ଭିମସାରରେ ଡାକ୍ତରୀ ପଢ଼ିବେ ୬୪ ବର୍ଷ ବୟସ୍କ ଜୟକିଶୋର

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ଶାସ୍ତ୍ର ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରୀ ପାଠ ପଢ଼ିବେ। ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ ଗୁରୁବାର ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ତାଙ୍କ ଫାର୍ମାସିଷ୍ଟ ଡିଗ୍ରୀଧାରୀ ପତ୍ନୀ ପ୍ରତିଭାଙ୍କ ସହଯୋଗରୁ ଛାତ୍ର ଜୀବନର ଅପୂର୍ଣ୍ଣ ଆଶା ପୂରଣ କରିବା ସୁଯୋଗ ମିଳିଛି ବୋଲି ଜୟକିଶୋର କହିଛନ୍ତି। ବିଲାସପୁରରେ ତାଙ୍କ ବଡ଼ ଝିଅ ଜ୍ୟୋତିପ୍ରଭା ବେଚଲର୍‌ ଇନ୍‌ ଡେଣ୍ଟାଲ ସାଇନ୍ସ (ବିଡିଏସ)ର ଦ୍ୱିତୀୟ ବର୍ଷ ଛାତ୍ରୀ ହୋଇଥିବାବେଳେ ପୁଅ ଜୟଜିତ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ଭିମସାର ନାମଲେଖା ଦାୟିତ୍ୱରେ ଥିବା ପ୍ରଫେସର ଶଶିଭୂଷଣ ବିଶ୍ୱାଳ ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ସମସ୍ତ ପ୍ରମାଣପତ୍ର ଯାଞ୍ଚ ଏବଂ ସ୍ୱାସ୍ଥ୍ୟଗତ ପରୀକ୍ଷା ପରେ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲା ଅତାବିରା ନିକଟ ଭାଲୁପାଲିର ବିପିନ ବିହାରୀ ପ୍ରଧାନଙ୍କ ପୁଅ ଜୟକିଶୋର ପିଲାଦିନରୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ। ଆଇଏସସି (ଯୁକ୍ତ-୨ ବିଜ୍ଞାନ) ପଢ଼ି ସେ ଥରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେଇ ବିଫଳ ହୋଇଥିଲେ। ପରେ ପଦାର୍ଥ ବିଜ୍ଞାନ ସମ୍ମାନ ନେଇ ବିଏସ୍‌ସି ଡିଗ୍ରୀ ପାଇବାପରେ ସେ ବ​‌େ​‌ର୍ଷ ଲେଖାଏ ଅତାବିରା ଏମଇ ସ୍କୁଲରେ ଶିକ୍ଷକ ଓ ଇଣ୍ଡିଆନ ବ୍ୟାଙ୍କରେ ଚାକିରୀ କରିଥିଲେ। ପରେ ୧୯୮୩ ମସିହାରେ ଷ୍ଟେଟ ବ୍ୟାଙ୍କରେ କିରାଣୀ ପଦରେ ଯୋଗ ଦେଇଥିଲେ। ସ୍କେଲ-୨ ଅଧିକାରୀ ପାହ୍ୟାକୁ ପଦୋନ୍ନତି ସହ ଶେଷରେ ୨୦୧୬ ମସିହା ନଭେମ୍ବର ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ସେହି ସମୟରେ ତାଙ୍କ ଝିଅ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାରୁ ଜୟକିଶୋର ତାକୁ ପଢ଼ାପଢ଼ିରେ ଗାଇଡ଼ କରୁଥିଲେ। ସେତେବେଳେ ତାଙ୍କ ମନରେ ପୁଣି ଡାକ୍ତରୀ ପଢ଼ିବାକୁ ଆଗ୍ରହ ଜନ୍ମିଥିଲା। ଗତବର୍ଷ ସୁପ୍ରିମ କୋର୍ଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସର୍ବୋଚ୍ଚ ବୟସ ସୀମା ଉଠାଇ ଦେବାପରେ ତାଙ୍କ ଛାତ୍ରଜୀବନର ଆଶା ପୂରଣ କରବାକୁ ନିଟ୍‌ ଫର୍ମ ପୂରଣ କରିଥିଲେ। ପ୍ରାୟ ୧୦ ବର୍ଷ ହେଲା ଏକ ଦୁର୍ଘଟଣା କାରଣରୁ ତାଙ୍କ ଡାହାଣ ଗୋଡ଼ରେ ସମସ୍ୟା ଥିବାରୁ ଜୟକିଶୋର ଦିବ୍ୟାଙ୍ଗ କୋଟାରେ ଆବେଦନ କରି ନିଟ୍‌ରେ କୃତକାର୍ଯ୍ୟ ହୋଇ କାଉନସେଲିଂ ପରେ ଭିମସାରରେ ନାମ ଲେଖାଇଛନ୍ତି।

Comments are closed.