ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ; ଚମୋଲି ଜିଲ୍ଲାର ଧସିଲା ବରଫ ଅତଡା, ୧୦୦ରୁ ଉର୍ଦ୍ଧ୍ବ ଭାସି ଯାଇଥିବା ଆଶଙ୍କା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବରଫ ଅତଡା ଧସିଛି। ଏହି ଗ୍ଲେସିୟର ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଭାଙ୍ଗିଛି। ଫଳରେ ଧୌଳି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବରଫ ଅତଡା ଖସିବା ଫଲରେ ନଦୀରେ ପାଣି ମାଡି ଆସିବା ଯୋଗୁଁ ୧୦୦ରୁ ଉର୍ଦ୍ଧ୍ବ ଜଣ ଭାସିଯାଇଥିବା ଅଶଙ୍କା କରାଯାଉଛି। ସେପଟେ ଘଟଣାସ୍ଥଳରେ ପ୍ରଶାସନର ଏକ ଟିମ ପହଞ୍ଚି ନଦୀ ନିକଟସ୍ଥ ବସ୍ତି ଅଞ୍ଚଳକୁ ଖାଲି କରିଛି। ଚମୋଲି ଠାରୁ ହରିଦ୍ୱାର ପର୍ଯ୍ୟନ୍ତ ହାଇ ଅଲର୍ଟ ଜାରି କରାଯାଇଛି।

ସେପଟେ ବରଫ ଅତଡା ଖସିବା ଯୋଗୁଁ ତପୋବନରେ ଥିବା ଡ୍ୟାମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର ୯୫୫୭୪୪୪୪୮୬ ଏବଂ ୧୦୭୦ ଜାରି କରିଛନ୍ତି।

ସୂଚନା ଅନୁଯାୟୀ, ଚମୋଲୀ ଜିଲ୍ଲାର ରେଣୀ ଗ୍ରାମରେ ଗ୍ଲେସିୟର ଭାଙ୍ଗିଯିବାରୁ ଏଠାରେ ପାଓ୍ୱାର ପ୍ରକଳ୍ପ ଋଷି ଗଙ୍ଗାରେ ବ୍ୟାପକ କ୍ଷତି ହୋଇଛି । ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିଛି। ଖବର ଆସିବା ପରେ ପ୍ରଶାସନ ଆଲର୍ଟରେ ରହିଛି । ଏନଡିଆରଏଏଫ ଟିମକୁ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି । ଗ୍ଲେସିୟରଟି ଚମୋଲୀ ହୋଇ ଋଷିକେଶରେ ପହଁଚିବ। ଏପରିକି ଜୋଶୀମଠ ଓ ଶ୍ରୀନଗର ଯାଏଁ ହାଇ ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ କହିଛନ୍ତି ଯେ, ଚମୋଲୀ ଜିଲ୍ଲାରେ ବିପର୍ୟ୍ୟୟ ନେଇ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳକୁ ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି । ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସେ ଭରସା ଦେଇଛନ୍ତି ।

Comments are closed.