ବନ ବିଭାଗର ୨ ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢଉ

ବ୍ରହ୍ମପୁର: ବନ ବିଭାଗର ୨ଜଣ ଜୁନିୟର ଆକାଣ୍ଟାଣ୍ଟଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଚଢଉ କରାଯାଇଛି। ଜଣେ ଆକାଉଣ୍ଟାଣ୍ଟଙ୍କ ସମ୍ପତ୍ତି କୋଟିଏ ୧୧ ଲକ୍ଷରୁ ଅଧିକ ହୋଇଥିବା ବେଳେ ଆଉ ଜଣଙ୍କ ସମ୍ପତ୍ତି ୬୦ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଛି।
ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ ସୂର୍ୟ୍ୟନାରାୟଣ ତ୍ରିପାଠୀ ଓ ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ ନବୀନଚନ୍ଦ୍ର ବିଷୋୟୀଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।  ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ଆକାଉଣ୍ଟାଣ୍ଟଙ୍କ ନାମରେ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହିକ୍ରମରେ ଆଜି ବ୍ରହ୍ମପୁର ଭିଜିଲାନ୍ସର ଏକାଧିକ ଟିମ ୨ ଆକାଉଣ୍ଟାଣ୍ଟଙ୍କ ବାସଭବନ ଓ କାର୍ୟ୍ୟାଳୟରେ ଚଢଉ କରିଥିବା ଭିଜିଲାନ୍ସ ଏସପି ଅନିଲ କୁମାର ପାତ୍ରଙ୍କଠାରୁ ସୂଚନା ମିଳିଛି। ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ୟ୍ୟନାରାୟଣ ତ୍ରିପାଠୀଙ୍କ କାର୍ୟ୍ୟାଳୟ କୋଠା ସମେତ ବ୍ରହ୍ମପୁର କମାପଲ୍ଲୀ ନୃସିଂହମନ୍ଦିର ସାହିରେ ଥିବା ୩ ମହଲା ବାସଭବନ, ବାବାଜୀତୋଟା ସାହିରେ ଥିବା ଆସିୟାନ ଆପାର୍ଟମେଣ୍ଟର ଫ୍ଲାଟରେ ଚଢଉ କରାଯାଇଥିଲା।  ତିନି ମହଲା କୋଠାର ମୂଲ୍ୟ ୩୬ ଲକ୍ଷ ୫୨ ହଜାର ଟଙ୍କା ଓ ଆପାର୍ଟମେଣ୍ଟ ଫ୍ଲାଟର ମୂଲ୍ୟ ୧୨ ଲକ୍ଷ ୩୮ ହଜାର ହେବ ବୋଲି ଆକଳନ କରାଯାଇଥିଲା। ସୂର୍ୟ୍ୟନାରାୟଣଙ୍କ ନାମରେ ଆଙ୍କୋଲି ମୌଜାରେ ଥିବା ଲକ୍ଷେ ୪୭ ହଜାରର ଏକ ଜାଗା, ପଥରା ମୌଜାରେ ଥିବା ୨ ଲକ୍ଷ ୮୩ ହଜାର ଟଙ୍କାର ଏକ ପ୍ଲଟ, ତାଙ୍କ ସହ ପତ୍ନୀ ଓ ପୁଅଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଜମା ହୋଇଥିବା ୩ ଲକ୍ଷ ୨୧ ହଜାର ୫୬୮ଟଙ୍କା ଠାବ କରାଯାଇଛି। ୩୯ ହଜାର ୬୫୦ ନଗଦ ଟଙ୍କା ସହ ୨ ଲକ୍ଷ ୮୭ ହଜାର ୮୫୦ ଟଙ୍କାର ବିଭିନ୍ନ ଗୃହଉପକରଣକୁ ମିଶାଇ ସୂର୍ୟ୍ୟନାରାୟଣଙ୍କ ମୋଟ ସମ୍ପତ୍ତି ୫୯ ଲକ୍ଷ ୭୦ ହଜାର ୯୯୩ ଟଙ୍କା ବୋଲି ଜଣାପଡ଼ିଛି। ସେ ୧୯୯୩ରେ ବନ ବିଭାଗରେ ଜୁନିୟର କିରାଣୀ ଭାବେ ଯୋଗ ଦେଇଥିଲେ ​ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଖୋର୍ଦ୍ଧା ଜିଲା ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଆକାଉଣ୍ଟାଣ୍ଟ ନବୀନଚନ୍ଦ୍ରଙ୍କ କାର୍ୟ୍ୟାଳୟ ସମେତ ବ୍ରହ୍ମପୁର ନୀଳାଞ୍ଚଳନଗର ୩ୟ ଲାଇନରେ ଥିବା ୩ ମହଲା କୋଠା ଓ ଚିଲିକା ଠାରେ ଥିବା ଫରେଷ୍ଟ ରେଷ୍ଟ ହାଉସରେ ଚଢଉ କରାଯାଇଥିଲା। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୧୧ ଲକ୍ଷ ୨୮୭୬ ବୋଲି ଜଣାପଡ଼ିଛି। ନୀଳାଞ୍ଚଳନଗରରେ ଥିବା ୩ ମହଲା କୋଠାର ମୂଲ୍ୟ ୯୬ ଲକ୍ଷ ୪୦ ହଜାର ୫୯୮ ଟଙ୍କା ବୋଲି ଆକଳନ କରାଯାଇଥିବା ବେଳେ ଜଟଣୀ ତହସିଲ ଅଧିନରେ ଥିବା ୩୨ ଜହାରର ୨ଟି ପ୍ଲଟ ୯୦ ହାଜର ୫୦୦ ଟଙ୍କାର ସୁନା ଓ ରୂପା ଅଳଙ୍କାର, ପରିବାର ଲୋକଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୫ ଲକ୍ଷ ୧୦ ହାଜର ୩୯୯ ଟଙ୍କା, ଲକ୍ଷେ ୪୧ ହଜାର ୧୭୨ ନଗଦ ଟଙ୍କା, ଏକ ବାଇକ ଓ ସ୍କୁଟି ସହ ୫ ଲକ୍ଷ ୯୫ ହଜାର ୨୦୭ ଟଙ୍କାର ଗୃହଉପକରଣ ଠାବ ହୋଇଛି। ନବୀନଚନ୍ଦ୍ର ୧୯୭୯ରେ କନିଷ୍ଠ କିରାଣୀ ଭାବେ ବନ ବିଭାଗରେ ଯୋଗ ଦେଇଥିଲେ। ଏହି ୨ ଆକାଉଣ୍ଟାଣ୍ଟଙ୍କ ସମ୍ପତ୍ତିକୁ ନେଇ ଅଧିକ ଖୋଳତାଡ ଜାରି ରହିଛି ବୋଲି ଏସପି ଶ୍ରୀ ପାତ୍ର କହିଛନ୍ତି।

Comments are closed.