ଓଡ଼ିଶା ସହିତ ବାଜପେୟୀଙ୍କ ନିବିଡ଼ ସଂପର୍କ : ଜାଣନ୍ତୁ ଓଡ଼ିଶାର ବିକାଶ ପାଇଁ ଅଟଳ ବିହାରୀ ବାଜପେୟୀ ନେଇଥିବା କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ୯୬ତମ ଜନ୍ମଜୟନ୍ତୀ। ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ ।ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସଏସ) ସହ ଜଡିତ ହୋଇ ବାଜପେୟୀ ୧୯୫୫ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ଅନ୍ୟତମ ଥିଲେ। ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ରାଜନୀତିର ପାଠ ପଢିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ୧୯୫୭ ରୁ ୨୦୦୯ ପର୍ଯ୍ୟନ୍ତ ସେ ନ’ ଥର ଲୋକସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ ୫୦ ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ ।

 

ସେ ତିନିଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ । ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ଏଠାରେ ତାଙ୍କ କାର୍ଯ୍ୟକାଳ ମାତ୍ର ୧୩ଦିନର ଥିଲା । ଏହାପରେ ତାଙ୍କର ୨ୟ କାର୍ଯ୍ୟକାଳ ୧୩ ମାସର ରହିଥିଲା । କିନ୍ତୁ ଯେତେବେଳେ ୧୯୯୯ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତବ ହେଲେ, ଏଥର ତାଙ୍କର କାର୍ଯ୍ୟକାଳ ପୁରା କହିଥିଲେ ଅର୍ଥାତ ମାନେ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ତାଙ୍କର ପ୍ରଧାନମନ୍ତ୍ରୀତ୍ବ କାଳରେ ଅଟଳ ବିହାରୀ ବାଜପେୟୀ ଦେଶର ବିକାଶ ପାଇଁ ବହୁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ତେବେ ସେଥିମଧ୍ୟରୁ ଓଡ଼ିଶାର ବିକାଶ ପାଇଁ ଅଟଳଜୀ ନେଇଥିବା କେତେକ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶା ତାଙ୍କୁ ସର୍ବଦା ମନେରଖିବେ। 

୧୯୯୯ ମସିହାର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର। ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଏହା ଥିଲା ଅଟଳଜୀଙ୍କର କାଳଜୟୀ ବାକ୍ୟ। ମହାବାତ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ହେଉ ଅଥବା ମୁଣ୍ଡ ଉପରେ ପକ୍କା ଘର ବା ଦୀର୍ଘମିଆଦି ଭିତ୍ତିଭୂମିର ବିକାଶ- ଏ ସବୁ ପାଇଁ ଅଟଳଜୀଙ୍କ ଯୋଗଦାନ ଚିରସ୍ମରଣୀୟ।

ଓଡ଼ିଶାରେ ଏମ୍ସ ସ୍ଥାପନ ପାଇଁ ଅଟଳଜୀଙ୍କ ପାଖରେ କେହି ଦାବିପତ୍ର ନେଇ ଯାଇନଥିଲେ କିନ୍ତୁ ଓଡ଼ିଶାରେ ସ୍ବାସ୍ଥ୍ୟ ସେବାକୁ ସୁଗମ କରିବା ଉଦେଶ୍ୟରେ ଭୁବନେଶ୍ବରରେ ଏମ୍ସ ପାଇଁ ଘୋଷଣା କରିଥିଲେ। ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଦେଶରେ ଯେଉଁ ଛଅଟି ନୂଆ ଏମ୍ସ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ ସେଥିରେ ଭୁବନେଶ୍ୱରରେ ଏମ୍ସ ସ୍ଥାନ ପାଇଥିଲା  ୨୦୦୩ ଜୁଲାଇ ୧୫ ତାରିଖରେ ସେ ଭୁବନେଶ୍ୱରରେ ଏମ୍ସର ଶିଳାନ୍ୟାସ କରିଥିଲେ ଅଟଳ ବିହାରୀ ବାଜପେୟୀ। ଦିଲ୍ଲୀ ପରେ ଦେଶରେ ପ୍ରଥମ ଏମ୍ସ ଆମ ରାଜ୍ୟରେ ପ୍ରତିଷ୍ଠା ପାଇଁ ଅଟଳଜୀଙ୍କ ନିଷ୍ପତ୍ତି ଓଡ଼ିଶା ପାଇଁ ତାଙ୍କ ଭଲ ପାଇବାର ପ୍ରମାଣ।

