ଏଚଆଇଭି ଆକ୍ରାନ୍ତଙ୍କୁ ଟିକାକରଣରେ ପ୍ରାଥମିକତା

ଭୁବନେଶ୍ୱର: ରାଜ୍ୟରେ ଥିବା ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲାପାଳ, ମହାନଗର ନିଗମ ଆୟୁକ୍ତ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶନାମା ଜାରି ହୋଇଛି। ଜାତୀୟ ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ଏହି ବର୍ଗଙ୍କୁ ଟିକାକରଣ ପାଇଁ ନିର୍ଦେଶନାମା ଆସିଛି। ଏହାଦ୍ୱାରା ସେମାନେ ସୁରକ୍ଷିତ ରହିବା ସହିତ ଅନ୍ୟମାନେ ସଂକ୍ରମିତ ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ଉକ୍ତ ବର୍ଗଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

ଗୁରୁବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୯୩ଲକ୍ଷ ୭୩ହଜାର ୬୯୯ରେ ପହଞ୍ଚିଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫୭ଲକ୍ଷ ୯ହଜାର ୫୭୫ଜଣ ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୧୨ଲକ୍ଷ ୩୯ହଜାର ୨୫ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ଏହାବାଦ୍‍ ୩ଲକ୍ଷ ୩୨ହଜାର ୭୦୬ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପାନ ଟିକା ନେଇଥିବାବେଳେ ୨ଲକ୍ଷ ୮୦ହଜାର ୪୩୧ ଦ୍ୱିତୀୟ ପାନ ଟିକା ନେଇଛନ୍ତି।

ସେହିପରି ୩ଲକ୍ଷ ୪ ହଜାର ୯୬୪ଜଣ କରୋନା ଯୋଦ୍ଧା ପ୍ରଥମ ପାନ ଟିକା ନେଇଥିବା ବେଳେ ୧ଲକ୍ଷ ୭୮ହଜାର ୮୪୫ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବବର୍ଗଙ୍କ ପାଇଁ ଚାଲିଥିବା ଟିକାକରଣ ଅଭିଯାନରେ ଏବେ ସୁଦ୍ଧା ୧୨ଲକ୍ଷ ୨୮ହଜାର ୮୭୨ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୯୯ହଜାର ୨୮୧ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ଆଜି ରାଜ୍ୟର ୧୭୧ଟି କେନ୍ଦ୍ରରେ ଟିକାଦାନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ୧ଲକ୍ଷ ୪୭ହଜାର ୨୩ଜଣ ଟିକା ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.