ବିକାଶ ଦୁବେ ଗୁଳିବିନିମୟ ଘଟଣା : ବିଚାର ବିଭାଗୀୟ ତଦନ୍ତ କମିସନ ଗଠିତ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ ସହିତ ଗୁଳିବିନିମୟରେ ପ୍ରାଣ ହରାଇବା ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ବିଚାର ବିଭାଗୀୟ କମିସନ ଗଠନ କରିଛନ୍ତି। ରବିବାର ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶଶୀକାନ୍ତ ଅଗ୍ରୱାଲଙ୍କୁ ନେଇ ଜଣିକିଆ କମିସନ ଗଠନ କରାଯାଇଛି। ଏହି କମିସନ ବିକାଶ ଦୁବେ ଗୁଳିବିନିମୟ ସହିତ ଦୁବେ ଗ୍ୟାଙ୍ଗ ପୁଲିସ ଉପରେ କରିଥିବା ଅତର୍କିତ ଆକ୍ରମଣ ଘଟଣାର ତଦନ୍ତ କରିବ। କମିସନ ଦୁଇମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବ। ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହିତ ପୁଲିସ ଓ ଅନ୍ୟ ବିଭାଗ ଲୋକଙ୍କ ସମ୍ପର୍କ ବିଷୟରେ ମଧ୍ୟ କମିସନ ତଦନ୍ତ କରିବେ ବୋଲି ସରକାରୀ ମୁଖପାତ୍ର କହିଛନ୍ତି। କମିସନ ଗଠନ ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କମିସନ ଅଫ ଇନକ୍ବାରୀ ଆଇନ ୧୯୫୨ରୁ ଧାରା ୩ ଅନୁଯାୟୀ ତଦନ୍ତ ହେବ। କମିସନର ମୁଖ୍ୟାଳୟ କାନପୁରରେ ରହିବ। ଜୁଲାଇ ୩ ତାରିଖରେ ବିକାଶ ଦୁବେର ସହଯୋଗୀଙ୍କ ଆକ୍ରମଣରେ ୮ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ଏହା ସହିତ ବିକାଶର କେତେକ ସହଯୋଗୀ ମଧ୍ୟ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ସମସ୍ତ ଘଟଣା ଉପରେ କମିସନ ତଦନ୍ତ କରିବେ।

Comments are closed.