୧୬ରୁ ଟିକାକରଣ, ସବୁ ଜିଲ୍ଲାରେ ପହଁଚିଲା ଟିକା

ଆସନ୍ତା ଶନିବାର ୧୬ ତାରିଖଠାରୁ ରାଜ୍ୟରେ କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସବୁ ଜିଲ୍ଲାରେ ଟିକା ପହଂଚି ସାରିଥିବା ଜଣାପଡିଛି। ରାଜ୍ୟର ୧୬୦ଟି ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ରାଜ୍ୟ ସରକାର ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସପିଟାଲରୁ ସିଧାସଳଖ ସୂଚନା ପାଇବା ପାଇଁ ‘ଟୁ ୱେ କମ୍ୟୁନିକେସନ୍‍’ ବ୍ୟବସ୍ଥା କରାଯାଇଛି।

ରାୟଗଡା
ସୂଚନା ଅନୁଯାୟୀ ରାଜ୍ୟକୁ ଏବେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୮ ହଜାର ଡୋଜ୍‍ ରାଜ୍ୟକୁ ମିଳିଛି। ପର୍ଯ୍ୟାୟକ୍ରମେ ୩ ଲକ୍ଷ
୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାୟଗଡା ଜିଲ୍ଲାରେ ୫ହଜାର ୪୦୦ ଟୀକା
ପହଞ୍ଚିସାରିଛି। ସେହି ଜିଲ୍ଲାରେ ୮ହଜାର ୩୦ଜଣ କୋଭିଡ ଯୋଦ୍ଧା ଟୀକା ନେବା ଲାଗି ପଞ୍ଜୀକୃତ ହୋଇଛନ୍ତି। ୭ଟି ଟିକାକରଣ କେନ୍ଦ୍ରରେ ଟୀକାଦାନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ପରବର୍ତ୍ତୀ ସମୟରେ ଏହି କେନ୍ଦ୍ର ସଂଖ୍ୟା ୧୭କୁ ବୃଦ୍ଧି କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଟିକା ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିବା ଜଣାପଡିଛି।

ଗଜପତି
ଗଜପତି ଜିଲ୍ଲାରେ ଟୀକାକରଣ ପାଇଁ ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ ଟୀକା ଆସି ପହଞ୍ଚିଛି। ଗଜପତି ଜିଲ୍ଲାପାଇଁ ମୋଟ ୬୯୫୩ଟି ଟୀକା ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାକୁ ମୋଟ ୪୫୦୦ ଟି କରୋନା ଟୀକା ଆସିଛି। ଏହି ଟିକାଗୁଡିକୁ ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓଙ୍କ କାର୍ୟ୍ୟାଳୟ ପରିସରରେ ଥିବା ଟୀକା ସଂରକ୍ଷଣ କେନ୍ଦ୍ରର ଟୀକା ଭଣ୍ଡାର ଗୃହରେ ଶୀତଳିକରଣ ପ୍ରକ୍ରିୟାରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।। ଆସନ୍ତା ୧୬ ତାରିଖ ଦିନ ଗଜପତି ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ଟି ଟୀକାକରଣ କେନ୍ଦ୍ର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋହନା, ରାୟଗଡ ଓ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲାରେ କୋଭିଡ ପୋର୍ଟାଲରେ ମୋଟ ୬୯୫୩ ଜଣ ହିତାଧିକାରୀ ଏହି ଟୀକାକରଣ ପାଇଁ ପଞ୍ଜିକୃତ ହୋଇଛନ୍ତି। ଏହି ଟୀକାକରଣ କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗୀୟ ଆଗଧାଡ଼ିର କରୋନା ଯୋଦ୍ଧା ତଥା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ, ଆଶା ଓ ଅଙ୍ଗନବାଡିମାନଙ୍କୁ ପ୍ରଥମ ପର୍ୟ୍ୟାୟରେ ଟୀକା ପ୍ରଦାନ କରାଯିବ। ଜିଲ୍ଲାରେ ଏହି ଟୀକାକରଣ କାର୍ୟ୍ୟକ୍ରମ ୨୭ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବାବେଳେ କେବଳ ୧୬ ତାରିଖ ଦିନ ଜିଲ୍ଲାର ୪ ଟି କେନ୍ଦ୍ର’ରେ ୧୦୦ ଜଣ ଲେଖାଏଁ ୪୦୦ ଜଣଙ୍କୁ ଟୀକା ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି।

କୋରାପୁଟ
କୋରାପୁଟରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର ୩୫୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବା ଉଦ୍ଦେଶ୍ୟରେ ୮ ହଜାର ୩୦୦ ଡୋଜ୍‍ ଟିକା ପହଞ୍ଚିଛି। ଜିଲ୍ଲାର ୫ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ।