ସେହିପରି ସେହି ସମୟରେ ଦେଶର ଏକ ବଡ଼ ପୁଞ୍ଜିନିବେଶ ପ୍ରକଳ୍ପ ପାରାଦ୍ବୀପ ତୈଳ ବିଶୋଧନାଗାର ଅଟଳଜୀଙ୍କର ହିଁ ଓଡ଼ିଶା ପାଇଁ ଅବଦାନ ଥିଲା। ୨୦୦୦ ମଇ ୨୪ ତାରିଖରେ ଅଟଳ ବିହାରୀ ବାଜପେୟୀ ପାରାଦ୍ୱୀପଠାରେ ଭାରତୀୟ ତୈଳ ନିଗମ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହକୁ ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ।

ଏଥି ସହିତ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପୂର୍ବତଟ ରେଳବାଇ ସ୍ୱତନ୍ତ୍ର ରେଳବାଇ ଜୋନର ମାନ୍ୟତା ପାଇବା ସହିତ ଭୁବନେଶ୍ୱରରେ ଏହାର ମୁଖ୍ୟାଳୟ ଖୋଲିଥିଲା।  ପୂର୍ବତଟ ରେଳପଥର ପ୍ରତିଷ୍ଠା ଏବଂ ପାରାଦ୍ୱୀପ-ହରିଦାସପୁର ରେଳପଥ ଯାହା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାକୁ ଯୋଗାଯୋଗ କରୁଛି ତାହା ଅଟଳଜୀଙ୍କର ମାନସ ସନ୍ତାନ।

୧୯୯୮ ମସିହାରେ ଅଟଳଜୀ ଜାତୀୟ ରାଜପଥ ବିକାଶ ପ୍ରକଳ୍ପର ସ୍ଥାପନା କରିଥିଲେ ଏବଂ ଆଜି ଜାତୀୟ ରାଜପଥ ଭାରତର ୪୦ ପ୍ରତିଶତରୁ ଅଧିକ ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରୁଛି। ଅଟଳଜୀଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ ଦେଶର ସର୍ବବୃହତ୍‌ ତଥା ବିଶ୍ୱର ପଞ୍ଚମ ବୃହତ୍‌ ରାଜପଥର ପ୍ରକଳ୍ପ ଭାବେ ସ୍ଥାନିତ ହୋଇଛି। ବାଜପେୟୀଙ୍କ ସ୍ୱପ୍ନର ପରିଯୋଜନା ‘ସୁବର୍ଣ୍ଣ ଚତୁର୍ଭୁଜ’ ଅଧୀନରେ ଓଡ଼ିଶାରେ ପ୍ରାୟ ୪୦୦ କିଲୋମିଟର ରାଜପଥ ନିର୍ମାଣ କରାଯାଇଥିଲା। ଯାହା ବ୍ରହ୍ମପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା। ବାଜପେୟୀ ସରକାର ପୂର୍ବରୁ ଓଡ଼ିଶାରେ କେବଳ ୧୬୮୧ କିମିର ଜାତୀୟ ରାଜପଥ ଥିଲା। ଅଟଳଜୀଙ୍କ ନେତୃତ୍ୱରେ ଏନଡ଼ିଏର ପ୍ରଥମ ୫ ବର୍ଷ ମଧ୍ୟରେ ଓଡ଼ିଶା ଅତିରିକ୍ତ ୧୬୦୦ କି.ମି ଜାତୀୟ ରାଜପଥ ପାଇଥିଲା।୨୦୦୦ ମସିହାର ପ୍ରାରମ୍ଭରୁ ହିଁ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରାୟ ୧.୭ ଲକ୍ଷ ଗ୍ରାମକୁ ସଂଯୋଗ କରିବା ପାଇଁ ୬.୩୮ କିମିରୁ ଊର୍ଦ୍ଧ୍ୱ ରାସ୍ତା ନିର୍ମାଣ କରାଯାଇଛି।

ଜଣେ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ଦେଶର ଜଣେ ପ୍ରବୀଣ ରାଜନେତା, ସାଂସଦ ଓ ବିରୋଧୀଦଳ ନେତା ଭାବରେ ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବା ଥିଲା ଅନନ୍ୟ। ବିରୋଧୀ ଦଳରେ ଥାଇ ସେ ଓଡ଼ିଶାର କେବିକେ ଅଞ୍ଚଳ ବୁଲି ଦେଖିବା ଓ ଲୋକଙ୍କ ଦୁଃଖଦୁର୍ଦିନକୁ ଅଙ୍ଗେ ଅଙ୍ଗେ ଅନୁଭବ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ କେବିକେ ବିକାଶ ପାଇଁ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ଯୋଜନା। ଏହାର ତଦାରଖ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରିଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା।

 

 

Comments are closed.