ଅନିଶ୍ଚିତତାରେ ବିଧାନ ପରିଷଦ ଗଠନ

ବଦଳୁଛି ରାଜ୍ୟ ରାଜନୀତି

ଆଶଙ୍କାରେ ଫୋକସ ଷ୍ଟେଟ ମାନ୍ୟତା ଓ କୋଇଲା ରୟାଲଟି ସଂଶୋଧନ ପ୍ରସଙ୍ଗ

ନୂଆଦିଲ୍ଲୀ : କୃଷି ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବା ନିମନ୍ତେ ରାଜ୍ୟସଭାରେ ବିଜେଡିର ପ୍ରସ୍ତାବ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି। ହଠାତ୍‍ କାହିଁକି କୃଷି ବିଧେୟକକୁ ସମର୍ଥନ କରିବା ପ୍ରସଙ୍ଗରେ ବିଜେଡି ପଛଘୁଞ୍ଚା ଦେଲା ତାହାର କାରଣ ଖୋଜୁଛିନ୍ତି ବିଜେପିର ଶୀର୍ଷନେତୃତ୍ୱ। ଯେତେବେଳେ ସଂସଦରେ ଏନଡିଏ ସରକାରଙ୍କୁ ବିଜେଡିର ସମର୍ଥନ ନିହାତି ଜରୁରୀ ଥିଲା ଠିକ୍‍ ସେତିକି ବେଳେ ରାଜ୍ୟସଭାରେ ହାତ ପଛକୁ କରି ନେଲା ଦଳ। ଉପରକୁ ବିଶେଷ ଭାବେ ଜଣାପଡ଼ୁନଥିଲେ ମଧ୍ୟ ଭିତରେ ଭିତରେ ବିଜେପି-ବିଜେପି ମଧ୍ୟରେ ପରପ୍ସର ପ୍ରତି ଅବିଶ୍ୱାସ କୁହୁଳୁଛି। ଆଗାମୀ ଦିନରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଉଭୟ ଦଳ ମଧ୍ୟରେ ସଂପର୍କର ଫାଟକୁ ଅଧିକ ବଢ଼ାଇ ଦେବା ସମ୍ଭାବନା ରହିଛି।
ଉଭୟ ରାଜନୈତିକ ଦଳ ମଧ୍ୟରେ ତିକ୍ତତା ବଢ଼ିଲେ ରାଜ୍ୟରେ ବିଧାନ ପରିଷଦ ଗଠନ, ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା, କୋଇଲା ରୟାଲଟି ସଂଶୋଧନ ଆଦି ବିଜେଡିର ଦାବି ନିଶ୍ଚିତ ଭାବେ ପ୍ରଭାବିତ ହେବ। ରାଜ୍ୟରେ ବିଜେଡି ପତିଆରା କମ୍‍ କରିବାକୁ କେନ୍ଦ୍ରର ଏନଡିଏ ସରକାର ଯଥାସମ୍ଭବ ଉଦ୍ୟମ କରିବେ। ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ବିଧାନସଭା ଗତ ୬ ସେପ୍‍ଟେମ୍ବର ୨୦୧୮ରେ ସଂକଳ୍ପ ପାରିତ କରିଥିଲା। ମୁଖ୍ୟତଃ ବିଧାନ ପରିଷଦ ମାଧ୍ୟମରେ ଅଧିକ ସଂଖ୍ୟକ ରାଜନେତାଙ୍କୁ ସୁଯୋଗ ଦେବା ଶାସକ ବିଜେଡି ଦଳର ଉଦ୍ଦେଶ୍ୟ ରହିଥିଲା। କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ବିଜେପି-ବିଜେଡି ସୁସଂପର୍କ କାରଣରୁ ସଂସଦରେ ଓଡ଼ିଶା ବିଧାନ ପରିଷଦ ବିଧେୟକ ସହଜରେ ପାରିତ ହୋଇଯିବା ସମ୍ଭାବନା ମଧ୍ୟ ଦେଖା ଦେଇଥିଲା। