ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶାରେ ପୋଥି ଓ କଥା ସଂସ୍କୃତି ଉପରେ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଓଡ଼ିଶାରେ ପୋଥି ଓ କଥା ସଂସ୍କୃତି ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓଡ଼ିଶାର ସଂସ୍କୃତି, ପୋଥି ଓ କଥନୀର ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଅଶିଖଣ୍ଡରୁ ଊଦ୍ଧ୍ୱର୍ ପ୍ରାଚୀନ ପୋଥି ପ୍ରଦାନ କରିଥିବା ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କୁ ଏଥିପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା।

ଉତ୍ସବରେ ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇପ୍ରତ୍ୟେକ କଥାକାରଙ୍କ ଭିତରେ ଐତିହାସିକ ସତ୍ତା ଲୁଚି ରହିଥାଏ ବୋଲି କହିଥିଲେ। ପ୍ରଫେସର ସୁରେନ୍ଦ୍ରନାଥ ଦାଶ ପୋଥି ସମ୍ପାଦନା ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ‘କଥାକଳ୍ପ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସାରସ୍ୱତ ସମାବେଶରରେ କଥାକାର ଅଜୟ ସ୍ୱାଇଁ, ପ୍ରଫେସର ନାରାୟଣ ସାହୁ, ପ୍ରଫେସର ଶରତଚନ୍ଦ୍ର ରଥ, ଡ.ରମେଶଚନ୍ଦ୍ର ମଲିକ, ଅଧ୍ୟାପକ ଆନ୍‍ପା ମାର୍ଣ୍ଡି ଓ କବି ବନଜ ତ୍ରିପାଠୀ ଯୋଗ ଦେଇଥିଲେ। ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ସନ୍ତୋଷ ତ୍ରପାଠୀ ସଭାପତିତ୍ୱ କରିଥିବାବେଳେ ଡ.ରୁଦ୍ରମାଧବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.