୧୧ ଜିଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାଦାନ ଓ ଟିକା ଅଭାବକୁ ନେଇ ଯେଉଁ ତତ୍ପରତା ପ୍ରକାଶ ପାଉଥିଲା ତାହା ହିଁ ପ୍ରତିଫଳିତ ହେଲା। ରାଜ୍ୟ ପାଖରେ ଏବେ କୋଭିସିଲଡ ଟିକା ମାତ୍ର ୩୮ ହଜାର ରହିଛି। ଏହାକୁ ନେଇ ଟିକାକରଣ କାର୍ଯ୍ୟକ୍ରମକୁ ବଢ଼ା ଯାଇ ପାରିବ ନାହିଁ। ତେଣୁ ବାଧ୍ୟ ହୋଇ ଆସନ୍ତାକାଲି ୧୧ଟି ଜିଲାକୁ ଟିକାକରଣ କାର୍ଯ୍ୟକ୍ରମରୁ ବାତିଲ କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଆଜି ଟିକା ଅଭାବ ଯୋଗୁଁ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ଓ ସୁବର୍ଣ୍ଣପୁରରେ ଟିକାକରଣ ହେବନାହିଁ। ୨ ଦିନ ପର୍ଯ୍ୟନ୍ତ କମ୍‌ ସଂଖ୍ୟକ ଟିକାଦାନ କେନ୍ଦ୍ର ଖୋଲାଯିବ। ମାତ୍ର ଭୁବନେଶ୍ବର ପାଇଁ କୋଭାକ୍ସିନ ଟିକା ଅଧିକ ରହିଥିବାରୁ ଏଠାରେ ସ୍ବାଭାବିକ ଭାବେ ଟିକାଦାନ କରାଯିବ। ଆଜି ଭୁବନେଶ୍ବରର ୨୧୦ଟି କେନ୍ଦ୍ର ମଧ୍ୟରୁ କେବଳ ୬୮ କେନ୍ଦ୍ରରେ ଟିକାକରଣ କରାଯିବ।

ସୂଚନା ଅନୁଯାୟୀ ମଙ୍ଗଳବାର ୫୨୧ଟି କେନ୍ଦ୍ରରେ ହୋଇଥିବା ଟିକାଦାନ କେନ୍ଦ୍ରରେ ୧ଲକ୍ଷ ୧୮ହଜାର ୫୧ଜଣ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୧୮ଲକ୍ଷ ୩୫ହଜାର ୭୭୦ରେ ପହଞ୍ଚିଛି।

Comments are closed.