ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଆଲୋଚନା କଲେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି

ଜୟପୁର : କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମ କୋରାପୁଟ ଏବଂ ଜୟପୁରରେ ରହୁଥିବା ଟର୍ମିନାଲ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ଘରକୁ ଯାଇ ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ସେ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କ ଦ୍ବାରା ପ୍ରଦାନ କରା ଯାଇଥିବା ଆତିଥ୍ୟତା ଓ ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାରର ଗହଣରେ କିଛି ସମୟ ଅତିବାହିତ କରି ସେ ବେଶ ଆତ୍ମସନ୍ତୋଷ ଲାଭ କରିଥିଲେ। କିଛି ଛାତ୍ରଛାତ୍ରୀ ନିଜ ଅଞ୍ଚଳରେ ମୌଳିକ ସୁବିଧା ଅଭାବରୁ ଘରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କୋରୋନା ମହାମାରୀ ସେମାନଙ୍କ ଜୀବନ ଓ ସାମାଜିକ ଅବସ୍ଥାକୁ ଆହୁରି ଦୁର୍ବିସହ କରିଦେଇଛି ବୋଲି ସେ ଅନୁଭବ କରିଛନ୍ତି।