ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ତାରିଖ ବିବାଦ ଘଟଣା ; ମେ’ ୪ରୁ ପ୍ରାକ୍ଟିକାଲ, ଜୁନ୍‌ ୧୭ରୁ ଥିଓରୀ ପରୀକ୍ଷା

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟରେ ସ୍ନାତକ ଚତୁର୍ଥ ସେମିଷ୍ଟର ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଦେଖାଦେଇଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଛାତ୍ରଛାତ୍ରୀଙ୍କ ଦାବି ଆଗ‌େ‌ର ମୁଣ୍ଡ ନୁଆଁଇଛନ୍ତି କର୍ତ୍ତୃପକ୍ଷ। ମେ’ ୪ରୁ ଥିଓରୀ ପରିବର୍ତ୍ତେ ପ୍ରାକ୍ଟିକାଲ ପରୀକ୍ଷା ଓ ଜୁନ୍‌ ୧୭ରୁ ଥିଓରୀ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ। ଘୋଷଣା ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।
ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପରେ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଆସନ୍ତା ମେ’ ୪ରୁ ଥିଓରୀ ପରୀକ୍ଷା ଓ ଜୁନ୍‌ ୧୭ରୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ବିଦ୍ୟାର୍ଥୀ ଓ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧ କରି ଆନ୍ଦୋଳନ କରାଯାଇଥିଲା। ଏନେଇ କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକଙ୍କୁ ଦାବିପତ୍ର ଦିଆଯିବା ସହ ଆନ୍ଦୋଳନ କରିଥିଲେ ବିଦ୍ୟାର୍ଥୀ।
ଗୁରୁବାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏକତ୍ର ହୋଇ ପୁନର୍ବାର କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ। ପରୀକ୍ଷା କାର୍ଯ୍ୟସୂଚୀ ପରିବର୍ତ୍ତନ କରିବାକୁ ଜିଦ୍‌ ଧରିଥିଲେ। କୁଳସଚିବ ଦୟାନିଧି ନାୟକ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଓ ପ୍ରଫେସର ସନ୍ତୋଷ ତ୍ରିପାଠୀ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବାକୁ ଘୋଷଣା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମେ’ ୪ରୁ ଥିଓରୀ ପରିବର୍ତ୍ତେ ପ୍ରାକ୍ଟିକାଲ ପରୀକ୍ଷା ଓ ଜୁନ୍‌ ୧୭ରୁ ଥିଓରୀ ପରୀକ୍ଷା କରିବାକୁ ଘୋଷଣା କରାଯାଇଥିଲା। ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଥିଲେ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସଙ୍ଗଠିତ କରି ଆନ୍ଦୋଳନକୁ ସମର୍ଥନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ୨୨ରେ ଓ ଆଜି ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ସହ-ସମ୍ପାଦକ ରତନ କୁମାର ଦିଗଲ୍‍, ମହାନଗର ସମ୍ପାଦକ ଦୀପକ ପ୍ରକାଶ ସ୍ୱାଇଁ, ମହାନଗର ସଂଯୋଜକ ସଂଜୟ ମଲ୍ଳିକ, ମିଲନ ମହାପାତ୍ର, ମହର୍ଷି ଶବର ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।
କୁଳସଚିବ ଶ୍ରୀ ନାୟକ କହିଛନ୍ତି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଖୁବ୍‌ଶୀଘ୍ର ନୂତନ ବିଜ୍ଞପ୍ତି ପ୍ରକାଶ କରାଯିବ। ସୂଚନାଯୋଗ୍ୟ, ଫେବୃଆରୀରେ ତୃତୀୟ ସେମିଷ୍ଟର ପରୀକ୍ଷା ଶେଷ ହୋଇଥିଲା। ବିଦ୍ୟାର୍ଥୀଙ୍କର ଏଯାବତ୍‌ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଏଥିସହ ଚତୁର୍ଥ ସେମିଷ୍ଟରରେ ଥିବା ପାଠ୍ୟକ୍ରମର ପ୍ରାୟ ପଚାଶ ପ୍ରତିଶତ ପଢ଼ାଯାଇ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ।

Comments are closed.