ସଦ୍‌ଭାବନା ଟିକା

ବୈଶ୍ବିକ ନେତୃତ୍ବର ସମୟ ଆସିଛି

ଦୁନିଆର ସର୍ବବୃହତ୍‌ ଟିକାକରଣ ଅଭିଯାନ ଭାରତରେ ଆରମ୍ଭ ହୋଇଛି। ଦେଶବାସୀଙ୍କ ଆବଶ୍ୟକତା ଅନୁଯାୟୀ ଟିକା ପ୍ରସ୍ତୁତି ସରିଛି। ଏହା ବାଦ୍‌ କେତେକ ପ​‌‌ଡ଼ୋଶୀ ଓ ମିତ୍ର ଦେଶଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ମରିସସ୍‌, ଶ୍ରୀଲଙ୍କା, ଫିଲିପାଇନ୍ସ,ଭୁଟାନ, ନେପାଳ, ବାଂଲାଦେଶ, ସିଚେଲ୍ସ ଓ ମ୍ୟାଁମାରକୁ ଏହି ଟିକା ନିଃଶୁଳ୍କ ପ୍ରଦାନ କରାଯାଇଛି। ଏହା ସଦ୍‌ଭାବନା ଉଦ୍ଦେଶ୍ୟରେ ତଥା ମୈତ୍ରୀ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍‌ କମ୍ପାନୀକୁ ଅତିିରିକ୍ତ ୪୫ ଲକ୍ଷ ଡୋଜ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏହା ବାଦ୍‌ ଭାରତ ବାୟୋଟେକ୍‌ ପକ୍ଷରୁ ସରକାରଙ୍କୁ ୧୬.୫ ଲକ୍ଷ ଟିକା ମାଗଣାରେ ପ୍ରଦାନ କରାଯାଇଛି। ଉପରୋକ୍ତ ଦେଶଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ଖୁରାକ୍‌ ଟିକା ପଠାଯାଇଛି। ଭୁଟାନକୁ ୧.୫ ଲକ୍ଷ ଓ ମାଳଦ୍ବୀପକୁ ୧ ଲକ୍ଷ ଡୋଜ ଟିକା ପଠାଯାଇଛି। ପରେପରେ ପାକିସ୍ତାନ ବ୍ୟତୀତ ଅନ୍ୟ ପଡ଼ୋଶୀ ​‌​‌ଦେଶଗୁଡ଼ିକୁ କରୋନା ଟିକା​‌​‌ ମାଗଣାରେ ପଠାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଟିକା ପେଟିରେ ‘ସ​‌​‌ର୍ବେ ଭବନ୍ତୁ ସୁଖିନଃ’ ଓ ଭାରତବାସୀ ଏବଂ ସରକାର ପକ୍ଷରୁ ମିତ୍ରଦେଶମାନଙ୍କୁ ଏହା ଉପହାର’ ବୋଲି ଲେଖାଯାଇଛି। ଟିକା ବ୍ୟତୀତ କରୋନା ପରି ଜଟିଳ ପରିସ୍ଥିତି ସମୟରେ ଭାରତ ବିଶ୍ବର ୧୫୦ଟି ଦେଶକୁ ବିଭିନ୍ନ ସ୍ବାସ୍ଥ୍ୟ ଉପକ୍ରମ ଯୋଗାଇ ଦେଇଥିଲା। ବିଶେଷକରି ପାରାସିଟାମଲ, ହାଇଡ୍ରୋ​‌େ​‌କ୍ଲାରକୁଇନ ପରି ବଟିକା ଓ ପରୀକ୍ଷଣ ପାଇଁ ବିଭିନ୍ନ ଉପକରଣ ଏକାଧିକ ଦେଶକୁ ଯୋଗାଇ ଦିଆଯାଇଥିଲା। ଭାରତୀୟଙ୍କ ପରି ଅନ୍ୟ ଦେଶର ଲୋକମାନଙ୍କ ବଞ୍ଚିବାର ଅଧିକାର ରହିଛି ବୋଲି ଭାରତ ସରକାର ଉପଲବ୍ଧି କରିଛନ୍ତି। ଭାରତୀୟ ସଂସ୍କୃତିର ମୂଳାଧାର ‘ବସୁ‌େ‌ଧୖବ କୁଟୁମ୍ବକମ୍‌’ ନୀତିକୁ ପାଥେୟ କରି ଭାରତ ସରକାର ମହାମାରୀ ସମୟରେ ବିଶ୍ବବାସୀଙ୍କୁ ସହାୟତା ଯୋଗାଇ ଆସିଛନ୍ତି।
