ଉତ୍କଳରେ ଶିକ୍ଷାର ବାସ୍ତବ ଚିତ୍ର: ସୁଧାରିବ କିଏ ?

୧୯୪୩ ମସିହାରେ ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ତା’ର ପ୍ଲାଟିନମ୍‌ ଜୁବୁଲି ପାଳନ କରିଛି। ରାଜ୍ୟର ଏହି ପ୍ରଥମ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଏହି ଅବସରରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆହ୍ୱାନ ଦେଇଛନ୍ତି। ତେବେ ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ନାମରେ ନାମିତ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ଏବେ କାହିଁକି ବିପର୍ଯ୍ୟସ୍ତ ସ୍ଥିତିରେ ତାହା ଓଡ଼ିଆ ପ୍ରାଣ ସଚେତନ ନାଗରିକମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ। କେବଳ ଉତ୍କଳ ନୁହେଁ, ରାଜ୍ୟରେ ଥିବା ଅନ୍ୟ ସବୁ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଅତି ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଥିବା ବେଳେ ତାହାର କାରଣ ଖୋଜି ନିରାକରଣ କରିବା ପରିବର୍ତ୍ତେ କେବଳ ଭାଷଣ ମାଧ୍ୟମରେ ଆଶ୍ୱାସନା ଦିଆଯାଉଛି। ଏହା ରାଜ୍ୟର ଭବିଷ୍ୟତ ପାଇଁ ଯେ ଆଦୌ ଭଲ ନୁହେଁ, ତାହା ଦଳମତ ନିର୍ବିଶେଷରେ ରାଜନେତା, ପ୍ରଶାସକ, ଶିକ୍ଷାବିତ୍‌ ଓ ସଚେତନ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନେ ମନେ ରଖିବା ଆବଶ୍ୟକ।
ଉଚ୍ଚମାନର ଶିକ୍ଷା, ଗବେଷଣା, ମୁକ୍ତ ଚିନ୍ତନ ଆଦି ହେଉଛି ବିଶ୍ୱବିଦ୍ୟାଳୟର ସଫଳତାର ଚାବି କାଠି। ଏଥିଲାଗି ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏବେ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୫ରୁ ଅଧିକ ହେଲାଣି। ନୂଆନୂଆ ବିଶ୍ୱବିଦ୍ୟାଳୟ ଖୋଲି ଉଚ୍ଚଶିକ୍ଷା ଓ ଗବେଷଣା ସୁଯୋଗକୁ ସମ୍ପ୍ରସାରିତ କରିବା ଭଲ କଥା, କିନ୍ତୁ ଏଥିପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ଭଳି ମନେ ହେଉନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦ ଥିବା ବେଳେ ସେଥିରୁ ୩୧ଟି, ୭୬ଟି ସହଯୋଗୀ ପ୍ରଫେସର ପଦରୁ ୪୨ଟି ଓ ୧୩୪ଟି ସହକାରୀ ପ୍ରଫେସର ପଦ ମଧ୍ୟରୁ ୪୭ଟି ଖାଲିପଡ଼ିଛି। ମୋଟାମୋଟି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗତମାସ ସୁଦ୍ଧା ୧୨୦ଟି ଶିକ୍ଷକ ପଦ ଖାଲି ପଡ଼ିଥିଲା। ହଜାରେଟି ମଞ୍ଜୁରିପ୍ରାପ୍ତ ଅଣ-ଶିକ୍ଷକ ପଦ ଥିବାବେଳେ ସେଥିରୁ ଗତ ନଭେମ୍ବର ସୁଦ୍ଧା ୬୧୩ଟି ଖାଲି। ଉତ୍କଳ ବିଶ୍ୱବିଦ୍ୟାଳୟକୁ ଶହେ କୋଟି ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଆଉ ପାହାଚେ ଆଗକୁ ଯାଇ ୧୦୧ କୋଟି ଟଙ୍କା କେନ୍ଦ୍ର ଯୋଗାଇବ ବୋଲି ପ୍ଲାଟିନମ୍‌ ଜୁବୁଲି ଅବସରରେ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରତିଶ୍ରୁତିରେ ଟଙ୍କା ବର୍ଷା ହୋଇଥିବାବେଳେ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କୁ ଅନୁରୂପ ହାରରେ ଆର୍ଥିକ ସହାୟତା ଦିଆନଗଲେ ତାହା