ଭିମସାର ସଫେଇ କର୍ମଚାରୀ ଆନ୍ଦୋଳନ ବେଳେ ଆକ୍ରମଣ, ୨ ବିକ୍ଷୋଭକାରୀ ଗୁରୁତର

ଆକ୍ରମଣ ଘଟଣାରେ ୪ ଗିରଫ୍‍
ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା
ସଫେଇ କାର୍ଯ୍ୟାଳୟ ଭଙ୍ଗାରୁଜା ଥାନାରେ ମାମଲା

ବୁର୍ଲା: ବୁର୍ଲା ସହର ମଧ୍ୟରେ ନେତାଜୀ ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଏକ ଆକ୍ରମଣ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଯୋର ଧରିଛି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନରେ ଯୋଗଦେବା ପାଇଁ ଯାଉଥିବା ବେଳେ ଅନ୍ୟ ଏକ କର୍ମଚାରୀ ଗୋଷ୍ଠୀର କିଛି ଯୁବକ ମିଶି ଭୁଜାଲି ଏବଂ ଟାଙ୍ଗିଆ ଆଦିରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଆକ୍ରମଣର ଶୀକାର ହୋଇଥିବା ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ ବୁର୍ଲା ଭିମସାରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଗୁରୁତର ଦୁଇ ସଫେଇ କର୍ମଚାରୀ ହେଲେ ବୁର୍ଲା ୱାନଆର କଲୋନିର ମନୋଜ କଲେତ ଏବଂ ଦୀନବନ୍ଧୁ ଡୁଙ୍ଗୁରୀ। ସଫେଇ କର୍ମଚାରୀଙ୍କ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ କେନ୍ଦ୍ର କରି ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଅଭିଯୋଗ ବିକ୍ଷୋଭକାରୀଙ୍କ ତରଫରୁ ଉଠୁଛି। ତେବେ ଘଟଣାକୁ ନେଇ ଆନ୍ଦୋଲନରତ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଭାବରେ ଅଭିଯୋଗ ହୋଇଛି।

ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଥିବା ବୁର୍ଲା ଥାନାଧିକାରୀଙ୍କ ସୁତ୍ରରୁ ସୁଚନା ହସ୍ତଗତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ଗୁଣ ପଞ୍ଚବିହାର, ଥବିର ନାଏକଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଘଟଣାକୁ ନେଇ ଆନ୍ଦୋଳନରତ ମେହେନ୍ତର ମେହେନ୍ତରାଣୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଏହାକୁ ନେଇ ଭିମସାରର ସଫେଇ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରାଯିବା ପରେ ବୁର୍ଲା ଥାନାରେ ମେଡ଼ିକାଲ ତରଫରୁ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସୂଚନା ମତେ ଆଜିକୁ ୩ଦିନ ହେବ ବୁର୍ଲା ଭିମସାରରେ କାର୍ଯ୍ୟରତ ଏକ ଗୋଷ୍ଠୀ ସଫେଇ କର୍ମଚାରୀ ମାନେ ୫ଦଫା ବିଶିଷ୍ଟ ଦାବିକୁ ନେଇ ଆନ୍ଦୋଳନରତ ରହିଛନ୍ତି। ଠିକା ଭିତ୍ତିକ କର୍ମଚାରୀ ମାନେ ଯେଉଁ ଠିକାଦାରଙ୍କ ଅଧିନରେ କାମ କରୁଥିବା ଉକ୍ତ ଠିକାଦାର ଜଣକ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ପରେ ଭିମସାରରେ ସଫେଇରେ ବାଧାସୃଷ୍ଟି ହେବ ଭାବି ବାହାରୁ କିଛି ସଫେଇ କର୍ମଚାରୀ ଏବଂ ଅନ୍ୟ ଗୋଷ୍ଠୀ ସଫେଇର କର୍ମଚାରୀଙ୍କ ସହାୟତାରେ ଜାରି ରଖିଥିଲେ। ତେବେ ଏହାକୁ ଆନ୍ଦୋଳନରତ ସଫେଇ କର୍ମଚାରୀ ମାନେ ବିରୋଧ କରିଥିବା ସୂଚନା ମିଳିଛି। ମାତ୍ର ଅନ୍ୟ ଗୋଷ୍ଠୀ ଭିମସାରରେ ସଫେଇ ବ୍ୟବସ୍ତାରେ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି।

