ଉତ୍ତରାଖଣ୍ଡ ବିପର୍ଯ୍ୟୟ; ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି

ଚମୋଲି: ଉତ୍ତରାଖଣ୍ଡର ଚମୋଲିରେ ଗତ ରବିବାର ଗ୍ଲାସିୟର ଫାଟି ଅଚାନକ ବନ୍ୟା ଆସିବାରୁ ଘଟିଥିବା ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଶନିବାର ସୁଦ୍ଧା ୩୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ରବିବାର ଆଉ ୬ ଜଣଙ୍କ ମୃତଦେହ ମିଳିଛି। ସୁଡ଼ଙ୍ଗରେ ଫସିଥିବା ୩୧ ଜଣଙ୍କୁ ବାହାର କରିବା ଲାଗି ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ବନ୍ୟାରେ ମାଡ଼ିଆସିଥିବା ମାଟି ସଫା କରିବା ଜାରି ରଖିଛନ୍ତି।

ରବିବାର ସକାଳୁ ସୁଡ଼ଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟା ସୁଦ୍ଧା ସୁଡ଼ଙ୍ଗ ଭିତରୁ ୪ଟି ମୃତଦେହ ମିଳିଥିଲା। ସେପଟେ ରୈଣି ଗାଁରୁ ୨ଟି ମୃତଦେହ ମିଳିଛି। ତପୋବନ ଏବଂ ରୈଣୀ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୩୮ଟି ମୃତହେଦ ମିଳିସାରିଛି। ବନ୍ୟା ପରଠାରୁ ୧୭୦ରୁ ଅଧିକ ଲୋକ ନିଖୋଜ ରହିଥିବାରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାତିରେ ଉଦ୍ଧାର କାର୍ଯ୍ୟ ହୋଇପାରୁ ନ ଥିବାରୁ କେବଳ ଦିନ ସମୟରେ ଉଦ୍ଧାର ଚାଲୁଛି।

ସୂଚନାଯୋଗ୍ୟ, ଗତ ରବିବାର କୌଣସି କାରଣରୁ ଗ୍ଲାସିୟର ଫାଟିଯିବାରୁ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା। ଗଙ୍ଗାନଦୀରେ ବନ୍ୟା ଆସିଯିବା ଫଳରେ ଅନେକ ଲୋକ ଭାସିଯାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନଡିଆରଏଫ, ଏସଡିଆରଏଫ, ବାୟୁସେନା ଏବଂ ଆଇଟିବିପି ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଉଛି।

Comments are closed.