ପୋଲାଣ୍ଡ ଓପନ୍‌ କୁସ୍ତି, ଫାଇନାଲରେ ବିନେଶ ଫୋଗଟ୍‌

ୱାର୍‌ସ: ଏଠାରେ ଆୟୋଜିତ ପୋଲାଣ୍ଡ ଓପନ୍‌ କୁସ୍ତି ପ୍ରତିଯୋଗିତାର ମହିଳା ୫୩ କେଜି ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ବିନେଶ ଫୋଗଟ୍‌। ପ୍ରଥମ ମ୍ୟାଚ୍‌ରେ ବିନେଶଙ୍କ ମୁକାବିଲା ରୁଷିଆର ଏକଟେରିନା ପୋଲଚୁକ୍‌ଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ବିନେଶ ୬-୨ ପଏଣ୍ଟରେ ବିଜୟୀ ହୋଇଥିଲେ।

୨୦୧୯ ବିଶ୍ବ କୁସ୍ତି ପ୍ରତିଯୋଗିତାରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ପୋଲଚୁକ୍‌ ମୂଳରୁ ପ୍ରାଧାନ୍ୟ ବିସ୍ତାର କରି ୨-୦ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ବିନେଶ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହ ୨ ପଏଣ୍ଟ ପାଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ। କିଛିସମୟ ପରେ ପୋଲଚୁକ୍‌ ଏକ ବୈଷୟିକ ଭୁଲ୍‌ କରିବାରୁ ବିନେଶକୁ ଆଉ ୨ ପଏଣ୍ଟ ମିଳିଥିଲା। ଶେଷ ବେଳକୁ ବିନେଶ ଆଉ ୨ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ। ଦ୍ବିତୀୟ ତଥା ସେମିଫାଇନାଲ ମ୍ୟାଚ୍‌ରେ ବିନେଶ ଆମେରିକାର ଆମି ଆନ୍‌ଙ୍କୁ ମାତ୍ର ୭୫ ସେକେଣ୍ଡରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

ସୂଚନାଥାଉକି ଚଳିତ ସିଜିନ୍‌ରେ ୨୬ ବର୍ଷୀୟ ବିନେଶ ମାଟିଓ ପେଲିକୋନ୍‌ ଓ ଏସୀୟ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି। ଅନ୍ୟପକ୍ଷରେ ପୋଲାଣ୍ଡ ଓପନ୍‌ରେ ଅନ୍ୟତମ ଭାରତୀୟ ମହିଳା ମଲ୍ଲଯୋଦ୍ଧା ଅଂଶୁ ମଲିକ ୫୭ କେଜି ବିଭାଗରୁ ଓହରି ଯାଇଛନ୍ତି। ଅଂଶୁ ଜ୍ବରରେ ପୀଡ଼ିତ ଥିବା ଜଣାପଡ଼ିଛି।

Comments are closed.