ଉତ୍କଳ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ର ସଂଘ ପକ୍ଷରୁ ୱେବିନାର

‘ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ଲୋଡ଼ାଯିବ ବିଦ୍ୟାର୍ଥୀଙ୍କ ମତ’

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ଗବେଷଣା ସହ ଭିତ୍ତିଭୂମିର ବିକାଶ ଦିଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ବିବିଧ ପଦକ୍ଷେପ ନିଆଯାଇଛି। ପୁରାତନ ଛାତ୍ର ସଂଘ ପକ୍ଷରୁ ମୋଟ ୬ଟି ସବ୍‌ କମିଟ୍‌ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଗ‌େ‌ବଷଣା ବିକାଶ ସବ୍‌ କମିଟି(ଏକାଡେମୀ ଆଣ୍ଡ ରିସର୍ଚ୍ଚ ଇମ୍ପ୍ରୁଭମେଣ୍ଟ କମିଟି) ପକ୍ଷରୁ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସବ୍‌ କମିଟିର ଆବାହକ ତଥା ପ୍ରାକ୍ତନ କୁଳପତି ପ୍ରଫେସର ଅଶୋକ ଦାସଙ୍କ ସମେତ ପୁରାତନ ବିଦ୍ୟାର୍ଥୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କିଭଳି ଭାବେ ବିଦେଶର ପ୍ରତିଷ୍ଠିତ ପ୍ରଫେସର ଓ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିପାରିବେ ସେ ଦିଗରେ ଗୁରୁତ୍ବ ଦିଆଯାଇଥିଲା। ଡିଜିଟାଲ ଭିତ୍ତିିଭୂମିର ବିକାଶ ସହ ଆଗାମୀ ଦିନରେ ପାଠ୍ୟକ୍ରମକୁ ତର୍ଜମା କରି ବିଭିନ୍ନ ଦେଶବିଦେଶର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ସହ ସମତୁଲ କରିବାକୁ ମତପ୍ରକାଶ ପାଇଥିଲା। ଏହା ବ୍ୟତୀତ ହଷ୍ଟେଲ, ଗବେଷଣାଗାର, ପାଠାଗାର, ଅତିଥ ଭବନ ଭିତ୍ତିଭୂମିର ବିକାଶ, ଖାଲିଥିବା ଶିକ୍ଷକ ପଦ ପୂରଣ, ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ସହ ପାଠାଗାର ଖୋଲା ରଖିବା, ଇ-ପାଠଗାର ସୁବିଧା ଉପଲବ୍ଧ କରିବାକୁ ପୁରାତନ ବିଦ୍ୟାର୍ଥୀ ମତପୋଷଣ କରିଥିଲେ।

ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ମତ ଲୋଡାଯିବାର ଆବଶ୍ୟକତା ରହିଛି। ଏହାକୁ ସରକାର ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପିତ କରାଯିବ। ଏଥିସହ ଦେଶବିଦେଶରେ ଥିବା ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କଠାରୁ ମଧ୍ୟ ମତ ଲୋଡାଯିବ। ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କଲେ ଗବେଷଣା ଓ ଶିକ୍ଷାର ବିକାଶ ହୋଇପାରିବ ବୋଲି ପୁରାତନ ବିଦ୍ୟାର୍ଥୀ ମତବ୍ୟକ୍ତ କରିଥିଲେ। ସବ୍‌ କମିଟିର ଆବାହକ ତଥା ପ୍ରାକ୍ତନ କୁଳପତି ପ୍ରଫେସର ଦାସ ପୁରାତନ ଛାତ୍ରଛାତ୍ରୀଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ବିଶ୍ବବିଦ୍ୟାଳୟର ନିଜର ଅନୁଭୂତି ସମ୍ବନ୍ଧରେ ଆଲୋକପାତ କରିଥିଲେ।

ପୁରାତନ ଛାତ୍ର ସଂଘ ଭୋସ୍‌-୯୨ର ସଭାପତି ପ୍ରିୟବ୍ରତ ମହାନ୍ତି,ଭୋସ୍‌-୯୨ର ସମ୍ପାଦକ ଗଦାଧର ରଥ,ପୁରାତନ ବିଦ୍ୟାର୍ଥୀ ଅଭୟ ମହାନ୍ତି, ଅମିୟ କୁମାର ମହାନ୍ତି, ଦେବାଶିଷ ଦାଶଗୁପ୍ତା, ଦୁର୍ଗାମାଧବ ମିଶ୍ର, ମନୋରଞ୍ଜନ ଭୂୟାଁ, ଡ.ସୁଚେତା ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ହୋଇଥିବା ପ୍ରସ୍ତାବ ସମ୍ବନ୍ଧରେ ଆଗାମୀ ଦିନରେ ବିଶ୍ବବିଦ୍ୟାାଳୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯିବ।

Comments are closed.