ଆଞ୍ଚଳିକ ବୈଷମ୍ୟ ବଢ଼ାଇବ। ଉଚ୍ଚଶିକ୍ଷା ମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପ୍ରାକ୍ତନ ସଭାପତି। ସେ ଏହି ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଦାୟିତ୍ୱ ନେଇ ବାରମ୍ବାର ଏଠାକୁ ଅଚାନକ ଗସ୍ତରେ ଆସି ସ୍ଥିତି ପରଖୁଛନ୍ତି। ଗତ ୫ ବର୍ଷ ଧରି ବିଧାନସଭାରେ ସରକାର କହି ଆସୁଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦଗୁଡ଼ିକ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି। କିନ୍ତୁ ବସ୍ତୁତଃ ବର୍ଷକୁବର୍ଷ ଖାଲି ପଦ ସଂଖ୍ୟା ବଢ଼ୁଛି ସିନା, କମୁନାହିଁ। ଏଥିଯୋଗୁ ପାଠପଢ଼ା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ବ୍ୟାହତ ହେଉଛି। ଏମିତିକି ହଜାରହଜାର ଡିଗ୍ରୀ ସାର୍ଟିଫିକେଟ୍‌ ବଣ୍ଟା ନ ହୋଇ ବର୍ଷବର୍ଷ ଧରି ପଡ଼ିରହୁଛି।
ରେ​‌େ​‌ଭନ୍ସା ଥିଲା ଓଡ଼ିଶାର ପ୍ରଥମ କଲେଜ। ଏହାକୁ ସରକାର ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟରେ ଗତ ନଭେମ୍ବର ସୁଦ୍ଧା ସରକାରୀ ହିସାବ ମୁତାବକ ୧୭୯ଟି ଶିକ୍ଷକ ପଦ ଖାଲିପଡ଼ିଛି ଯେଉଁଥିରୁ ୨୪ଟି ପ୍ରଫେସର, ୪୮ଟି ଆସୋସିଏଟ୍‌ ପ୍ରଫେସର ଓ ୧୦୭ଟି ହେଉଛି ଆସିଷ୍ଟାଣ୍ଟ ପ୍ରଫେସର ପଦ। ଏଠାରେ ବି ୧୩୫ଟି ଅଣ-ଶିକ୍ଷକ ପଦ ଖାଲି। ସରକାରୀ ତଥ୍ୟ ମୁତାବକ ଗତ ନଭେମ୍ବର ସୁଦ୍ଧା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୨୯ଟି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୫ଟି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୭୯ଟି, ଫକିର ମୋହନ ବିଶ୍ୱବିଦ୍ୟାଳୟରେ ୭୨ଟି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୭୨ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୫୧ଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୫ଟି ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୨ଟି ଶିକ୍ଷକ ପଦ ଖାଲି। ସମ୍ବଲପୁରରେ ଥିବା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସତେ ଯେମିତି ଶିକ୍ଷକଙ୍କଠାରୁ ମୁକ୍ତ ହୋଇଛି। ମୋଟାମୋଟି ଭାବେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ହଜାରେ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ୧୫୦୦ରୁ ଅଧିକ ଅଣ-ଶିକ୍ଷକ ପଦ ମଧ୍ୟ ବର୍ଷବର୍ଷ ଧରି ପୂରଣ ହେଉନାହିଁ। ଏ ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ କିଭଳି ‘ସେଣ୍ଟର ଅଫ୍‌ ଏକ୍ସଲେନ୍ସ’ରେ ପରିଣତ ହେବେ ତାହା ଆହ୍ୱାନ ଦେଉଥିବା ନେତାମାନେ ନିଜକୁ ନିଜେ ପଚାରିବା ଆବଶ୍ୟକ।
