ଆନ୍ତର୍ଜାତିକ କ୍ରିକେଟ୍‌ରୁ ଫିଲାଣ୍ଡରଙ୍କ ଅବସର ଘୋଷଣା

ଜୋହାନସବର୍ଗ : ତାଙ୍କର ଦୁଇ ସାଥୀ ପେସ୍ ବୋଲର ମର୍ନେ ମର୍କେଲ ଓ ଡେଲ୍‌ ଷ୍ଟେନ୍‌ଙ୍କ ପଦାଙ୍କ ଅନୁସରଣ କରି ଦକ୍ଷିଣ ଆଫ୍ରିକାର ଭର୍ଣ୍ଣନ ଫିଲାଣ୍ଡର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଆସନ୍ତା ଟେଷ୍ଟ ସିରିଜ୍‌ ଫିଲାଣ୍ଡରଙ୍କର ଅନ୍ତିମ ସିରିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ସିରିଜ୍ ସହ ୩୪ ବର୍ଷ ବୟସ୍କ ଫିଲାଣ୍ଡରଙ୍କ ୧୨ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନର ଅନ୍ତଃ ଘଟିବ। ଫିଲାଣ୍ଡର ୩ଟିଯାକ ଫର୍ମାଟରେ ଦକ୍ଷିଣ ଆଫ୍ରିକା ଦଳର ପ୍ରତିନିଧିତ୍ବ କରିଥିବା ବେଳେ ଟେଷ୍ଟ କ୍ରିକେଟ୍‌ରେ ତାଙ୍କୁ ବହୁତ ସଫଳତା ମିଳିଥିଲା।
ଜଣେ ସ୍ବିଙ୍ଗ୍‌ ବୋଲର ଭାବେ ପରିଚିତ ଫିଲାଣ୍ଡର ଅଦ୍ୟାବଧି ୬୦ଟି ଟେଷ୍ଟମ୍ୟାଚ୍ ଖେଳି ୨୧୬ଟି ୱିକେଟ ନେଇଛନ୍ତି। ସେ ଏକ ଇନିଂସରେ ୧୩ଥର ୫ କିମ୍ବା ଅଧିକ ୱିକେଟ ଏବଂ ଗୋଟିଏ ମ୍ୟାଚ୍‌ରେ ୨ ଥର ୧୦ କିମ୍ବା ଅଧିକ ୱିକେଟ ନେଇଛନ୍ତି। ତାଙ୍କର ଟେଷ୍ଟ ବୋଲିଂ ଆଭ୍‌ରେଜ୍ ୨୨.୧୬ ବେଶ୍ ପ୍ରଭାବଶାଳୀ। ଏହା ତୁଳନାରେ ଦିନିକିଆ ଓ ଟ୍ବେଣ୍ଟି୨୦ କ୍ରିକେଟ୍‌​‌େ​‌ର ଭର୍ନନ ଫିଲାଣ୍ଡରଙ୍କୁ କମ୍ ସଫଳତା ମିଳିଛି। ୨୦୧୫ ପରଠାରୁ ଫିଲାଣ୍ଡର ଦିନିକିଆ କ୍ରିକେଟ ଖେଳିନାହାନ୍ତି। ୮ ବର୍ଷରେ ମୋଟ ୩୦ଟି ଦିନିକିଆ ମ୍ୟାଚ୍ ଖେଳି ୪୧ଟି ୱିକେଟ ନେଇଛନ୍ତି। ପୁଣି ୨୦୦୭ରେ ଫିଲାଣ୍ଡର ମୋଟ ୭ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ୪ଟି ୱିକେଟ ନେଇଛନ୍ତି। ଗତ ୧ ଦଶନ୍ଧି ଧରି ଡେଲ୍‌ ଷ୍ଟେନ୍ ଓ ମର୍ନେ ମର୍କେଲଙ୍କ ସହ ମିଶି ଭର୍ନନ ଫିଲାଣ୍ଡର ଦକ୍ଷିଣ ଆଫ୍ରିକା ଟେଷ୍ଟ ଆକ୍ରମଣର ନେତୃତ୍ବ ନେଇଥିଲେ। ତାଙ୍କ ବୋଲିଂରେ ଷ୍ଟେନ୍ ଓ ମର୍କେଲଙ୍କ ପରି ଗତି ନଥିଲେ ହେଁ ସ୍ବିଙ୍ଗ୍ ଦ୍ବାରା ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଥିଲେ। ୨୦୧୧ରେ ଭର୍ନନ ଫିଲାଣ୍ଡର ଟେଷ୍ଟ ଜୀବନର ଆରମ୍ଭ କରିଥିବା ବେଳେ ତାଙ୍କର ପ୍ରଥମ ୭ଟି ଟେଷ୍ଟମ୍ୟାଚ୍‌ରେ ରେକର୍ଡ ୫୧ଟି ୱିକେଟ ନେଇଥିଲେ। ଫଳତଃ ଫିଲାଣ୍ଡରଙ୍କୁ ୨୦୧୨ ବର୍ଷ ଲାଗି ଦକ୍ଷିଣ ଆଫ୍ରିକାର କ୍ରିକେଟର ଅଫ୍ ଦି ଇୟର୍ ପୁରସ୍କାର ମିଳିଥିଲା। ବେଶ୍ କିଛି ବର୍ଷ ଲାଗି ଫିଲାଣ୍ଡର ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିଥିଲେ। ଫିଲାଣ୍ଡର ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍ ଏବଂ ୨୦୧୫ ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ଖେଳିଥିଲେ। ଗତ ୧ ବର୍ଷ ହେଲା ଫିଲାଣ୍ଡରଙ୍କ ଫିଟ୍‌ନେସ୍ ନେଇ ବହୁ ପୂର୍ବତନ କ୍ରିକେଟର ପ୍ରଶ୍ନବାଚୀ ଉଠାଇଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପରେ ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ ବୋଲି ଫିଲାଣ୍ଡର ସୋମବାର ଘୋଷଣା କରିବା ସହ ଦକ୍ଷିଣ ଅାଫ୍ରିକା କ୍ରିକେଟ ବୋର୍ଡ, ସାଥୀ ଖେଳାଳି ଓ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Comments are closed.