ଅନ୍ଧାରୀ ମୁଲକର ଗାଁ : କପାଡାଙ୍ଗ

ପାହାଡ଼ ଉପରେ ଅଭିଶପ୍ତ ଜୀବନ,-ଫଳକରେ ସୀମିତ ବାହ୍ୟ ମଳମୁକ୍ତ ଗ୍ରାମ,-କଂସା ସାହାଯ୍ୟରେ ଝରଣା ପାଣି ସଂଗ୍ରହ

ରାୟଗଡ଼ା : ପାହାଡ ଚଢ଼ିପାରୁନି ବିକାଶ। ମୌଳିକ ସୁବିଧା ଅପହଞ୍ଚ। ଝରଣା ପାଣି ବଞ୍ଚାଇ ରଖିଛି। ଡିବିରି ଆଲୋକ ହିଁ ଏକମାତ୍ର ଭରଷା ହୋଇଛି। ଲୋକେ ଏକପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି। ଏପରି ଚିତ୍ର ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲାର ବଡ଼ଇରୁକୁବାଡି ପଞ୍ଚାୟତ କପାଡାଙ୍ଗ ଗାଁରେ ଦେଖିବାକୁ ମିଳିଛି। ପାହାଡ ଉପରେ ଥିବା ଉକ୍ତ ଗାଁକୁ ବିକାଶର ଛାଇ ପଡିନି। ଏହି ଗ୍ରାମ ପୂର୍ବରୁ ଗାଜିଗାଁ ପଞ୍ଚାୟତ ଅଧୀନରେ ରହିଥିଲା। ୨୦୧୦ରେ ନୂଆ କରି ଗଠନ ହୋଇଥିବା ବଡ଼ ଇରୁକୁବାଡି ପଞ୍ଚାୟତରେ ଏହାର ମିଶ୍ରଣ ହୋଇଛି। ତଥାପି ଗାଁର ଭାଗ୍ୟ ବଦଳି ନାହିଁ। ସଦର ମହକୁମାଠାରୁ ମାତ୍ର ୨୨ କିମି ଦୂରରେ ଉକ୍ତ ଗାଁ ରହିଛି। ଗ୍ରାମକୁ ରାସ୍ତାଘାଟ ନ ଥିବା ବେଳେ ପାନୀୟଜଳ ସୁବିଧା ନାହିଁ। ୧୯୯୮ ଅଗଷ୍ଟ ୯ ତାରିଖରେ ଉକ୍ତ ଗ୍ରାମରେ ମାଓବାଦୀ ଓ ପୁଲିସ୍‍ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୯ ମାଓବାଦୀ ନିହତ ହୋଇଥିବା ବେଳେ ୫ ପୁଲିସ୍‍ ସହିଦ୍‍ ହୋଇଥିଲେ। ଶେଶଖାଲ ସିଆର୍‍ପିଏଫ୍‍ ପକ୍ଷରୁ କମ୍ବିଂ ଅପରେଶନ କରାଯାଇଥିଲା। ସେଠାରେ ଏବେ ମାଓ ଗତିବିଧି ନ ଥିବା ବେଳେ ପୂର୍ବଆଳ ଦେଖାଇ ସରକାରୀ କର୍ମଚାରୀ ଉକ୍ତ ଗ୍ରାମକୁ ଯାଉ ନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

୫ରୁ ୬ ବର୍ଷ ପୂର୍ବେ ସେଠାରେ ଜାଗାର ଅଭାବ କାରଣରୁ ୧୮ ପରିବାରର ୭୦ରୁ ୮୦ ଜଣ ପାହାଡ ତଳକୁ ଚାଲିଆସି ଗୋଟିଏ ନୂଆ ଜନବସତି ସ୍ଥାପନ କରିଥିଲେ। ତଳ କପାଡାଙ୍ଗ ଓ ଉପର କପାଡାଙ୍ଗରେ ମୋଟ ୭୦ ପରିବାର ବାସ କରୁଛନ୍ତି। କେବଳ ୩୦ରୁ ୩୫ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି। ଆଉ ସମସ୍ତେ ଆର୍ଥିକ ଅନଟନରେ ରହିଛନ୍ତି। ପିଇବାପାଣି ସମସ୍ୟା ଲାଗି ରହିଛି। କଂସା ସାହାଯ୍ୟରେ ଦୂଷିତ ଝରଣା ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ। ବିଶୁଦ୍ଧ ପାନୀୟଜଳ ସେମାନଙ୍କ ପାଇଁ ସାତସପନ ହୋଇଛି। ବାହ୍ୟ ମଳମୁକ୍ତ ଅଞ୍ଚଳର ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ଖୋଲାରେ ଗ୍ରାମବାସୀ ଶୌଚ କରୁଛନ୍ତି। ପାଇଖାନାରେ ଶୁଖିଲା କାଠ ରଖିଛି ରହୁଛି। ୫୨ ପରିବାରକୁ ନେଇ ଉପର କପାଡାଙ୍ଗରେ ରହୁଥିବା ଗ୍ରାମବାସୀଙ୍କ ଅବସ୍ଥା ମଧ୍ୟ ଦୟନୀୟ। ଅନ୍‍ଲାଇନ ଶିକ୍ଷା ବିଫଳ। ଅନ୍‍ଲାଇନ୍‍ ଶିକ୍ଷାର କୌଣସି ନାଁ ଗନ୍ଧ ନାହିଁ। ଷଷ୍ଠ ଶ୍ରେଣୀରେ ପଢୁଥିବା ସୋମିଆ ହିମିରିକାଙ୍କୁ ପଚାରିବାରୁ ଅର୍ଥାଭାବରୁ ସ୍ମାର୍ଟଫୋନ କିଣି ପାରୁନି। ପିଲାମାନେ ପାହାଡ ଡେଇଁ ୭ କିମି ଦୂର ଇରୁକୁବାଡିସ୍ଥିତ ହାଇସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି। ଆମ୍ବୁଲାନ୍ସ ଗାଁ ପାଖକୁ ଯିବାକୁ ହେଲେ ଗୁମ୍ମା ଦେଇ ୫୫ କିମିରୁ ଊର୍ଦ୍ଧ୍ବ ବାଟ ଅତିକ୍ରମ କରିବାକୁ ପଡୁଛି ବୋଲି ସେ କହିଛନ୍ତି। ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ବଡ ହୋର୍ଡିଂରେ ସୀମିତ ହୋଇଛି। ଆଜି ବି ଡିବିରି ଆଲୁଅରେ ଜୀବନ ବିତୁଛି। ୩ ବର୍ଷ ତଳେ ଗ୍ରାମରେ ଟ୍ରାନ୍ସଫରମର ବସିଥିଲା। ପ୍ରଥମ ୨ ବର୍ଷ ବିଦ୍ୟୁତ ଯୋଗାଣ ହେଉଥିଲା। ବର୍ଷେ ହେଲାଣି ଅନ୍ଧାରରେ ରାତି ବିତୁଛି। ଏହିସବୁ ସମସ୍ୟା ସମ୍ବନ୍ଧରେ ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କୁ ପଚାରିବାରୁ ଗାଁକୁ ରାସ୍ତା ସୁବିଧା ନ ଥିବାରୁ ନଳକୂପ ଗାଡି ଯାଇପାରୁ ନାହିଁ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ ସମାପ୍ତ ହେବା ପରେ ଖୁବ୍‍ ଶୀଘ୍ର ନଳକୂପ ଖନନ ହେବ ବୋଲି ସେ କହିଛନ୍ତି। n

Comments are closed.