ବୈଷୟିକ ଶିକ୍ଷା କ୍ଷେତ୍ରରେ ଅବସ୍ଥା ଆହୁରି ସାଙ୍ଘାତିକ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରାୟ ୮୦ ପ୍ରତିଶତ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ତାହାର ଅନୁବନ୍ଧିତ କଲେଜଗୁଡ଼ିକରେ ଅବସ୍ଥା ଆହୁରି ସାଙ୍ଘାତିକ। ଭିସୁଟ୍‌, ଓୟୁଏଟି, ଆଇଜିଆଇଟି ଆଦିରେ ଖାଲି ପଡ଼ିଥିବା ଶିକ୍ଷକ ପଦଗୁଡ଼ିକ ପୂରଣ କରିବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ଭଳି ମନେ ହେଉନାହିଁ। ସରକାରୀ ଆଇଟିଆଇ, ପଲିଟେକ୍‌ନିକ୍ସଗୁଡ଼ିକର ଅବସ୍ଥା ଏ କ୍ଷେତ୍ରରେ ଆହୁରି ଶୋଚନୀୟ। ଏବେ ସରକାର ବଲାଙ୍ଗୀରର ରାଜେନ୍ଦ୍ର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ କରିଛନ୍ତି। ଏହି କଲେଜ ଲାଗି ଥିବା ୭୬ଟି ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦରୁ ୪୩ଟି ଖାଲିପଡ଼ିଛି। ଏହି ଗୌରବାବହ ଶିକ୍ଷାନୁଷ୍ଠାନ ବି ଏ ବର୍ଷ ତାହାର ପ୍ଲାଟିନମ୍‌ ଜୁବୁଲି ପାଳନ କରୁଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସମେତ ଅନ୍ୟ କଲେଜଗୁଡ଼ିକରେ ଉଭୟ ଶିକ୍ଷକ ଓ ଅଣ-ଶିକ୍ଷକ ମରୁଡ଼ି ପରିସ୍ଥିତି ଲାଗି ରହିଛି।
ଗତ ନଭେମ୍ବର ସୁଦ୍ଧା ଏସ୍‌ସିବି ମେଡିକାଲ କଲେଜରେ ୯୨ଟି ଡାକ୍ତରୀ ଶିକ୍ଷକ ଓ ୯୪୨ଟି ଅଣ-ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ବ୍ରହ୍ମପୁରର ଏମ୍‌କେସିଜିରେ ୭୯ଟି ଶିକ୍ଷକ ଓ ୬୧୯ଟି ଅଣ-ଶିକ୍ଷକ ପଦ ଖାଲି। ବୁର୍ଲାର ଭିମ୍‌ସାରରେ ବି ୭୩ଟି ଶିକ୍ଷକ ଓ ୧୩୨ଟି ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବାରିପଦାର ପିଆର୍‌ଏମ୍‌ ମେଡିକାଲ କଲେଜରେ ୧୦ଟି ଶିକ୍ଷକ ଓ ୧୮୬ଟି ଅଣ-ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୧୪ଟି ଶିକ୍ଷକ ଓ ୧୮୦ଟି ଅଣ-ଶିକ୍ଷକ ପଦ ଖାଲି। ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜରେ ୨୧ଟି ଶିକ୍ଷକ ଓ ୧୮୭ଟି ଅଣ-ଶିକ୍ଷକ ଏବଂ ବଲାଙ୍ଗୀରର ନୂଆ ମେଡିକାଲ କଲେଜରେ ୨୨ଟି ଶିକ୍ଷକ ଓ ୨୧୨ଟି ଅଣ-ଶିକ୍ଷକ ପଦ ଖାଲି। କଟକସ୍ଥିତ ଦନ୍ତ ଚିକିତ୍ସା କଲେଜରେ ୮ଟି ଶିକ୍ଷକ ଓ ୯ଟି ଅଣ-ଶିକ୍ଷକ ପଦ ମଧ୍ୟ ଖାଲିପଡ଼ିଛି। ପୁରୀ, ବଲାଙ୍ଗୀର, ଗଞ୍ଜାମରେ ଥିବା ୩ଟି ଆୟୁର୍ବେଦିକ ମେଡିକାଲ କଲେଜରେ ୧୨୭ଟିରୁ ୮୧ଟି ଶିକ୍ଷକ ପଦ ଖାଲି। ସେହିପରି ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୪ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ୧୪୫ଟି ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦ ମଧ୍ୟରୁ ୧୧୬ଟି ପଦ ଗତ ନଭେମ୍ବର ମାସ ସୁଦ୍ଧା ଖାଲିଥିଲା। ଏହି ଡାକ୍ତରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ଅଣ-ଶିକ୍ଷକ ପଦ ଖାଲିପଡ଼ିଛି। ଏଣେ ବୈଷୟିକ ଶିକ୍ଷାର ବିକାଶ ପାଇଁ ସରକାର ‘ଦକ୍ଷତା ବିକାଶ କର୍ତ୍ତୃପକ୍ଷ’ ଗଢ଼ିଛନ୍ତି। ସ୍ୱାସ୍ଥ୍ୟକୁ ବି ‘ମୋ ସରକାର’ ଓ ‘୫-ଟି’ରେ ସାମିଲ କରାଯାଇଛି। ଅଥଚ ଡାକ୍ତରୀ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ଷବର୍ଷ ଧରି ବହୁ ସଂଖ୍ୟକ ଶିକ୍ଷକ ଓ ଅଣ-ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ଏଠାରେ ଶିକ୍ଷାଦାନ ଓ ଗବେଷଣା ଆଗେଇବ କିପରି?
ସରକାରୀ ଓ ସାହାଯ୍ୟପ୍ରାପ୍ତ କଲେଜ, ଯୁକ୍ତ ୨ ଶିକ୍ଷାନୁଷ୍ଠାନ, ହାଇସ୍କୁଲ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅବସ୍ଥା ଆହୁରି ସାଙ୍ଘାତିକ। ସଂଖ୍ୟାଧିକ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେକରି ଶିକ୍ଷକ ଓ ବଖରାଏ କରି ଶ୍ରେଣୀଗୃହ ଏ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇପାରିଲା ନାହିଁ। ପ୍ରାୟ ସମସ୍ତ ସରକାରୀ ଡିଗ୍ରୀ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଭାରପ୍ରାପ୍ତ ଅଧ୍ୟକ୍ଷରେ କଲେଜଗୁଡ଼ିକ ଚାଲୁଥିବା ବେଳେ ଶ୍ରେଣୀକାର୍ଯ୍ୟ କୌଣସି ପ୍ରକାରେ ଚଳାଇ ନେବା ପାଇଁ ଅତିଥି ଅଧ୍ୟାପକଙ୍କ ଉପରେ ଭରସା କରିବାକୁ ପଡ଼ୁଛି। ଆମ ସ୍କୁଲ ଶିକ୍ଷାର ବାସ୍ତବ ସ୍ୱରୂପ ଜଣାପଡ଼ି ଯାଉଛି ସରକାରଙ୍କ ‘ଉଜ୍ଜ୍ୱଳ’, ‘ଉତ୍କର୍ଷ’ ଓ ‘ଉତ୍‌ଥାନ’ କାର୍ଯ୍ୟକ୍ରମରୁ। ସପ୍ତମ ଅଷ୍ଟମ ଶ୍ରେଣୀରେ ପହଞ୍ଚୁଥିବା ଲକ୍ଷଲକ୍ଷ ପିଲା ଦ୍ୱିତୀୟ ତୃତୀୟ ଶ୍ରେଣୀର ବହି ପଢ଼ିପାରୁନଥିବା ଓ ଦୁଇ ଅଙ୍କ ବିଶିଷ୍ଟ ମିଶାଣ ଫେଡାଣ ମଧ୍ୟ କରିପାରୁନଥିବାରୁ ସେମାନଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତକୁ କୁଆଡ଼େ ଉଜ୍ଜ୍ୱଳ କରାଯାଉଛି। ଏଥିପାଇଁ କ’ଣ ପିଲାମାନଙ୍କୁ ଦାୟୀ କରିବା ନା ସେମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ଶ୍ରେଣୀଗୃହ ବ୍ୟବସ୍ଥା କରିପାରୁନଥିବା ପ୍ରଶାସନ ଆଡ଼କୁ ଆଙ୍ଗୁଠି ଦେଖାଇବା? ମୂଳଦୁଆ ଖଇଚା କରିଦିଆଯାଉଥିବାରୁ ଉଚ୍ଚଶିକ୍ଷାର ବିଭିନ୍ନ ସୋପାନ ମଧ୍ୟ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ୁଛି। ଏହି ସାଙ୍ଘାତିକ ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ସରକାର ପ୍ରତିକାର ନ କଲେ ଅବସ୍ଥା ଆହୁରି ବିଗିଡ଼ିଯିବ ଏବଂ ଏଥିଲାଗି ଭବିଷ୍ୟତର ବଂଶଧରମାନେ କଦାପି ଆମକୁ କ୍ଷମା ଦେବେନାହିଁ।

Comments are closed.