ଆସାମ- ମିଜୋରାମ ସୀମାରେ ହିଂସା : ୬ ପୁଲିସ ମୃତ, ୫୦ ଆହତ

ଶାହାଙ୍କ ହସ୍ତକ୍ଷେପ ଲୋଡିଲେ ଦୁଇ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସାମ ଓ ମିଜୋରାମ ସୀମାରେ ହିଂସା ଆରମ୍ଭ ହୋଇଛି। ସୀମାନ୍ତ ଅଞ୍ଚଳର ଦୁଇ ରାଜ୍ୟବାସୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ହିଂସାକାରୀମାନେ ପରସ୍ପରକୁ ଟେକା ପଥର ମାଡ ସହିତ ଗୁଳି ଚଳାଇଛନ୍ତି। ସରକାରୀ ଗାଡି ମୋଟରକୁ ଭଙ୍ଗାରୁଜା କରିଛନ୍ତି। ହିଂସାକାରୀଙ୍କ ଆକ୍ରମଣରେ ଆସାମ ପୁଲିସର ୬ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆସାମ ସୀମାନ୍ତ କାଚର ଜିଲା ଲୈଲାପୁର ଅଞ୍ଚଳରେ ଏହି ହିଂସା ଦେଖାଯାଇଛି। ଆସାମର ଏହି ସୀମାନ୍ତ ଅଞ୍ଚଳରେ ଥିବା କେତେକ କୃଷକଙ୍କ କୁଡିଆକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଏହି ହିଂସା ଦେଖାଯାଇଛି। ହିଂସାକୁ ନିୟନ୍ତ୍ରଣ ପୂର୍ବକ ଏହାର ସମାଧାନର ବାଟ ବାହାର କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ହିଂସା ଓ ସୀମା ବିବାଦର ସମାଧାନ ନିମନ୍ତେ ଶାହାଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଦୁଇଦିନ ପୂର୍ବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ସିଲଂଠାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ କରି ଫେରିଥିବାବେଳେ ଏପରି ହିଂସା ଦେଖାଯାଇଛି। ହିଂସାକୁ ନିୟନ୍ତ୍ରଣ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ପରସ୍ପର ସହିତ କଥା ହୋଇଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗ ହିଂସାରୁ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଆସାମ ପ୍ରତିପକ୍ଷ ହିମନ୍ତ ବିଶ୍ବଶର୍ମାଙ୍କୁ କହିଛନ୍ତି। ସେହିପରି ହିମନ୍ତ ମଧ୍ୟ ସୀମାରେ ଶାନ୍ତି ଓ ସ୍ଥିତାବସ୍ଥା ବଜାୟ ରଖିବାକୁ ଜୋରାମଥାଙ୍ଗଙ୍କୁ କହିଛନ୍ତି। ଘଟଣାସ୍ଥଳରେ ଆସାମ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଛନ୍ତି। ଆହତ ପୁଲିସ କର୍ମଚାରୀଙ୍କୁ ସିଲଚାର ଭେଷଜ ମହାବିଦ୍ୟାଳୟରେ ଭର୍ତ୍ତି କରାଯାଇଛି। ପୁଲିସ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ​‌ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ବିବାଦର କାରଣ
ସୂଚନା ଅନୁଯାୟୀ ଦୁଇ ରାଜ୍ୟର ସୀମାନ୍ତ ୬.୫ କିମି ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି। ଭୈରେଙ୍ଗଲର ଏହି ବିବାଦୀୟ ଅଞ୍ଚଳକୁ ଆସାମ ସରକାର ନିଜର ବୋଲି ଦାବି କରୁଥିବାବେଳେ ମିଜୋରାମ ସରକାର ଏହାର ବିରୋଧ କରୁଛନ୍ତି। ଏହି ବିବାଦୀୟ ଅଞ୍ଚଳରେ ଚାଷବାସ ପୂର୍ବକ କେତେକ କୃଷକ କୁଡିଆ କରି ରହିଥିବାବେଳେ ଏହାକୁ ରବିବାର ରାତିରେ କେହି ଦୃର୍ବୃତ୍ତ ପୋଡି ଦେଇଥିଲେ। ଏହି କୃଷକମାନେ ଆସାମ ସୀମାନ୍ତ ଗ୍ରାମର ଅଧିବାସୀ। କୁଡିଆ ପୋଡିକୁ ନେଇ କୃଷକମାନେ ଥାନାରେ ଏତଲା ଦେଇଥିବାବେଳେ ଏହାର ତଦନ୍ତ ଚାଲିଛି। ତେବେ ଏହି ସୀମା ଉତ୍ତେଜନା ଜୁନ୍‌ ଶେଷ ଭାଗରୁ ଆରମ୍ଭ ହୋଇଥିବା କୁହାଯାଇଛି। ବିବାଦୀୟ ଅଞ୍ଚଳ ‘ଏଟଲାଙ୍ଗ ହନାର’କୁ ଆସାମ ପୁଲିସ ନିଜ ନିୟନ୍ତ୍ରଣକୁ ନେବା ପରଠାରୁ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହାକୁ ନେଇ ମିଜୋରାମ ସରକାର ଜବରଦଖଲର ଅଭିଯୋଗ କରିଥିଲେ। ଗତ ଜୁନ୍‌ରେ ମଧ୍ୟରେ ମିଜୋରାମର କେତେକ ଦୁର୍ବୃତ୍ତ ଏକ ନିର୍ମାଣାଧୀନ ବିଦ୍ୟାଳୟ ଉପରକୁ ଦୁଇଟି ଗ୍ରେନେଡ ମାଡ କରିଥିଲେ। ଆସାମ ଓ ମିଜୋରାମ ମଧ୍ୟରେ ୧୬୪.୬ କିମି ସୀମା ରହିଛି। ମିଜୋରାମର ଅଭିଯୋଗ ଅନୁଯାୟୀ ଏହାର ଅନେକ ଜଙ୍ଗଲ ଅଞ୍ଚଳକୁ ଆସାମ ବେଆଇନ ଭାବେ ଜବରଦଖଲ କରିଛି।

Comments are closed.