ସରିଲା ଅଷ୍ଟମ ‘ଧ୍ୱନି’ ଭିନ୍ନକ୍ଷମ ବୃତଚିତ୍ର ଉତ୍ସବ, ୧ ମିନିଟ ବର୍ଗରେ ‘ଦ ସେଫ୍ ହ୍ୟାଣ୍ଡ୍’ ଏବଂ ୫ ମିନିଟ ବର୍ଗରେ ‘ଆର୍ଟ ଅଫ୍ ଏବିଲିଟି’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ

ଭୁବନେଶ୍ୱର: ଆଜି ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ଦୁଇଦିନିଆ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବର ‘ଧ୍ୱନି’ର ଉଦ୍ୟାପନୀ ଦିବସରେ ୧ ମିନିଟ ବର୍ଗରେ ସୁରଜ ପଟ୍ଟନାୟକଙ୍କ ‘ଦ ସେଫ୍ ହ୍ୟାଣ୍ଡ୍’ ଏବଂ ୫ ମିନିଟ ବର୍ଗରେ ହରିଶ ମହାନ୍ତିଙ୍କ ଦ୍ୱାରା ନିର୍ମିତ ବିଖ୍ୟାତ କାର୍ଟୁନିଷ୍ଟ କେକେ ରଥଙ୍କ ଜୀବନୀ ଆଧାରିତ ବୃତଚିତ୍ର ‘ଆର୍ଟ ଅଫ୍ ଏବିଲିଟି’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଶରତ ପୂଜାରୀ ସ୍ମାରକୀ ପୁରସ୍କାର ଲାଭ କରିବାକୁ ବିବେଚିତ ହୋଇଛି। ସେହିପରି ଶ୍ରେଷ୍ଠ ସିନେମାଟୋଗ୍ରାଫି ସକାଶେ ‘ଦ ରାଇଟ ଇମେଜ୍’ର ନିର୍ମାତା ସେକ୍ ଗୁଲଜାର ହୁସେନ୍‌ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।
ପ୍ରାତଃ ଅଧିବେଶନରେ ପ୍ରେମ, ସହଯୋଗିତା ଏବଂ ଭିନ୍ନକ୍ଷମତା ଶୀର୍ଷକ ଖୋଲା ବିତର୍କରେ ବିଖ୍ୟାତ ଲେଖିକା ତଥା ବୃତଚିତ୍ର ନିର୍ମାତ୍ରୀ ଡଃ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସଞ୍ଚାଳନରେ ଧ୍ୱନି ଉତ୍ସବର ନିର୍ଦେଶକ ଜିତେନ୍ଦ୍ର ବିଶ୍ୱାଳ, ବରିଷ୍ଠ ଅଧିବକ୍ତା ଆଭା କ୍ଷେତ୍ରପାଳ, ଅଧିବକ୍ତା ସାଇଷ୍ଟା, ଏବଂ ଭିନ୍ନକ୍ଷମଙ୍କ କଲ୍ୟାଣରେ ଉତ୍ସର୍ଗିର୍ତ ଆନ୍ନୀ ପତ୍ରୀ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ।

ବିଶିଷ୍ଟ ସଂଗୀତଜ୍ଞ ଅଭିଜିତ୍ ମଜୁମଦାରଙ୍କ ନିର୍ଦ୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ସାଙ୍କେତିକ ଭାଷାରେ ହୃଦୟସ୍ପର୍ଶୀ ପରିବେଷଣ କରାଯାଇଥିଲା। ଏଥିରେ ସାଙ୍କେତିକ ଭାଷା ଅନୁବାଦକ ପ୍ରମୋଦ ମହାପାତ୍ର, ସୋହିନୀ ମିଶ୍ର, ବିଷ୍ଣୁମୋହନ କବି, ଦିଲୀପ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
‘ଆଇନା’ ଦ୍ୱାରା ଆହୂତ ଏହି ଦୁଇଦିନିଆ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ‘ଧ୍ୱନି’ର ଉଦ୍ୟାପନୀ ଦିବସରେ ଆଇନା ସମ୍ପାଦିକା ସ୍ନେହ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ସଡ଼କ ପରିବହନର ସିଏମ୍ଡ଼୍ି ବରିଷ୍ଠ ପୋଲିସ ପ୍ରଶାସକ ଅରୁଣ ବୋଥ୍ରା, ବରିଷ୍ଠ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ଭିନ୍ନକ୍ଷମମାନଙ୍କ ସଚେତନତା ପାଇଁ ଯେକୌଣସି ରକମର ପ୍ରୟାସ ଚାଲିଛି, ସବୁଥିରେ କିଛିନା କିଛି ବାର୍ତ୍ତା ରହୁଛି ଓ ରହିଛି ମଧ୍ୟ। ଏହାହିଁ ସେମାନଙ୍କୁ ଦୃଢ଼ପରିକର କରାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ନିର୍ଦ୍ଦେଶକବୃନ୍ଦଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଳୀପ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.