ଆକର୍ଷଣୀୟ ହେବ ଉତ୍କଳମଣିଙ୍କ ଜନ୍ମପୀଠ

ଭୁବନେଶ୍ୱର: ସୁଆଣ୍ଡୋସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରାଯିବ। ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଇତିମଧ୍ୟରେ ଜମି ଅଧିଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି। ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୬୨ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳ କରାଯାଇଛି। ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଏବଂ ଠିକା ପ୍ରସ୍ତାବ ପ୍ରକ୍ରିୟା ଶେଷ କରି ତିନିମାସ ମଧ୍ୟରେ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଉପରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକର ସୂଚନା ଅନୁଯାୟୀ ସୁଆଣ୍ଡୋରେ ଉତ୍କଳମଣିଙ୍କ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସେଠାରେ ଥିବା ପୁରୁଣା ମନ୍ଦିରର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ଇତିମଧ୍ୟରେ ଜାତୀୟ ରାଜପଥରୁ ସୁଆଣ୍ଡୋ ଗ୍ରାମକୁ ୫ କିମି ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଉତ୍କଳମଣିଙ୍କ ପୈତୃକ ବାସଭବନର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି। ଜନ୍ମପୀଠରେ ଥିବା ବଡ଼ ପୁଷ୍କରିଣୀର ପୁନର୍ବିନ୍ୟାସ କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହୋଇଛି।

ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଏବଂ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉପକମିଟି ଗଠନ କରାଯାଇଛି। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ଭୁବନେଶ୍ୱରରେ କଳାମଣ୍ଡପ, ଏକାମ୍ର ହାଟ ପରି ସ୍ଥାନରେ ନିୟମିତ ଭାବେ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପର୍ଯ୍ୟଟକ ଓ ପରିଦର୍ଶକମାନେ ଏହି କାର୍ଯ୍ୟକ୍ରମ ଦେଖିପାରିବେ। ସେହିପରି ପୁରୀ ରେ ପ୍ରାତଃ ଐତିହ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି।
ସଂସ୍କୃତି ସଚିବ ସୁରେଶ ଚନ୍ଦ୍ର ଦଳାଇ କହିଥିଲେ, ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୦ଟି ପୁସ୍ତକ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଏବଂ ୨୧ଟି ଅନ୍ୟ ଭାଷାର ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରାଯାଇଛି। ନିର୍ଦେଶକ ରଞ୍ଜନ କୁମାର ଦାସ ଜଣାଇଥିଲେ, ଚଳିତବର୍ଷ ଶେଷ ସୁଦ୍ଧା ୧୦ହଜାର ଅଂଶଗ୍ରହଣକାରୀଙ୍କୁ ସାମିଲ କରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ନିମନ୍ତେ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଥିବା ଜିଲା ପାଠାଗାରଗୁଡ଼ିକୁ ସ୍ମାର୍ଟ ପାଠାଗାରରେ ପରିଣତ କରିବା ନିମନ୍ତେ ସେ ସବୁକୁ ଇଣ୍ଟରନେଟ ସଂଯୋଗ ସହ ସେଠାରେ ଅଧିକ କମ୍ପ୍ୟୁଟରର ବ୍ୟବସ୍ଥା କରାଯିବ। ପ୍ରତି ଜିଲା ସ୍ମାର୍ଟ ପାଠାଗାରକୁ ଆଭାସି ଏକାଡେମୀର ପାଠାଗାର ସହ ସଂଯୁକ୍ତ କରାଯିବ। ଆଭାସି ଏକା‌େ‌ଡମୀରେ ଦୈନିକ ପ୍ରାୟ ୨୦୦ରୁ ଅଧିକ ପୁସ୍ତକର ଡିଜିଟାଇଜେସନ କରାଯାଉଥିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ମନୋଜ ମିଶ୍ର କହିଛନ୍ତି। ବୈଠକରେ ରାଜ୍ୟ ଓ ଜିଲାସ୍ତରୀୟ ପୁସ୍ତକ ମେଳାର ଆୟୋଜନ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଭାସି ଏକାଡେମୀ ମାଧ୍ୟମରେ ସହଜ ଓଡ଼ିଆ ଶିକ୍ଷାର ପ୍ରସ୍ତୁତି ପ୍ରଭୃତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ଏବଂ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ, ପୁରୀ ଜିଲାପାଳଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଭାଗ ନେଇଥିଲେ।

Comments are closed.