ଭଦ୍ରକ
ଭଦ୍ରକରେ ୫ ହଜାର ୫୫୦ଟି ଡୋଜ ପହଞ୍ଚିଥିବା ଜଣାପଡିଛି। ସେଠାରେ ୪୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କରାଯିବ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ବରପଦା କୁଆଁସ ମାତୃ ମଙ୍ଗଳ କେନ୍ଦ୍ର ଓ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଇଲେ ଆଗାମୀ ଦିନରେ ୪୪ଟି ସ୍ୱାସ୍ଥ୍ୟରେ ଏହି ଟିକା ଦିଆଯିବ। ଟୀକାଗୁଡିକୁ ପୁଲିସ ହେପାଜତରେ ରଖାଯାଇଛି।

ମାଲକାନଗିରି
ମାଲକାନଗିରି ଜିଲ୍ଲାରେ ଆଜିି ସକାଳେ ଟିକା ପହଂଚିଛି। ଏକ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଭୂବନେଶ୍ୱରରୁ ଆସି ସକାଳେ ୬ ଟାରେ ମାଲକାନଗିରିରେ ପହଂଚିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଟିକାକୁ ଅଣାଯାଇ ମାଲକାନଗିରି ଔଷଧ ଗୋଦାମର ଫ୍ରିଜରେ ସୁରକ୍ଷିତ ଭାବେ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୫୨୮୮ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଆଜି ୩୬୦୦ ଟି ଟିକା ଆସିଥିବା ବେଳେ ୩୪୦୦ ଜଣଙ୍କୁ ପ୍ରଦାନ କରାଯିବ। କୌଣସି କାରଣରୁ ନଷ୍ଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଅଧିକ ୨ ଶହଟି ଟିକା ଅଣାଯାଇଛି। ଜିଲ୍ଲାର ମୋଟ ୩ ଟି ସ୍ଥାନରେ ଏହି ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯିବ। ଏହି ଟିକାକରଣ କାର୍ଯ୍ୟ ଆସନ୍ତା ୧୬ ତାରିଖରୁ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡଃ.ଶଶୀ ଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି।

ଯାଜପୁର
ସେହିପରି ଯାଜପୁର ଜିଲ୍ଲାର ୫ଟି ସ୍ଥାନରେ ଟୀକାକରଣ ପାଇଁ ୭ହଜାର ୬୫୦ଟି ଟୀକା ଆସିଛି। ଗତକାଲି ସଂଧ୍ୟାରେ ଯାଜପୁର ମୁଖ୍ୟଚିକିତ୍ସାଳୟରେ କରୋନା ଟିକା ଆସି ପହଁଚିଛି। ପ୍ରଥମ ପର୍ଯ୍ୟାୟରେ ୭ ହଜାର ୬୫୦ଟି ଟୀକା ଅଣା ଯାଇଛି।କଡା ସୁରକ୍ଷା ବଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଭ୍ୟାନ ଯୋଗେଏହି ଟୀକାକୁ ଅଣାଯାଇଥିଲା। ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସମେତ ୫ଟି ସ୍ଥାନ ବଡଚଣା, ଯାଜପୁର ରୋଡ, ମଧୁବନ ଓ ମଂଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କରିବାକୁ ପ୍ରଶାସନିକ ନିଷ୍ପତି ନିଆଯାଇଛି। ଆଜିଏବଂ ଆସନ୍ତାକାଲିଏହି ସବୁ କେନ୍ଦ୍ରମାନଙ୍କୁ କରୋନା ଟିକା ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡାକ୍ତର ଅନୁପ ନାଥ ଶର୍ମା କହିଛନ୍ତି।

ଜଗତସିଂହପୁର
ଜଗତସିଂହପୁରକୁ ୫ ହଜାର ୧ ଶହଟି ଟୀକା ଆସିଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟିକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି। ଜିଲ୍ଲାରେ ମୋଟ ୭୯୫୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟିକା ଦିଆଯିବ। ଆଜି ମଧ୍ୟ ସେହି ଟୀକାଗୁଡିକୁ ଜିଲ୍ଲାର ୪ଟି ଟିକାକରଣ କେନ୍ଦ୍ରକୁ ପଠାଇ ଦିଆଯାଇଛି।

ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲାରେ ୭ ହଜାର ୭ ଶହ ୨୯ଜଣଙ୍କୁ ଟୀକାକରଣ ପାଇଁ ୫ ହଜାରଟି ଟୀକା ଆସିଛି। ଜିଲ୍ଲାର ୪ଟି ଚିକିତ୍ସାଳୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କାଠଗଡ଼ା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ହିନ୍ଦୋଳ ଉପଖଂଡସ୍ଥରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅଁଳା ବାରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କେନ୍ଦ୍ର କରାଯାଇଛି।

କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ପାଇଁ କରୋନା ଟୀକା ପହଂଚିଛି। ପ୍ରଥମ ପର୍ଯ୍ୟାୟରେ ୬୮୦୦ ଟୀକା ପହଞ୍ଚିଥିବା ବେଳେ ସେଠାରୁ ଟିକାକରଣ କେନ୍ଦ୍ରଗୁଡିକୁ ମଧ୍ୟ ପଠାଯାଇଛି। ଜିଲ୍ଲାରେ ଟୀକା ନେବା ପାଇଁ ୧୦ ହଜାର କୋଭିଡ ଯୋଦ୍ଧାଙ୍କ ପଞ୍ଜିକରଣ କରାଯାଇଥିବା ବେଳେ ଜିଲ୍ଲାର ୭ଟି କେନ୍ଦ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି।

ଦେବଗଡ
ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧ହଜାର ୬୫୦ଟି ଟୀକା ପହଞ୍ଚିଛି। ଜିଲାର ୧୧ଟି ସ୍ଥାନରେ ଟୀକାକରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

ନବରଙ୍ଗପୁର
ନବରଙ୍ଗପୁର ଜିଲ୍ଲାକୁ ୭ ହଜାରଟି ଟୀକା ଯୋଗାଇ ଦିଆଯାଇଛି। ଜିଲ୍ଲାର ୯ ହଜାର ୩୪୫ ଜଣଙ୍କୁ ଟୀକା ପ୍ରଦାନ ପାଇଁ
ପଞ୍ଜୀକରଣ କରାଯାଇଛି।

ସୁବର୍ଣ୍ଣପୁର
ସୁବର୍ଣ୍ଣପୁରଠାରେ ଦୁଇଟି ଟିକାକରଣ କେନ୍ଦ୍ର ପାଇଁ କରୋନା ଟିକା ଆସି ପହଞ୍ଚିଛି। ସେଠାରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଟିକାଗୁଡ଼ିକୁ ସଂରକ୍ଷଣ କରାଯାଇ ରଖାଯାଇଛି।

କେନ୍ଦ୍ରାପଡ଼ା
ପ୍ରଥମ ପର୍ଯ୍ୟାୟରେ ୫ ହଜାର ୫୫୦ ଡୋଜ୍‍ କରୋନା ଟିକା ଆସି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ଟିକା ପ୍ରଦାନ ପାଇଁ ବିଭାଗୀୟ କର୍ମଚାରୀ ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ତାଲିମ୍‍ ପ୍ରଦାନ କରାଯାଇଛି।

ବରଗଡ଼
ବରଗଡ଼ ଜିଲ୍ଲାରେ ଗତକାଲି ରାତିରେ ସ୍ୱତନ୍ତ୍ର ଭ୍ୟାନ୍‍ ଯୋଗେ ୭ ହଜାର ୨୫୦ ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ପହଞ୍ଚିଛି। ଜିଲ୍ଲାର ୪ଟି ସ୍ଥାନରେ ୪୦୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାଦାନ କରାଯିବ ବୋଲି ଜଣାଯାଇଛି।

ବାଲେଶ୍ୱର
ବାଲେଶ୍ୱର ଜିଲ୍ଲାକୁ ୮ହଜାର ୪୦୦ ଟିକା ପହଞ୍ଚିଛି। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମେତ ନୀଳଗିରି, ରେମୁଣା, ଖଇରା,
ରୁପ୍‍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

ଗଞ୍ଜାମ
ଗଞ୍ଜାମ ଜିଲ୍ଲାକୁ ୨୧ ହଜାର ୩୦୦ କୋଭିସିଲ୍ଡ କରୋନା ଟିକା ଆସି ପହଞ୍ଚିଛି। ସେଥିମଧ୍ୟରୁ ଗଞ୍ଜାମ ପାଇଁ ୧୬ ହଜାର ୮୦୦ ଆସିଥିବା ବେଳେ ଗଜପତି ଜିଲ୍ଲା ପାଇଁ ୪ହଜାର ୫୦୦ ଟିକା ରହିଥିବା ଜଣାଯାଇଛି। ଗଞ୍ଜାମ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶୀତଳୀକରଣ ବ୍ୟବସ୍ଥାରେ ଏହାକୁ ରଖାଯାଇଛି।

Comments are closed.