ଜିଲା ପ୍ରଶାସନର ଦାୟିତ୍ୱହୀନ କାର୍ଯ୍ୟ : ଓମିକ୍ରନକୁ ଆମନ୍ତ୍ରଣ

ମୀନା ବଜାରରେ କୋଭିଡ ନିୟମାବଳୀକୁ ଫୁ..

ସମ୍ବଲପୁର :  ସାରା ବିଶ୍ୱରେ ଦିନକୁ ଦିନ କୋଭିଡ-୧୯ର ନୂଆ ପ୍ରକରଣ ଓମିକ୍ରନର ଆତଙ୍କ ବୃଦ୍ଧି ପାଉଥିବା ବେଳେ  ସମ୍ବଲପୁର ଜିଲା ପ୍ରଶାସନ କିନ୍ତୁ କରୋନାର ଦ୍ୱିତୀୟ ଲହରରୁ କିଛି ଶିକ୍ଷା ନେଇ ନାହିଁ । ଏବେ ମଧ୍ୟ ଓମିକ୍ରନର ସଂକ୍ରମଣର ଆଶଙ୍କା ମୁଣ୍ଡ ଉପରେ ଖଣ୍ଡା ଝୁଲିବା ଭଳି ରହିଥିବା ବେଳେ ପିଏଚଡି ପଡିଆ ଠାରେ ଚାଲିଥିବା ମୀନା ବଜାରକୁ ଅନୁମତି ଜିଲା ପ୍ରଶାସନ ତରଫରୁ ଦିଆଯାଇଥିବା ଅନୁମତି ପତ୍ରରେ କୋଭିଡ ନିୟମ ପାଳନ ସକାଶେ କୌଣସି ନିର୍ଦ୍ଦେଶ ଦିଆଯାଇ ନ ଥିବାର ସଙ୍ଗୀନ ତ୍ରୁଟି ପରିଲକ୍ଷିତ ହୋଇଛି ।

ଗତ ୨୬ ନଭେମ୍ବରରେ ଉପ ଜିଲାପାଳ ସମ୍ବଲପୁର ତରଫରୁ ଜାରି ଚିଠି ସଂଖ୍ୟା ୧୦୪୦୭/୨୦୨୧ ଅନୁଯାୟୀ ପିଏଚଡି ପଡିଆ ଠାରେ ଚଳିତ ବର୍ଷ ଡିସେମ୍ବର ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ମୀନା ବଜାର ଆୟୋଜନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଉପ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ଚିଠି ଅନୁଯାୟୀ ମୀନା ବଜାର ଚାଲୁ ରହିବା ସମୟରେ ଜନତାଙ୍କ ସୁରକ୍ଷା ନିମନ୍ତେ ବେସରକାରୀ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ, ପ୍ରତି ଦିନ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲୁ ରଖିବା, ସ୍ଥାନୀୟ ପୁଲିସ ଓ ପ୍ରଶାସନର ଆବଶ୍ୟକୀୟ ନିର୍ଦ୍ଦେଶ ମାନିବା, ଅଗ୍ନି ଦୁର୍ଘଟଣା ଏଡାଇବା ନିମନ୍ତେ ଅଗ୍ନିଶମ ବିଭାଗର ନିୟମାନୁଯାୟୀ ବ୍ୟବସ୍ଥା, ପୂର୍ତ୍ତ ବିଭାଗର ନିୟମାନୁଯାୟୀ ସମସ୍ତ ସାମଗ୍ରୀ ପ୍ରତିଷ୍ଠା କରିବା ଓ ମୀନା ବଜାର ଆରମ୍ଭ ପୂର୍ବରୁ ଅଇଁଠାପାଲି ଥାନାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ ହେବା, ଲାଉଡ ସ୍ପିକର ନିମନ୍ତେ ଆବଶ୍ୟକୀୟ ଅନୁମତି, ବିନା କୌଣସି କାରଣ ଦର୍ଶାଇ ମୀନାବଜାର ଚଳାଇବାର ଅନୁମତିକୁ ବାତିଲ ଏବଂ ଆୟୋଜନ ସ୍ଥଳକୁ ସ୍ୱଚ୍ଛ ଓ ପରିମଳ ରଖିବା ଭଳି ସମୁଦାୟ ୯ଟି ପଏଣ୍ଟରେ ନିର୍ଦ୍ଦେଶାବଳୀ ଦିଆଯାଇ ମୀନାବଜାର କତ୍ତୃପକ୍ଷଙ୍କୁ ଅନୁମତି ପ୍ରଦାନ କରାଯାଇଛି। ତେବେ ବିଡମ୍ବନାର ବିଷୟ ଯେ, କରୋନା କାଳରେ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ କଡା କୋଭିଡ-୧୯ କଟକଣା ମଧ୍ୟରେ ଆୟୋଜନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ କିନ୍ତୁ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ଚିଠିରେ କୋଭିଡ-୧୯ କଟକଣା ବିଷୟରେ କୌଣସି ଉଲ୍ଲେଖ ନାହିଁ, ଯାହାକି ସମସ୍ତଙ୍କୁ ଆର୍ଶ୍ଚର୍ଯ୍ୟ ଚକିତ କରୁଛି। ଏହା ସମ୍ବଲପୁର ଜିଲା ପ୍ରଶାସନର ସ୍ୱେଚ୍ଛାଚାରିତାକୁ ଦର୍ଶାଉଥିବା ବେଳେ ଜାଣିଶୁଣି ଏପରି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଟିଏ ମାସ୍କ ନ ପିନ୍ଧିଲେ ତାକୁ ୫ ଶହ ଟଙ୍କା ଜରିମାନା, ହେଲମେଟ ପରିଧାନ ନ କଲେ ୧ ହଜାର ଟଙ୍କା ଜରିମାନା ଆଦି ଅନେକ ନିୟମ ଲାଗୁ କରାଯାଇ ଜନତାଙ୍କ ଠାରୁ ମୋଟା ଅଙ୍କରରେ ଜରିମାନା ବାବଦରେ ଆଦାୟ କରାଯାଉଥିବା ବେଳେ ମୀନା ବଜାର ଚାଲିବା ସମୟରେ ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି ।

