ଦୁର୍ନୀତି ନିବାରଣ ବିଭାଗ ପଞ୍ଝାରେ ନୂଆଗଡ଼ ବନପାଳ

୯୦ ଲକ୍ଷର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ

ବ୍ରହ୍ମପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପଞ୍ଝାରେ ପଡିଛନ୍ତି ଗଜପତି ଜିଲା ଆର.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ନୂଆଗଡର ବନପାଳ ଗଣେଶ ପ୍ରଧାନ। ଏକକାଳୀନ ୫ଟି ସ୍ଥାନରେ ଚଢଉ କରାଯାଇ ମୋଟ ୯୦ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଗଜପତି ଜିଲାର ହରିଶ୍ଚନ୍ଦ୍ରପୁର ନିବାସୀ ଗଣେଶ ପ୍ରଧାନ ଆର.ଉଦୟଗିରି ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ୟରତ ଅଛନ୍ତି। ପାରଳାଖେମୁଣ୍ଡି ଫ୍ରେଣ୍ଡସ କଲୋନୀସ୍ଥିତ ଭଡାଘର, ଶ୍ରୀକାକୁଲମ ଜିଲାର ପଥପାଟନମ ଗ୍ରାମସ୍ଥିତ ଦ୍ବିମହଲା କୋଠା, ଗାରାବନ୍ଧ ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ହରିଶ୍ଚନ୍ଦ୍ରପୁରସ୍ଥିତ ଦ୍ବିମହଲା ବାସଭବନ, ନୂଆଗଡସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀମାନେ ଏକକାଳୀନ ଚଢଉ କରିଛନ୍ତି।

 

ଚଢଉ ସମୟରେ ଉପରୋକ୍ତ ୫ଟି ସ୍ଥାନରୁ ପ୍ରାୟ ୯୦ ଲକ୍ଷ ୨୫ ହଜାର ୭୪ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ହରିଶ୍ଚନ୍ଦ୍ରପୁରସ୍ଥିତ ଦ୍ବିମହଲା କୋଠା, ପଥପଟନମସ୍ଥିତ ଦ୍ବିମହଲା କୋଠା, ବନପାଳ ଏବଂ ତାଙ୍କ ପରିବାର ନାମରେ ହରିଶ୍ଚନ୍ଦ୍ରପୁର, ଚିନ୍ତାପାଲ୍ଲୀ, ଗୌରୀଚନ୍ଦ୍ରପୁର, ମାଣ୍ଡିଆପଲ୍ଲୀ, ଗାରାବନ୍ଧ, ଲିଙ୍ଗିପୁର ଏବଂ ଶ୍ରୀକାକୁଲମ ଜିଲାର ଖରସଭଡାରେ ୧୨ଟି ପ୍ଲଟ (ଯାହାର ଆନୁମାନିକ ମୂଲ୍ୟ ୬୫,୮୩,୨୧୫ ଟଙ୍କା) , ୩୦ ହଜାର ଟଙ୍କା ମୂଲ୍ୟର ହିରୋ ଗ୍ଲେମର ମୋଟରସାଇକଲ, ସାଢେ ୫ ଲକ୍ଷ ଟଙ୍କା ମୂଲ୍ୟର କାର, ୪ଲକ୍ଷ ୬୮ ହଜାର ଟଙ୍କା ମୂଲ୍ୟର ଆସବାବପତ୍ର, ସାଢେ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା, ବନପାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ୨ଲକ୍ଷ ୮୯୨୩ ଟଙ୍କା ଜମା, ଡାକଘର, କିଷାନ ବିକାଶ ପତ୍ର ଓ ଅନ୍ୟାନ୍ୟ ବାବଦରେ ୭ଲକ୍ଷ ୮୮୨୪ ଟଙ୍କା ଜମା, ନଗର ୨୬,୧୯୦ ଟଙ୍କା ଠାବ ହୋଇଛି।
ଦୁଇ ହଜାର ମସିହାରେ ଚାନ୍ଦିପୁଟ ବନ ବିଟ ହାଉସରେ ବନରକ୍ଷୀ ଭାବେ କାର୍ଯ୍ୟାରମ୍ଭ କରିଥିବା ଗଣେଶ ପ୍ରଧାନ ସମ୍ପ୍ରତି ନୂଆଗଡ ବନପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ଆଉ କେଉଁ କେଉଁ ସ୍ଥାନରେ ତାଙ୍କର ସମ୍ପତ୍ତି ରହିଛି ତାହାର ତଦନ୍ତ ଜାରି ରହିଛି। ନୂଆଗଡରୁ ଦୁର୍ନୀତି ନିବାରଣ ବିଭାଗ ଗଣେଶ ପ୍ରଧାନଙ୍କୁ ଉଠାଇ ନେଇଥିବା ସୂଚନା ମିଳିିଛି।

Comments are closed.