ଅନ୍ୟପଟେ ଆନ୍ଦୋଳନ ରତ କର୍ମଚାରୀ ସଂଘ ସଭାପତି ସୁଶୀଲ ବନଛୋରଙ୍କ କହିବା କଥା ହେଲା ଯେ ଯେଉଁ ଠିକାଦାରଙ୍କ ଅଧିନରେ ସଫେଇ କାମ ହେଉଛି ସେହି ଠିକାଦାର ଜଣକ ଆମ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ତାଙ୍କ ଅଧିନରେ କାମ କରୁଥିବା ମୁନ୍ସି ଆମ ଜଣେ କର୍ମଚାରୀଙ୍କୁ ଆନ୍ଦୋଳନ ସ୍ଥଳକୁ ନ ଯିବା ପାଇଁ ଧମକ୍‍ ଦେଉଥିବା ଅଭିଯୋଗ କରିଛନ୍ତି। ଏହାପରେ ଆଜି ସକାଳ ସମୟ ପ୍ରାୟ ୮ ଟା ସମୟରେ ଦୀନବନ୍ଧୁ ଏବଂ ମନୋଜ ଘରୁ ବାହାରି ଧାରଣାସ୍ଥଳକୁ ଯାଉଥିବା ବେଳେ ପୂର୍ବଯୋଜନା ଅନୁଯାୟୀ ନେତାଜୀ ଛକ ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ଗୁଣ, ଥବିର ତାଙ୍କ କିଛି ସହଯୋଗୀ ମିଶି ଉଭୟଙ୍କୁ ଟାଙ୍ଗିଆ, ଭୁଜାଲି ଆଦିରେ ମରଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ହୋଇ ଉଭୟେ ତଳେ ପଡିଯିବା ପରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ପେରାର ହୋଇଯାଇଥିଲେ। ଏହାପରେ ଆନ୍ଦୋଳନ ରତ ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ।

ତେବେ ଏହାକୁ ନେଇ ଭିମସାରରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପରେ ବିକ୍ଷୋଭରତ ସଫେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ କର୍ମଚାରୀମାନେ ଭିମସାର ପରିସରରେ ରହିଥିବା ଠିକାସଂସ୍ଥାର କାର୍ଯ୍ୟାଳୟକୁ ପଶି ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହାକୁ ନେଇ ଉକ୍ତ କୋଠରୀଟି ଭିମସାରର ହୋଇଥିବା ବେଳେ ଏଠାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ ଭିମସାର କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ଏହି ଭଙ୍ଗାରୁଜାକୁ ନେଇ ବୁର୍ଲା ଥାନାରେ ଏକ ଅଭିଯୋଗ ହୋଇଛି। ତେବେ ପୁଲିସ ଏହି ଘଟଣାର ମଧ୍ୟ ତଦନ୍ତ ଆରମ୍ଭ କରିଥିବା ବେଳେ ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନେ ମଧ୍ୟ ଗିରଫ ହେବେ ବୋଲି ବୁର୍ଲା ଥାନାଧିକାରୀ କମଳ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୁର୍ଲା ମେଡିକାଲରେ କାମ କରୁଥିବା ମେହେନ୍ତର ମେହେନ୍ତରାଣୀ (ସଫେଇ କର୍ମଚାରୀ) ସଂଘର ଆନ୍ଦୋଳନ ଆଜି ତୃତୀୟ ଦିବସରେ ପଦାର୍ପଣ କରିିଛି। ମାତ୍ର ଉକ୍ତ ଠିକା ସଂସ୍ଥା ଏଲ ଏଣ୍ଡ କେ ପକ୍ଷରୁ ଗୁଣକୁ ଗତ ଦେଢ଼ବର୍ଷ କାଳ ହେବ କାମରୁ ନିବୃତ ରଖାଯାଇଥିବା ସୁ୍‍ଚନା ଦିଆଯାଇଛି। ତେବେ ଏହାକୁ ନେଇ ସଫେଇ କର୍ମଚାରୀ ମଧ୍ୟରେ ଆକ୍ରୋଶ ଜାରି ରହିଥିବା ବେଳେ ଆଗକୁ ଏହି ଘଟଣା କି ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା।

Comments are closed.