ଉଚ୍ଚଶିକ୍ଷା ବିଭାଗ ପ୍ରଚଳନ କରିବ ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ:ଡ.ଅରୁଣ ସାହୁ

ଭୁବନେଶ୍ବର: ସମ୍ପତି ଛାତ୍ରଛାତ୍ରୀମାନେ ବିଷୟ କେନ୍ଦ୍ରୀକ ହେଉଛନ୍ତି। ସେମାନେ ପଢୁଥିବା ବିଷୟରେ ଉତ୍କର୍ଷ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହେଉଛନ୍ତି। ତେବେ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ ପାଇଁ ଆଗ୍ରହ ଦେଖାଉନଥିବାରୁ ସେମାନଙ୍କ ମଧ୍ୟରେ ନୈତିକ ଓ ମୂଲ୍ୟବୋଧ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ‘ନୈତିକ ଓ ମୂଲ୍ୟବୋଧ’ ଭିତ୍ତିକ ପାଠ୍ୟକ୍ରମ ପଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନୂଆ ଦିଶା ଦେଖାଇବ ଏବଂ ଏହା ଆନ୍ତବିଷୟକ ଗବେଷଣା କ୍ଷେତ୍ରରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୁଲ୍ୟରେ ବାଣୀବିହାର ଦୀକ୍ଷାନ୍ତ ଭବନରେ ‘ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୧’ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ସାହୁ କହିଥିଲେ ଯେ ଦେଶର ପ୍ରତ୍ୟେକ ନାଗରିକ ଜଣେ ଲେଖାଏଁ ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାରରେ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ ,ନିଆଁର ବ୍ୟବହାର ଠାରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, ସବୁଥିରେ ଗବେଷକଙ୍କ ଅବଦାନ ରହିଛି। ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ବସ୍ତୁ ସେମାନଙ୍କ ଆବିଷ୍କାର ଓ ଉଦ୍ଭାବନ। ତେଣୁ ସବୁଥି ପାଇଁ ଶ୍ରେୟ ସେମାନଙ୍କୁ ଯିବ। ଯଦି ଛାତ୍ରଛାତ୍ରୀମାନେ ଗବେଷଣାତ୍ମକ ମନୋବୃତ୍ତି ନେଇ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବେ ତାହେଲେ ଗବେଣୋ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିପାରିବ। ଏହା ଗବେଷଣା କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ଉତ୍କର୍ଷର କେନ୍ଦ୍ର ଗଢ଼ି ତୋଳିବାରେ ସହାୟକ ହେବ ବୋଲି କହିଥିଲେ।
ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ଚିନ୍ତାମଣି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ଗବେଷକ ବୋଲି କହିଥିଲେ। ଏହି ଅବସରରେ ଗବେଷଣାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଥିଲେ ଯେ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଗବେଷକମାନଙ୍କ ଗବେଷଣା ପାଇଁ ଅର୍ଥର ଅଭାବ ରହିବ ନାହିଁ। ଗବେଷଣା ପାଇଁ ସହାୟତା ରାଶି ୫ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଯଦି ଏହାଠାରୁ ଅଧିକ ଅର୍ଥରାଶି ଦରକାର ହୁଏ ତାହେଲେ ସେଥିପାଇଁ ମଧ୍ୟ ସରକାର ଅର୍ଥ ଯୋଗାଇଦେବେ ବୋଲି ଘୋଷଣା କରିଥିଲେ।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଗବେଷଣାତ୍ମକ ଯୋଜନା ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ।
ଦୁଇଦିନ ଧରି ଚାଲିବାକୁ ଥିବା ଏହି ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୧ର ଉଦଯାପନ ଉତ୍ସବରେ ବିଭିନ୍ନ ବିଶ୍ବିଦ୍ୟାଳୟର ୧୭୧ଜଣ ଗବେଷକ ସେମାନଙ୍କ ଗବେଷଣାର ପୋଷ୍ଟର ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ଉଚ୍ଚଶିକ୍ଷାକୁ ଆଗକୁ ନେବାକୁ ହେଲେ ଆଧୁନିକ ଏବଂ ନୂତନ ବୈଷୟିକ ପଦ୍ଧତିରେ ଗବେଷଣାକୁ ପ୍ରାଧ୍ୟାନ୍ୟ ଦିଆଯାଉଛି। ଗବେଷଣା ଦ୍ୱାରା ନୂତନ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ। ଗବେଷଣା କ୍ଷେତ୍ରକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନେଟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ୩୫ ବିଷୟରେ ପିଏଚଡି ସହ ଗବେଷଣା ପାଇଁ ବ୍ୟବସ୍ଥା ରହିଛି। ସେମାନଙ୍କ ବୟସ ୩୫ବର୍ଷରୁ ଊଦ୍ଧ୍ୱର୍ ହୋଇନଥିବ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ମାସିକ ୧୫ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ୪୦ ପ୍ରତିଶତ ସ୍ଥାନ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ୪୫ ବର୍ଷରୁ କମ ବୟସ୍କ ଶିକ୍ଷକଙ୍କ ନିମନ୍ତେ ଗବେଷଣା ଏବଂ ଜର୍ଣ୍ଣାଲ ପ୍ରକାଶ ବ୍ୟବସ୍ଥା ରହିଛି। ଶିକ୍ଷାବର୍ଷ ୨୦୧୯-୨୦୨୦ରେ ୪୦ ଶିକ୍ଷକ ଏବଂ ୧୩ ନେଟ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଏବଂ ୨୦୨୦-୨୧ରେ ୪୦ ଶିକ୍ଷକ ଏବଂ ୩୭ ନେଟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଗବେଷଣା କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି।

Comments are closed.