ସମଗ୍ର ବିଶ୍ବବାସୀ ଭାରତଠାରୁ ବେଶ୍‌ କିଛି ଆଶା ରଖନ୍ତି; କାରଣ ଏଠାରେ ସର୍ବବୃହତ୍‌ ଟିକା ପ୍ରସ୍ତୁତି କେନ୍ଦ୍ର ଅଛି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଟିକାକରଣ କିପରି ହେଉଛି ସେଥିପ୍ରତି ସମଗ୍ର ବିଶ୍ବ ନଜର ରଖିଛି। ୧୩୦ କୋଟି ଜନତାଙ୍କ ଉପରେ ପ୍ରୟୋଗ ହେଉଥିବା ଏହି ଟିକା ନିଶ୍ଚିତ ଭରସାଯୋଗ୍ୟ ବୋଲି ବିଶ୍ବର ଅଧିକାଂଶ ରାଷ୍ଟ୍ରଙ୍କ ଧାରଣା। ବ୍ରାଜିଲ ପ୍ରଥମ ରାଷ୍ଟ୍ର ଭାବେ ଭାରତୀୟ ଉପମହାଦେଶରୁ ଟିକା କିଣି ନିଜ ଦେଶବାସୀଙ୍କୁ ଦେଇଛି। ଚୀନ୍‌, ଆମେରିକା, ବ୍ରିଟେନ ଓ ରୁଷ୍‌ ପରି ରାଷ୍ଟ୍ର କରୋନା ଟିକା ପ୍ରସ୍ତୁତ କରିଛନ୍ତି। ତେବେ ଭାରତର ଟିକା ପ୍ରତି ବିଶ୍ବ ସମୁଦାୟର ଆସ୍ଥା ଅତୁଟ। କାରଣ ଯେ କୌଣସି ଟିକା ପ୍ରସ୍ତୁତ ହେଉ ନା କାହିଁକି ତାହା ପ୍ରଥମେ ଭାରତରେ ହିଁ ନିର୍ମିତ ହୋଇଥାଏ। ପୋଲିଓ ହେଉ ଅଥବା ଅନ୍ୟ କୌଣସି ଟିକା, ଭାରତରୁ ପ୍ରସ୍ତୁତ ହୋଇଥିବା କୌଣସି ଟିକା ଏ ପର୍ଯ୍ୟନ୍ତ ବଡ଼ ଧରଣର ବିପଦ ଆଣି ନାହିଁ। ଏଥିପାଇଁ ଭାରତୀୟ ଟିକା ଉପରେ ବିଶ୍ବବାସୀଙ୍କ ନଜର ଅଧିକ। କରୋନାରେ ଜର୍ଜରିତ ଥିବା ବିଶ୍ବ ପାଇଁ ଭାରତ ନୂତନ ଆଶାର ସଞ୍ଚାର କରିଛି। ଏଭଳି ସଙ୍କଟ ସମୟରେ କେତେକ ଦେଶ ନିଜ ନାଗରିକମାନଙ୍କ ଯତ୍ନ ନେବାରେ ଅସୁବିଧା ଭୋଗ କରୁଛନ୍ତି। ଏପରି କ୍ଷେତ୍ରରେ ଭାରତ ନିଜ ଦେଶର ନାଗରିକଙ୍କ ବ୍ୟତୀତ ସମୁଦାୟ ବିଶ୍ବବାସୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପାଦ ଆଗେଇବାରେ ଲାଗିଛି। ଚୀନ୍‌ କିମ୍ବା ଆମେରିକା ପରି ଭାରତ ଟିକା ବ୍ୟବସାୟ କରେ ନାହିଁ ବୋଲି ବିଶ୍ବବାସୀଙ୍କୁ ଜଣାଇ ଦେଇଛି। ନେପାଳ, ଭୁଟାନ ଓ ଶ୍ରୀଲଙ୍କା ପରି ଦେଶ କ୍ଷୁଦ୍ର ହେଲେ ହେଁ ଭାରତୀୟ ଟିକା ଗ୍ରହଣ କରି ଆମ ଦେଶକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଭାରତରେ ଯେତେବେଳେ ଦୁଇଟି ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିଲା ସେତେବେଳକୁ ରୁଷ୍‌, ଚୀନ୍‌ ଓ ବ୍ରିଟେନରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଥିଲା। ଆମର ଦୁଇଟି ଟିକାକୁ ଜରୁୁରୀକାଳୀନ ମଞ୍ଜୁରୀ ଦିଆଯିବା ପୂର୍ବରୁ ରୁଷ୍‌, ଚୀନ୍‌ ଓ ବ୍ରିଟେନର ଟିକା ଅନ୍ତର୍ଜାତୀୟ ବଜାରକୁ ଓହ୍ଲାଇ ସାରିଥିଲା। ଏଥିପ୍ରତି ବିଶ୍ବବାସୀ ସେତେଟା ଧ୍ୟାନ ଦେଇ ନଥିଲେ। ତେବେ ଭାରତ ସରକାର ନିଜ ଦେଶରେ ପ୍ରସ୍ତୁୁତ ହୋଇଥିବା ଦୁଇଟି ଟିକାକୁ ମଞ୍ଜୁର ଦେବା ପରେ ବିଶ୍ବବାସୀଙ୍କ ମନରେ ଆଶାର କିରଣ ଦେଖା ଦେଇଥିଲା। ସମଗ୍ର ବିଶ୍ବ ଭାରତଠାରୁ କିଛି ଚାହେଁ- ଏପରି ଏକ ଭାବନା ସୃଷ୍ଟି ହୋଇଥିଲା। ବିଶ୍ବବାସୀଙ୍କ ଆକାଙ୍‌କ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ବିଭିନ୍ନ ଦେଶକୁ ଟିକା ପଠାଇବାରେ ଲାଗିଛନ୍ତି।

ଟିକା ଆଢୁଆଳେ ଭାରତର ସେପରି କୌଣସି ଅଭିସନ୍ଧି ନାହିଁ। ମିତ୍ର ତଥା ପଡ଼ୋଶୀ ଦେଶମାନଙ୍କୁ ମାଗଣା ଟିକା ପ୍ରଦାନ କରି କୂଟନୈତିକ ସ୍ତରରେ ଚୀନ୍‌କୁ ପରାସ୍ତ କରିଥିବା ସେ ଦେଶର କମ୍ୟୁନିଷ୍ଟ ସରକାର ମନେ କରୁଛନ୍ତି। ଗୋଟିଏ ତୀରରେ ଦୁଇଟି ଶିକାର ପରି ଟିକା ପ୍ରଦାନ ପରେ ବିଭିନ୍ନ ଦେଶ ସହ ଆମର ଅନ୍ତର୍ଜାତୀୟ ସମ୍ପର୍କ ଦୃଢ ହୋଇଛି। ଏହା ବ୍ୟତୀତ ଭାରତର ପତିଆରା ମଧ୍ୟ ବୃଦ୍ଧି ପାଇଛି। ଚୀନ୍‌ର ପ୍ରରୋଚନାରେ ନିକଟରେ ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଓ ମ୍ୟାଁମାର ସହ ଭାରତର ସମ୍ପର୍କ କିଛିଟା ବିଗିଡ଼ି ଯାଇଥିଲା। ଉପରୋକ୍ତ ଦେଶଗୁଡ଼ିକର ଜନତା ଭାରତୀୟମାନଙ୍କୁ ହୀନ ଚକ୍ଷୁରେ ଦେଖିବା ସହ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ଚଳାଇଥିଲେ। ଏବେ ଆଉ ସେ ସମୟ ନାହିଁ। ଭାରତର ଟିକାବାହୀ ଉଡ଼ାଜାହାଜ ସେସବୁ ଦେଶରେ ପହଞ୍ଚିବା କ୍ଷଣି ସମ୍ପୃକ୍ତ ଦେଶର ସରକାର ମୁଖ୍ୟ ଭାରତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ‘ମାନବ ସେବା ହିଁ ମାଧବ ସେବା’-ଏହି ଉକ୍ତିର ସତ୍ୟତା ପ୍ରଦାନ କରିଛନ୍ତି ଭାରତ ସରକାର ା କେବଳ ପରମାଣୁ ବୋମା ଥିଲେ ଯେ ଆମେ ଶକ୍ତିଶାଳୀ ମନେକରିବା ତାହା ନୁହେଁ; ବିଶ୍ବର ଧ୍ୟାନ ଆକର୍ଷଣ କରିବାକୁ ହେଲେ ଆମକୁ ସଭିଙ୍କ ଚିନ୍ତା କରିବାକୁ ପଡ଼ିବ। ଏପରି ହୋଇପାରିଲେ ଆମେ ବିଶ୍ବଗୁରୁୁ ପଦବାଚ୍ୟ ହୋଇ ପାରିବା।

Comments are closed.