୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଜଣାପଡିଛି। ପ୍ରକଳ୍ପ ଅଧୀନ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସେସବୁର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ରାଜ୍ୟ ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲା ଅଧୀନ ସୁଆଣ୍ଡୋ ଗ୍ରାମ ଏବଂ ସେଠାରେ ଥିବା ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ୱନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ।

ସମୀକ୍ଷାରୁ ଜଣାପଡିଥିଲା ଯେ ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କ ଆଦିର ବିକାଶ ପାଇଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଇତି ମଧ୍ୟରେ ତ୍ୱରାନ୍ୱିତ ହୋଇଛି। ଏସବୁ ସହ ସେଠାରେ ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି। ଇତି ମଧ୍ୟରେ ଶିବ ମନ୍ଦିରର ମୂଳଦୁଆ ସଂରକ୍ଷଣ ପିଷ୍ଟର ବିକାଶ, ଦଧିନଉତି, ମନ୍ଦିର ପରିକ୍ରମା ରାସ୍ତା ଆଦି କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି କରିଛି। ପ୍ରଥମ ପୋଖରୀର ପୁନଃ ଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଂଗ୍ରହାଳୟର ଘର ନିର୍ମାଣ ସରିଛି। ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି। ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି।

ଦ୍ୱିତୀୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚଳିତ ମାସ ମଧ୍ୟରେ ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି, ପୈତୃକ ଗୃହର ପୁନଃ ବିକାଶ ଆଦି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ପୁରୀ ଜିଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ। ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଥର ଯୋଗାଣ ଅବ୍ୟାହତ ରଖିବା ନିମନ୍ତେ ଓଡ଼ିଶା ଖଣି ନିଗମଙ୍କୁ ନିର୍ଦେଶ ଦିଆଯାଇଥିଲା।

ବୈଠକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ହୋଇଥିଲା । ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଠିକା (ଟେଣ୍ଡର) ପ୍ରକ୍ରିୟା ଶେଷ ହୋଇଛି ବୋଲି ବିଭାଗୀୟ ସଚିବ ଶ୍ରୀ ଦଳାଇ କହିଥିଲେ। ତୁରନ୍ତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ବିଶ୍ୱବିଦ୍ୟାଳୟ ନିର୍ମାଣ ନିମନ୍ତେ ସମୁଦାୟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି।

ସେହିପରି ସାକ୍ଷିଗୋପାଳ ମନ୍ଦିରର ଆବଶ୍ୟକୀୟ ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗଙ୍କୁ ନିର୍ଦେଶ ଦେଇଥିଲେ। ସୁଆଣ୍ଡୋ, ସତ୍ୟବାଦୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ସାକ୍ଷିଗୋପାଳକୁ ଓଡ଼ିଆ ଭାଷା-ସଂସ୍କୃତିର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦେଇଥିଲେ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍ କୁମାର, ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ଅଧିକାରୀ ବିଜୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.