ପୁଲିସ କର୍ମୀଙ୍କ ଅନୁପ ସାଏଙ୍କୁ ଆକ୍ରମଣ ଚେତାବନୀ

ଝାରସୁଗୁଡ଼ା: ଗାନ୍ଧୀ ଛକଠାରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା​‌ କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ସମୟରେ ପୁଲିସ ବିରୋଧୀ ଦଳଙ୍କ ନିଶାଣରେ ଥିବା ବେଳେ ଝାରସୁଗୁଡ଼ା ଜିଲାର ଆଉ ଜଣେ ପୁଲିସ କର୍ମଚାରୀ ଜଣେ ପୂର୍ବତନ ବିଧାୟକଙ୍କ ନାମରେ ଚେତାବନୀ ଦେଉଥିବା ବିଷୟ ଏବେ ଚର୍ଚ୍ଚା ପ୍ରସଙ୍ଗକୁ ଆସିଛି। ତେବେ ପୁଲିସ କର୍ମୀ ସେମିତି କିଛି ପଦକ୍ଷେପ ଯେପରି ନେଇ ନ ପାରିବେ ସେଥି ପାଇଁ ତାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ନଜରରେ ରଖାଯାଇଥିବା ସୂଚନା ମିଳିଛି।

ସୂଚନାରୁ ପ୍ରକାଶ ଯେ, କୋଲାବିରା ଥାନା​ରେ କାର୍ଯ୍ୟରତ ଥିବା କନଷ୍ଟେବଳ ସରୋଜ ଦାଶ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହ ତାଙ୍କର ପୁରୁଣା ଶତ୍ରୁତା ଥିବା ଯୋଗ ଦିନେ ନା ଦିନେ ଆକ୍ରମଣ କରିବେ ବୋଲି କହି ବୁଲୁଥିଲେ। ଏ ବିଷୟରେ ବରି​‌ଷ୍ଠ ଅଧିକାରୀମାନେ ଅବଗତ ହେବା ପରେ ତୁରନ୍ତ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରିଥିଲେ। ଫଳରେ ଏସପି ସ୍ମିଥ୍ ପରମାରଙ୍କ ନିର୍ଦେଶକ୍ରମେ ୧୦ଦିନ ପୂର୍ବରୁ କନଷ୍ଟେବଳଙ୍କୁ ଜିଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। କନଷ୍ଟେବଳ ସରୋଜ ଦାଶ ଅଧିକାଂଶ ସମୟରେ ନିଶାସକ୍ତ ରହୁଥିଲେ ଓ ନିଶାରେ ଥିବା ବେଳେ ପୂର୍ବରୁ ମଧ୍ୟ ଏହି କଥା କହି ବୁଲୁଥିଲେ। କିନ୍ତୁ ମଦ୍ୟପ ହୋଇଥିବା ଯୋଗୁ ତାଙ୍କ କଥାକୁ କେହି ଗୁରୁତ୍ବର ସହ ନେଉ ନଥିଲେ। କିନ୍ତୁ ନବ ଦାସ ଘଟଣା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି। ଖବର ନେବାରୁ ଜଣାଯାଇଛି ଯେ, ପୂର୍ବତନ ବିଧାୟକ ଶ୍ରୀ ସାଏଙ୍କ ବିରୋଧରେ ଅଭିଯୋଗ ଥିବା କଳ୍ପନା-ବବଲି ହତ୍ୟା ମାମଲାରେ କନଷ୍ଟେବଳ ସରୋଜ ଦାଶ ଜଣେ ସାକ୍ଷୀ। ସେ କଳ୍ପନା ଦାଶଙ୍କ ଜଣେ ସମ୍ପର୍କୀୟ ଭାଇ ବୋଲି କୁହାଯାଉଛି।

Comments are closed.