କବିତା ସମଗ୍ର ବିଶ୍ଵକୁ ପରିବର୍ତ୍ତନ କରିପାରିବ: ଉପରାଷ୍ଟ୍ରପତି

ଭୁବନେଶ୍ଵର: ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ। କବିତା ଜରିଆରେ ଶାନ୍ତି ଓ ଖୁସି ଆସିପାରିବ। କବିତା ସମଗ୍ର ବିଶ୍ଵକୁ ପରିବର୍ତ୍ତନ କରିପାରିବ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ। କିଟ୍‌ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ଵ କବି ମହାକୁମ୍ଭର ଉଦଯାପନୀ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି।

ପ୍ରାରମ୍ଭରେ ଉପରାଷ୍ଟ୍ରପତି ଓଡ଼ିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଓଡ଼ିଶା ଭଳି ଏକ ସୁନ୍ଦର ଓ ଐତିହାସିକ ରାଜ୍ୟକୁ ଆସି ମୁଁ ବହୁତ ଖୁସି। ଆଧ୍ୟାତ୍ମିକତା ପାଇଁ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ରହିଛି। ବିଶ୍ଵ କବି ମହାକୁମ୍ଭରେ ଯୋଗଦେଇ ନିଜକୁ ଗର୍ବ ଅନୁଭବ କରୁଛି। ମୁଁ କବି ନୁହେଁ, ମାତ୍ର ମୋ ହୃଦୟରେ କବିତା ରହିଛି। ଶାନ୍ତିପୂର୍ଣ୍ଣ ସମାଜ ପାଇଁ ବିକାଶ ଆବଶ୍ୟକ। କବିତା ଜରିଆରେ ଶାନ୍ତି ଓ ଖୁସି ଆସିପାରିବ। ମଣିଷ ଭାବାବେଗ ପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ ହେଉଛି କବିତା। ସେ ଆହୁରି କହିଥିଲେ, ସାରା ବିଶ୍ଵ ହେଉଛି ଗୋଟିଏ ପରିବାର। ଗୋଟିଏ ସମୟରେ ଭାରତ ବିଶ୍ଵ ଗୁରୁ ଥିଲା। ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦାରେ ଅଧ୍ୟୟନ କରୁଥିଲେ। ସବୁ ଭାଷା ସମ୍ମାନୀୟ, କିନ୍ତୁ ମାତୃଭାଷାର ଗୁରୁତ୍ଵ ଅଧିକ। ତେଣୁ ପରମ୍ପରା ଓ ମୂଲ୍ୟବୋଧକୁ ବଞ୍ଚାଇ ରକିବାକୁ ଯୁବପିଢ଼ିଙ୍କୁ ଉପରାଷ୍ଟ୍ରପତି ଆହ୍ବାନ କରିଥିଲେ।

Comments are closed.