ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ବୀର ଚକ୍ର ସମ୍ମାନ

ଏୟାର ମାର୍ଶାଲ ଦିଲୀପ ପଟନାୟକଙ୍କୁ ଅତି ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ: ଗ୍ରୁପ୍‍ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ସୋମବାର ଦିନ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀର ଚକ୍ର ଉପାଧିରେ ସମ୍ମାନିତ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୯ ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନର ଏକ ଏଫ-୧୬ ଲଢୁଆ ବିମାନକୁ ତତ୍କାଳୀନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ମାରି ଖସାଇ ଦେଇଥିଲେ । ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ଆକାଶ ମାର୍ଗରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଅଭିନନ୍ଦନ ପାକିସ୍ତାନର ଏକ ବିମାନକୁ ଖସାଇ ଦେଇଥିଲେ । ଚଳିତ ବର୍ଷ ନଭେମ୍ବର ୩ ତାରିଖରେ ତାଙ୍କୁ ଗ୍ରୁପ କ୍ୟାପଟେନ ପଦବୀକୁ ଉନ୍ନୀତ କରାଯାଇଥିଲା । ସରକାରୀ ରିପୋର୍ଟ ଅନୁଯାୟୀ ଏହି ଘଟଣା ପରେ ବର୍ତମାନଙ୍କର ମିଗ-୨୧ ବିମାନକୁ ପାକିସ୍ତାନୀ ସେନା ମାରି ଖସାଇ ଦେଇଥିଲେ । ବିମାନଟି ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ମଧ୍ୟରେ ପଡିବା ପରେ ପାକିସ୍ତାନି ସେନା ଅଭିନନ୍ଦନଙ୍କୁ ଧରିନେଇଥିଲେ । ପରେ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦ ଉପରେ କୂଟନୈତିକ ଚାପ ପକାଯିବା ପରେ ଅଭିନନ୍ଦନଙ୍କୁ ମୁକ୍ତ କରାଯାଇଥିଲା । ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାର ସବୁଠାରୁ ଚର୍ଚ୍ଚିତ ଅଧିକାରୀ ସପ୍ପର ପ୍ରକାଶ ଯାଦବଙ୍କୁ କୀର୍ତ୍ତି ଚକ୍ର ସମ୍ମାନ ମରଣୋତ୍ତର ଭାବରେ ପ୍ରଦାନ କରାଯାଇଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ସଂହାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିଭଳି ମେଜର ବିଭୂତି ଶଙ୍କର ଧୁନ୍ଦିୟାଲଙ୍କୁ ମରଣୋତ୍ତର ଭାବରେ ସୌର୍ଯ୍ୟ ଚକ୍ର ଏବଂ ନାଏବ ସୁବେଦାର ସୋମବୀରଙ୍କୁ ମରଣୋତ୍ତର ଭାବରେ ସୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା । ପୂର୍ବାଞ୍ଚଳ ଏୟାର କମାଣ୍ଡର ଏୟାର ମାର୍ଶାଲ ଦିଲୀପ ପଟନାୟକଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା ।

Comments are closed.