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ ନିକଟ ଭବିଷ୍ୟତରେ ସଂସଦରେ ଉପସ୍ଥାପିତ ହେବା ଭଳି ଲାଗୁ ନାହିଁ। ସଂସଦର ପ୍ରତ୍ୟେକ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ ଆଣିବା ପାଇଁ ବିଜେଡି ତରଫରୁ ଉଦ୍ୟମ ହେଉଥିଲା। ସର୍ବଦଳୀୟ ବୈଠକରେ ଏବଂ ଅନ୍ୟାନ୍ୟ ଫୋରମରେ ଏହି ପ୍ରସଙ୍ଗକୁ ଦଳୀୟ ସାଂସଦ ବାରମ୍ବାର ଉପସ୍ଥାପନା କରୁଥିଲେ। ଏପରିକି ଗତ ଡିସେମ୍ବର ୧୦ରେ ନାଗରିକତା ଆଇନ ସଂଶୋଧନ ବିଧେୟକକୁ ପାରିତ କରିବା ପାଇଁ ବିଜେଡି ସାଂସଦଙ୍କ ସହ ରୁଦ୍ଧଦ୍ୱାର ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗକୁ ସମର୍ଥନ କରି ଖୁବ୍‍ଶ୍ରୀଘ୍ର ସଂସଦରେ ପ୍ରସ୍ତାବ ଉପସ୍ଥାପିତ କରାଯିବ ବୋଲି ଭରସା ଦେଇଥିଲେ। ସେହିଭଳି ଗତ ଦେଢ଼ ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ସାଂସଦମାନେ ଦିଲ୍ଳୀ ଦରବାରରେ ଲଗାତାର ଭାବେ ଦାବି ଉପସ୍ଥାପନ କରୁଥିଲେ। ବିଜେପି-ବିଜେଡି ଲଢ଼େଇରେ ଫୋକସ ଷ୍ଟେଟ ମାନ୍ୟତା ପ୍ରସଙ୍ଗ ମଧ୍ୟ ଧୋଇ ଯିବାର ସମ୍ଭାବନା ଦେଖାଦେଇଛି। କୋଇଲା ରୟାଲଟି ବୃଦ୍ଧି ସମେତ ରାଜ୍ୟର ଅଂଶ ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବଢ଼ାଇବା ପାଇଁ ବିଜେଡି ୨୦୧୪ରୁ ଦାବି କରିଆସୁଛି। ୨୦୧୨ରେ ଶେଷଥର କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିଥିଲେ। କୋଇଲା ରୟାଲଟି ସଂଶୋଧନ କରିବାକୁ କେନ୍ଦ୍ର ସରକାର ଗଠନ କରିଥିବା ଷ୍ଟଡ଼ି ଗ୍ରୁପ ଇତିମଧ୍ୟରେ ରିପୋର୍ଟ ପ୍ରଦାନ କରିସାରିଛି। ଯାହା ଜଣାପଡ଼ୁଛି ବିଜେପି-ବିଜେଡି ଲଢ଼େଇରେ କୋଇଲା ରୟାଲଟି ସଂଶୋଧନ ପ୍ରସଙ୍ଗ ନିଶ୍ଚିତ ଭାବେ ପ୍ରଭାବିତ ହେବ। ବିଧାନ ପରିଷଦ ଗଠନ ଦ୍ୱାରା ବିଜେଡି ରାଜନୈତିକ ସ୍ତରରେ ଏବଂ ଫୋକସ ଷ୍ଟେଟ ମାନ୍ୟତା ଓ କୋଇଲା ରୟାଲଟି ସଂଶୋଧନ ଦ୍ୱାରା ରାଜ୍ୟର ବିଜେଡି ନେତୃତ୍ୱାଧୀନ ସରକାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଥାନ୍ତା। ଏଣିକି ବିଧାନ ପରିଷଦ ଗଠନ ପ୍ରସ୍ତାବ ସଂସଦରେ ପାରିତ କରି ଓଡ଼ିଶା ରାଜନୀତିରେ ବିଜେଡିକୁ ଅଧିକ ମଜଭୁତ କରିବାକୁ ଚାହିଁବେ ନାହିଁ ବିଜେପିର ଶୀର୍ଷ ନେତୃତ୍ୱ। ସେଭଳି ଫୋକସ ଷ୍ଟେଟ ମାନ୍ୟତା ଓ କୋଇଲା ରାୟାଲଟି ସଂଶୋଧନ କରି ରାଜ୍ୟକୁ ଅଧିକ ଆର୍ଥିକ ଅନୁଦାନ ଓ ଆର୍ଥିକ କ୍ଷମତା ଦେବାକୁ କେନ୍ଦ୍ରର ଏନଡିଏ ସରକାର ଚାହିଁବେ ନାହିଁ। କରୋନା କାଳରେ ଆର୍ଥିକ ଚାପ ମଧ୍ୟ ଦେଇ ଗତି କରୁଥିବା ଓଡ଼ିଶାର ଅର୍ଥନୀତିକୁ ସଜାଡ଼ିବା ପାଇଁ ଅଧିକ କେନ୍ଦ୍ରୀୟ ସହାୟତାର ଆବଶ୍ୟକତା ରହିଛି। ମାତ୍ର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ପୂର୍ବଭଳି କେନ୍ଦ୍ରୀୟ ଅନୁଦାନ ମିଳିବା ସମ୍ଭାବନା ଯଥେଷ୍ଟ କମ୍‍ ରହିଛି। କେନ୍ଦ୍ରୀୟ ଅନୁଦାନ କମିଲେ ବିଜେଡି ସରକାର ଆର୍ଥିକ ଚାପର ସମ୍ମୁଖୀନ ହେବେ ଏବଂ ରାଜ୍ୟର ଆର୍ଥିକ ଗଣିତ ବିଗିଡ଼ି ଯିବ। ଯଦି ଏପରି ଘଟେ ସେଭଳି ସ୍ଥିତିରେ ଆଗାମୀ ଦିନରେ ବିଜେଡିର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ପୁଣିଥରେ ରାଜ୍ୟବାସୀଙ୍କୁ ଶୁଣିବାକୁ ମିଳିବ।
ସିଲେକ୍ଟ କମିଟିକୁ କୃଷି ବିଧେୟକକୁ ପଠାଇବା ପାଇଁ ବିଜେଡି ରଣନୀତିର କୁପ୍ରଭାବ ବିଷୟରେ ଦଳୀୟ ନେତୃତ୍ୱ ଖୁବ୍‍ ଭଲ ଭାବେ ଆକଳନ କରିସାରିଲେଣି। ବିଜେଡି ରାଜ୍ୟସଭାରେ କୃଷି ବିଧେୟକକୁ ବିରୋଧ କରିଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏପର୍ଯ୍ୟନ୍ତ ବିରୋଧ କରି ଆନ୍ଦୋଳନ କରିନାହିଁ ଅଥବା କୃଷି ବିଲ୍‍ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଇ ନାହିଁ। ବିଜେପି ସହ ସିଧାସଳଖ ଲଢ଼େଇ କରିବାକୁ ଚାହୁଁ ନାହିଁ ବୋଲି ବିଜେଡି ପରୋକ୍ଷରେ ଇଙ୍ଗିତ ଦେଇ ସାରିଲାଣି। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱ କିଭଳି ଭାବେ ବିଜେଡିର ପରିବର୍ତ୍ତିତ ମନୋଭାବକୁ ଗ୍ରହଣ କରିବେ ତାହା ସମୟ କହିବ ଏବଂ ବିଜେପିର ପ୍ରତିଜବାବ ରାଜନୈତିକ ଲଢ଼େଇର ପରବର୍ତ୍ତୀ ଦିଗକୁ ନିର୍ଦ୍ଧାରଣ କରିବ।

Comments are closed.