ସିଫାରେ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ସୋମବାର ଉଦଯାପିତ ହୋଇଯାଇଛି । ‘୭୫ ବର୍ଷର ସ୍ୱାଧୀନ ଭାରତ : ସାଧୁତା ସହ ଆତ୍ମବିଶ୍ୱାସ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଏହି ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ‘ନାଗରିକ ମାନଙ୍କ ପାଇଁ ସଚ୍ଚୋଟତା ଏବଂ ସଂସ୍ଥାନ ପାଇଁ ସାଧୁତା ସଂପର୍କିତ ସଂକଳ୍ପ ପାଠ କରାଯାଇଥିଲା। ଉଦଯାପନୀ ସମାରୋହରେ ‘ସତର୍କତା ପ୍ରତିଷେଧକ ଓ ସାଧାରଣ ଜୀବନରେ ସାଧୁତା’ ଶୀର୍ଷକ ଆଲୋଚନାଚକ୍ରରେ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ନିତୀ ନିବାରଣ ପାଇଁ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଜନସାଧାରଣଙ୍କ ସେବା କ୍ଷେତ୍ରରେ କୌଣସି ସଂସ୍ଥାର ସ୍ୱଚ୍ଛ ପ୍ରତିଛବି ପାଇଁ ସତର୍କତା ଓ ସାଧୁତାର ଭୂମିକା ଉପରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ, ମୁଖ୍ୟ ପ୍ରଶାସନିକ ଅଧିକାରୀ ବି.କେ ସିହ୍ନା, ଦୁର୍ନିତୀ ନିବାରଣ ଅଧିକାରୀ ଡଃ ମୃଣାଳ ସାମନ୍ତ ପ୍ରମୁଖ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କ ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ ସିଫା ପକ୍ଷରୁ ସର୍ବସାଧାରଣ ସ୍ଥାନ ମାନଙ୍କରେ ବ୍ୟାନର୍ ଓ ପୋଷ୍ଟର ଲଗାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା । ପଶ୍ଚିମବଙ୍ଗର ରାହାରା, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, କର୍ଣ୍ଣାଟକର ବେଙ୍ଗାଲୁର, ପଞ୍ଜାବର ଭଟିଣ୍ଡା ଠାରେ ଥିବା ସିଫାର ଆଞ୍ଚଳିକ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

Comments are closed.