ଜିହ୍ୱା ଅନେକ ପ୍ରକାରର କର୍କଟ ରୋଗରେ ଆକ୍ରାନ୍ତ ହୋଇପାରେ

ଭୁବନେଶ୍ୱର: ଜିହ୍ୱା କର୍କଟ ବା ଜିଭରେ ହେଉଥିବା କର୍କଟ ରୋଗ ଜିଭ କୋଷରେ ଆରମ୍ଭ ହୋଇଥାଏ । ଜିଭକୁ ଅନେକ ପ୍ରକାରର କର୍କଟ ରୋଗ ଆକ୍ରାନ୍ତ କରିପାରେ । କିନ୍ତୁ ଜିଭ କର୍କଟ ମୁଖ୍ୟତଃ ପତଳା, ଚଟକା ସ୍କ୍ୱାମସ କୋଷଗୁଡିକରେ ଆରମ୍ଭ ହୁଏ ଏବଂ ଏହା ଜିଭର ପୃଷ୍ଠଭାଗରେ ପ୍ରଥମେ ସଂକ୍ରମିତ ହୋଇଥାଏ । ଜିଭର ପୃଷ୍ଠଭାଗରେ ଯଦି କିଛି ପରିବର୍ତ୍ତନ ଦେଖାଯାଏ ତେବେ କାଳବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରାଯିବା ଆବଶ୍ୟକ । ପ୍ରାଥମିକ ଅବସ୍ଥାରୁ ଜିଭ କର୍କଟରେ ଆକ୍ରାନ୍ତ ଲୋକମାନେ ତାହାର ଚିକିତ୍ସା ନକଲେ ତାହା ଭୟଙ୍କର ରୂପ ନେବା ଆଶଙ୍କା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର କର୍କଟ ରୋଗ ବିଶେଷଜ୍ଞ ଡା.ସରୋଜ ମଜୁମଦାର ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ଜିଭ କର୍କଟକୁ ପ୍ରଥମରୁ ଚିକିତ୍ସା କରାନଗଲେ କାଳକ୍ରମେ ତାହା ଟୁ୍ୟମର ରୂପ ନେଇ ବଢିବା ସହିତ ବେକରେ ଥିବା ଲସିକା ଗ୍ରନ୍ଧିକୁ ଆକ୍ରାନ୍ତ କରି ଜଟିଳ ରୂପ ଧାରଣ କରିଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ଜଟିଳ ହୋଇ ଜୀବନ ହାନି କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଜିଭ ମୂଳରେ ଥିବା କର୍କଟ ମାନବ ପାପିଲୋମାଭାଇରସ ସହିତ ଜଡିତ, ଯାହା କର୍କଟ ରୋଗର ପୂର୍ବାନୁମାନ ଏବଂ ଚିକିତ୍ସା ଉପରେ ଗଭୀର ପ୍ରଭାବ ପକାଇଥାଏ । ଜିଭ କର୍କଟ ଚିକିତ୍ସା ସାଧାରଣତଃ କେମୋଥେରାପି, ବିକିରଣ ଚିକିତ୍ସା ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧ ଦ୍ୱାରା କରାଯାଇଥାଏ । ଜିଭ କର୍କଟ ଜଟିଳ ରୂପନେଲେ ଜଣେ ଖାଇବାରେ କଷ୍ଟ ଅନୁଭବ କରନ୍ତି ।
ଏହି ରୋଗ ସାଧାରଣତଃ ବୟସ୍କ ଲୋକଙ୍କ ଠାରେ ଅଧିକ ପରିଲକ୍ଷିତ ହୋଇଥାଏ । ବିଶେଷକରି ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ଏହା ଅଧିକ ଦେଖାଯାଏ । ଏବେ ଅବଶ୍ୟ ଯୁବବର୍ଗଙ୍କ କ୍ଷେତ୍ରରେ ମଧ୍ୟ ଏହା କିଛିମାତ୍ରାରେ ଦେଖାଯାଉଛି । ଧୂମପାନ ଓ ମଦ୍ୟପାନ, ତମାଖୁ ସେବନ ଆଦି ଜିଭ କର୍କଟର ମୁଖ୍ୟ କାରଣ ଭାବରେ ବିବେଚନା କରାଯାଉଛି । ଧୂମପାନ ଓ ତମାଖୁ ସେବନ କରୁନଥିବା ଲୋକଙ୍କ ତୁଳନାରେ ଏସବୁ ସେବନ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହି କର୍କଟ ୫ଗୁଣ ଅଧିକ ପରିଲକ୍ଷିତ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଆମ ଏସିଆ ମହାଦେଶ ତୁଳନାରେ ଆଫ୍ରିକା ଓ ଆମେରିକା ନାଗରିକଙ୍କ ଠାରେ ଜିଭ କର୍କଟ ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଛି । ଜିଭର ପୃଷ୍ଠଭୂମି ଯଦି ଲାଲ କିମ୍ବା ଗୋଲାପି ଦେଖାଯାଏ ଏବଂ ସେଥିରୁ ରକ୍ତ କ୍ଷରଣ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରାଯିବା ଉଚିତ । ତାହା ଜିଭ କର୍କଟର ପ୍ରାଥମିକ ସ୍ଥିତି ହୋଇଥାଏ । ଖାଦ୍ୟ ଚୋବାଇବାରେ କଷ୍ଟ ଅନୁଭବ କରିବା ଓ ସ୍ୱାଦ ବାରିବାରେ ସମସ୍ୟା ଦେଖାଦେଲେ ତାହା ମଧ୍ୟ ଜିଭ କର୍କଟର ଲକ୍ଷଣ ହୋଇପାରେ । ଏଭଳି ରୋଗରେ ଜଣଙ୍କର ସ୍ୱର ମଧ୍ୟ ବଦଳିଯାଏ । ଏହାର ଚିକିତ୍ସା ପଦ୍ଧତି ମଧ୍ୟ ସରଳ । ତେବେ ଏହା ଯେଭଳି ନହେବ, ସେଥିପାଇଁ ତମାଖୁ, ଗୁଟଖା, ମଦ୍ୟପାନ, ଧୂମପାନରୁ ସମସ୍ତେ ବିରତ ରହିବା ଉଚିତ ।

Comments are closed.