ଟିକା ଓ ଶିକ୍ଷା

ନିର୍ଭୟରେ ସବୁ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ହେଲେ ଅନ୍ୟ ଦେଶଗୁଡ଼ିକ ପରି ଭାରତରେ ସେମାନଙ୍କ ଟିକାକରଣ ଆରମ୍ଭ ହେବା ଜରୁରୀ

ଆମ ରାଜ୍ୟ ପରି ଦେଶର ଅଧିକାଂଶ ରାଜ୍ୟରେ ଇତିମଧ୍ୟ‌େ‌ର ନବମରୁ ଉପର ଶ୍ରେଣୀର ପିଲାଙ୍କ ଶ୍ରେଣୀଗୃହ ଶିକ୍ଷାକୁ ଅନୁମତି ମିଳିଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବିଦ୍ୟାଳୟ ଆସିବା ନେଇ ଦ୍ବନ୍ଦ୍ବ ଦୂର ହୋଇପାରୁ ନାହିଁ। ବିଶେଷଜ୍ଞଗଣ ସମସ୍ତ ପ୍ରକାର ବିଦ୍ୟାଳୟ ଖୋଲିବା ସପକ୍ଷରେ ଯୁକ୍ତି କରୁଛନ୍ତି; କାରଣ ଗତ ଦେଢ଼ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ପିଲାଏ ଘରେ ରହି ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କରୁଥିବାରୁ ସେମାନଙ୍କ ସ୍ବାଭାବିକ ବିକାଶରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। କେବଳ ଶିକ୍ଷା ନୁହେଁ, ସେମାନଙ୍କ କୋମଳ ମନ, ମସ୍ତିଷ୍କ ଓ ଶରୀରର ବିକାଶ ନିମନ୍ତେ ଯାହା ଆବଶ୍ୟକ ସେଥିରୁ ସେମାନେ ବଞ୍ଚିତ ହୋଇଛନ୍ତି; ଯାହାର ଭରଣା ସହଜ ନୁହେଁ। ତେଣୁ ସେମାନଙ୍କ ପାଇଁ ଅବିଳମ୍ବେ ବିଦ୍ୟାଳୟ ଖୋଲି ଶ୍ରେଣୀଗୃହ ଶିକ୍ଷାର ବନ୍ଦୋବସ୍ତ କରାଯିବା ଉଚିତ। ଅନ୍ୟ କେତେକଙ୍କ ମତରେ ବର୍ତ୍ତମାନ ମଧ୍ୟ ପିଲାଙ୍କ ପାଇଁ କରୋନା ସଂକ୍ରମଣର ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ; ତେଣୁ ସେମାନଙ୍କ ବିଦ୍ୟାଳୟ ଆଗମନ ଏବଂ ଶ୍ରେଣୀଗୃହ ଶିକ୍ଷା ବିପଦମୁକ୍ତ ନୁହେଁ। ଉଭୟ ଯୁକ୍ତି ଯେ ଠିକ୍‌, ସେଥିରେ ସନ୍ଦେହ ନାହିଁ; ତେବେ ବାସ୍ତବତାକୁ ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ହେବ। ଏସବୁ ଭିତରେ ଗୋଟିଏ ବଡ଼ ଆଶ୍ବାସନାର କଥା ଯେ ଶିଶୁମାନଙ୍କ ପାଖରେ ଅଧିକ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଥିବାରୁ ସେମାନେ କରୋନା ଦ୍ବାରା କମ୍‌ ସଂକ୍ରମିତ ହୋଇଥାନ୍ତି। ଅବଶ୍ୟ ନିକଟରେ ରାଜ୍ୟରେ ୧୮ ବର୍ଷ ବୟସ ମଧ୍ୟରେ ରହିଥିବା ପିଲାଙ୍କ ସଂକ୍ରମଣ ହାର ବୃଦ୍ଧି ପାଇଥିବା ଦେଖାଯାଇଛି; ତେବେ ସେମାନେ ବୟସ୍କମାନଙ୍କ ପାଇଁ ଗୁରୁତର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉନଥିବା ବିଶେଷଜ୍ଞଙ୍କ ମତ। ଏହି ଦୃଷ୍ଟିରୁ ଦେଖିଲେ କୋଭିଡ୍‌ କଟକଣା ଓ ମାର୍ଗଦର୍ଶିକାର ନିୟମ ପାଳନପୂର୍ବକ ବର୍ତ୍ତମାନ ପିଲାଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷା ଆରମ୍ଭ କରିବା ସମୀଚୀନ ମନେହୁଏ।
ଅଭିଭାବକଙ୍କ ମନରେ ନିଜ ପିଲାଙ୍କର କୋଭିଡ୍‌ ସଂକ୍ରମଣ ଭୟ ରହିବା ସ୍ବାଭାବିକ। ସେମାନଙ୍କୁ ଟିକା ନ ଦେବା ପର୍ଯ୍ୟନ୍ତ ଏପରି ଆଶଙ୍କା ରହିବ। ତେବେ ମୂଳ କଥା ହେଲା ଏ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଆମ ଦେଶରେ ଟିକାକରଣ ଆରମ୍ଭ ହୋଇନାହିଁ। ଏହା କେବେ ଓ କିପରି ହେବ, ସେ ବିଷୟ ମଧ୍ୟ କେହି ଜାଣିନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। କେତେକ ଶିଶୁ ଚିକିତ୍ସକ କହିଛନ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥସବଳ ପିଲାଙ୍କୁ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ବହୁତ କମ୍‌; କିନ୍ତୁ ସେମାନେ ବିଦ୍ୟାଳୟକୁ ଯାଇ ଟିକା ନ ନେଇ ପାଠ ପଢ଼ିଲେ ତାହା ନିରାପଦ ନା ନୁହେଁ, ସେଥିନେଇ କେହି ନିଶ୍ଚିତ ନୁହନ୍ତି। ତେବେ ସମ୍ଭବତଃ ଏପରି ସ୍ଥିତିକୁ ଦେଖି ବ୍ରିଟେନ ୧୨ରୁ ୧୫ ବର୍ଷର ସମ୍ପୂର୍ଣ୍ଣ ସୁସ୍ଥସବଳ ପିଲାଙ୍କୁ ଟିକା ଦେବାକୁ ସ୍ଥଗିତ ରଖିଛି ଏବଂ ଯେଉଁ ପିଲା ଓ ବୟସ୍କ ଲୋକେ ହୃଦ୍‌ରୋଗ, ଫୁସ୍‌ଫୁସ୍‌ ଓ ଯକୃତ୍‌ ରୋଗରେ ପୀଡ଼ିତ ସେମାନଙ୍କୁ ପ୍ରଥମେ ଟିକା ଦେବାର ବନ୍ଦୋବସ୍ତ କରାଯାଇଛି। ଆମେରିକା ଓ କାନାଡାରେ ଗତ ମେ ମାସରୁ ହିଁ ୧୨ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା। ଜୁଲାଇ ଶେଷ ସୁଦ୍ଧା ୧୨ରୁ ୧୭ ବର୍ଷର ୪୨% ପିଲା ପ୍ରଥମ ପାନ ଓ ୩୨% ଦ୍ବିତୀୟ ପାନ ଫାଇଜର୍‌ କିମ୍ବା ମୋଡେର୍ଣ୍ଣା ଟିକା ନେଇସାରିଥିଲେ। ବର୍ତ୍ତମାନ ସେଠାରେ ଛଅ ମାସରୁ ୧୧ ବର୍ଷର ଶିଶୁଙ୍କ ପାଇଁ ଟିକାର ପରୀକ୍ଷଣ ଚାଲିଛି, ଯାହା ଚଳିତବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗତ ଜୁନ ମାସରୁ ଚୀନ ୩ ବର୍ଷରୁ ୧୭ ବର୍ଷ ବୟସର ପିଲାଙ୍କୁ ସିନୋଭାକ୍‌ ଟିକା ଦେବା ଆରମ୍ଭ କରିଥିଲା। ସେହିପରି ଡେନ୍‌ମାର୍କ ଓ ସ୍ପେନ୍‌ ୧୨ରୁ ୧୯ ବର୍ଷର ସବୁ ପିଲାଙ୍କୁ ପ୍ରଥମ ପାନ ଟିକା ଦେଇସାରିଛନ୍ତି। ଫ୍ରାନ୍ସ, ଜର୍ମାନୀ, ସୁଇଡେନ, ନରୱେ ଆଦି ଦେଶ ମଧ୍ୟ ୧୨ରୁ ୧୫ ବର୍ଷ ବୟସର ୬୦%ରୁ ଊର୍ଦ୍ଧ୍ବ ପିଲାଙ୍କ ପ୍ରଥମ ପାନ ଟିକାକରଣ ଶେଷ କରିଛନ୍ତି। ଏସବୁ ତଥ୍ୟ ଦେଖିଲେ ସ୍ପଷ୍ଟ ଯେ ଆମେ ଏ କ୍ଷେତ୍ରରେ ପଛରେ ପଡ଼ିଛୁ।
ଭାରତରେ ୪୪ କୋଟି ପିଲାଙ୍କ ମଧ୍ୟରୁ ପ୍ରାୟ ୧୨ କୋଟି ୧୨ରୁ ୧୭ ବର୍ଷ ବୟସ ବର୍ଗର। ଜାତୀୟ କୋଭିଡ-୧୯ କାର୍ଯ୍ୟ ବଳର ମତ ଯେ ବିଭିନ୍ନ ରୋଗ ରହିଥିବା ପିଲାଙ୍କୁ ପ୍ରଥମେ ଟିକା ଦିଆଯିବା ଆବଶ୍ୟକ। ଏହି ବର୍ଗର ପିଲାଙ୍କ ପାଇଁ ଜାଇକୋଭ୍‌-ଡି ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଗତ ଅଗଷ୍ଟ ମାସରେ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ଭାରତ ବାଇଓଟେକ୍‌ର କୋଭାକ୍ସିନ ଟିକାର ପରୀକ୍ଷଣ ଚାଲିଛି। ବାଇଓଲୋଜିକାଲ୍‌ ଇ’ର କୋର୍ବିଭେକ୍ସ ୫ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ପରୀକ୍ଷଣକୁ ଅନୁମତି ଦିଆଯାଇଛି। ସେହିପରି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ନୋଭାଭାକ୍ସର ମିଳିତ ଉଦ୍ୟମରେ ପ୍ରସ୍ତୁତ କୋଭୋଭାକ୍ସର ପରୀକ୍ଷଣ ଏବେ ଚାଲିଛି। ଏଥିରୁ ସ୍ପଷ୍ଟ ଯେ ଭାରତ ପିଲାଙ୍କୁ ଟିକା ଦେବା ନିମନ୍ତେ ବର୍ତ୍ତମାନ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ନୁହେଁ। ସରକାର ଅବଶ୍ୟ ଖୁବ୍‌ଶୀଘ୍ର ପିଲାଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ନିକଟ ଅତୀତରେ ଘୋଷଣା କରିଥିଲେ। ଯେତେ ଶୀଘ୍ର ଏହା ଆରମ୍ଭ ହେବ ସେତେ ଭଲ। ଅନ୍ତତଃ ସବୁ ପିଲାଙ୍କୁ ପ୍ରଥମ ପାନ ଟିକା ଦିଆଯାଇପାରିଲେ ଅଭିଭାବକଙ୍କ ମନରେ ସଂକ୍ରମଣ ଭୟ ରହିବ ନାହିଁ ଓ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଶିକ୍ଷା ଗ୍ରହଣ କରିବା ସମ୍ଭବ ହୁଅନ୍ତା। ଟିକା ବିନା ଯଦି ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହୁଏ, ତାହା ନିଶ୍ଚୟ ଦୁର୍ଭାଗ୍ୟଜନକ।

Comments
Loading...