ଜୁଲାଇ ୭ରୁ ଉତ୍କଳ ବିଶ୍ବବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପରୀକ୍ଷା; ଗହଳି କରିବେନି, ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ‘ୟୁନିଭର୍ସିଟି ଏକ୍‌ଜାମିନେସନ-୨୦୨୦ ଷଷ୍ଠ ସେମିଷ୍ଟାର ପରୀକ୍ଷା (ରେଗୁଲାର ଓ ବ୍ୟାକ୍‌) ଜୁଲାଇ ୭ରୁ ଅନୁଷ୍ଠିତ ହେବ।  ଉତ୍କଳ ବିଶ୍ବବିଦ୍ୟାଳୟରେ ୨୦୧୭ ବ୍ୟାଚ୍‌ରେ ସିବିଏସ୍‌ଇ ଢାଞ୍ଚାରେ ନାମ ଲେଖାଇଥିବା ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ(ପାସ୍‌ ଓ ଅନର୍ସ) ଛାତ୍ରଛାତ୍ରୀ ରେଗୁଲାର୍ ପରୀକ୍ଷା ଦେଇପାରିବେ।​‌ ସେହିପରି ୨୦୧୬ ବ୍ୟାଚ୍‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ବ୍ୟାକ୍‌ପେପର୍‌ ପରୀକ୍ଷା ଦେଇପାରିବେ। ୭ରୁ ୧୩ ଜୁଲାଇ ମଧ୍ୟରେ ପ୍ରାକ୍ଟିକାଲ୍‌ ଏବଂ  ୧୪ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା କରାଯିବ। ୨୮ ଜୁଲାଇ ସୁଦ୍ଧା ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ପେପର୍‌(ଡିଏସ୍‌ଇ-୪) ଦାଖଲ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ସାଙ୍ଗକୁ ହାତଧୋଇବା ଓ ସାନିଟାଇଜର୍‌ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରାକ୍ଟିକାଲ୍‌ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଓ କର୍ମଚାରୀ ଗହଳି କରିବେ ନାହିଁ। ସମସ୍ତେ ସାମାଜିକ ଦୂରତା ପାଳନ କରିବା ଜରୁରୀ। କରେନା ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷା ପୂର୍ବରୁ ସମସ୍ତ ଲାବରେଟୋରୀ ଓ ପରୀକ୍ଷା ହଲ୍‌କୁ ସାନିଟାଇଜ୍‌ କରାଯିବାକୁ  ନିର୍ଦେଶ ଦିଆଯାଇଛି। ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ସରକାରଙ୍କ କୋଭିଡ୍‌-୧୯ ନିର୍ଦେଶନାମା ଅନୁପାଳନ ପୂର୍ବକ ଷଷ୍ଠ ସେମିଷ୍ଟାର ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.