋଇଛନ୍ତି।

Comments are closed.