ମୀନା ବଜାର ପାଇଁ ରବିବାର ସନ୍ଧ୍ୟାରେ ସମଗ୍ର ଜାତୀୟ ରାଜପଥ, ଅଇଁଠାପାଲି, ବୁଢ଼ାରଜା ଆଦି ଅଞ୍ଚଳରେ ଭାରି ଟ୍ରାଫିକ ଜାମ ହୋଇ ଯାଇଥିଲା। ଅପର ପକ୍ଷରେ ମୀନା ବଜାରରେ ଏପରି ଭିଡ ଜମିଥିଲା ଯେ ପିମ୍ପୁଡିଟିଏ ମଧ୍ୟ ଯିବାକୁ ରାସ୍ତା ନ ଥିଲା ଭଳି ଅବସ୍ଥା ରହିଥିଲା । ମୀନାବଜାରରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଅନେକ ଫଟୋ ଚିତ୍ର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ଚୁପ ରହିବା ଘଟଣାକୁ ନେଇ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଭିନ୍ନ କଟାକ୍ଷ ପୋଷ୍ଟ କରୁଛନ୍ତି । ମୀନାବଜାର ପାଇଁ ହେଉଥିବା ଟ୍ରାଫିକ ଜାମ, କରୋନା ସଂକ୍ରମଣ ବୃଦ୍ଧି, ଅଞ୍ଚଳର ପରିମଳ ଅବ୍ୟବସ୍ଥା ଆଦି ପାଇଁ ଦାୟୀ କିଏ ବୋଲି ସଚେତନ ନାଗରିକ ମାନେ ପ୍ରଶାସନକୁ ପ୍ରଶ୍ନ କରୁଛନ୍ତି । ଏ ସର୍ମ୍ପକରେ ଲୋକେ ଦାୟିତ୍ୱବାନ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେମାନେ ଟ୍ରାଫିକ ବ୍ୟବସ୍ଥାକୁ ପୁଲିସ ପଟକୁ ଠେଲି ଦେଇ ଚୁପ ପଡି ଯାଇଥିଲେ। ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ପ୍ରଶାସନକୁ ସବୁ ମହଲରୁ ନିନ୍ଦା କରାଯାଉଛି।

 

Comments are closed.