ସାଙ୍ଘାଇ ନିକଟରେ ଆମେରିକା ଯୁଦ୍ଧବିମାନ

ବେଜିଂ : ଚୀନର ଭୂଖଣ୍ଡ ଆଡକୁ ମାଡିଆସିଛି ଆମେରିକାର ଯୁଦ୍ଧବିମାନ। ଏପରିକି ଚୀନର ମୂଳ ଭୂଖଣ୍ଡ ସାଙ୍ଘାଇ ନିକଟରେ ଆମେରିକାର ଯୁଦ୍ଧବିମାନ ଉଡାଣ କରିଛି। ଚୀନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ପି-୮ଏ (ପୋସିଡୋନ) ଯୁଦ୍ଧଜାହାଜ ବିଧ୍ୱଂସୀ ଯୁଦ୍ଧବିମାନ ସାଙ୍ଘାଇ ଉପକୂଳ ଠାରୁ ମାତ୍ର ୧୦୦ ଦୂରରେ ଉଡାଣ କରିଛି। ଏହି ଯୁଦ୍ଧବିମାନ ତାଇୱାନ ପ୍ରଣାଳୀ ମଧ୍ୟକୁ ପ୍ରବେଶ କରିଥିଲା। ହଂକଂସ୍ଥିତ ସାଉଥ ଚୀନ ମର୍ଣ୍ଣିଂ ପୋଷ୍ଟରେ ସୋମବାର ପ୍ରକାଶିତ ରିପୋର୍ଟରେ ଆମେରିକାର ଯୁଦ୍ଧବିମାନ ଚୀନ ଭୂଖଣ୍ଡ ନିକଟକୁ ଆସିଥିବା କୁହାଯାଇଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଅଗ୍ରାହ୍ୟ କରି ନଥିବାବେଳେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛି। ମାତ୍ର ଆମେରିକାର ଏପରି ପଦକ୍ଷେପ ଚୀନକୁ ବିଚଳିତ କରିଛି। ନିକଟରେ ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦକ୍ଷିଣ ଗୁଆଙ୍ଗଡଙ୍ଗ ପ୍ରଦେଶ ନିକଟରେ ସମରାଭ୍ୟାସ କରିଥିଲା। କରୋନା ମହାମାରୀକୁ ନେଇ ଆମେରିକା ଓ ଚୀନ ସମ୍ପର୍କରେ ତିକ୍ତତା ଦେଖାଯାଇଛି। ତିକ୍ତତାକୁ ନେଇ ଉଭୟ ପରସ୍ପରକୁ ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ କହିଛନ୍ତି।