ଅଣୁ ଅସ୍ତ୍ର ପ୍ରୟୋଗ କଲେ ପରିଣାମ ଭୋଗିବ

ପୁଟିନଙ୍କୁ ଆମେରିକାର ଚେତାବନୀ

ୱାଶିଂଟନ : ୟୁକ୍ରେନ ଉପରେ ଅଣୁଅସ୍ତ୍ର ପ୍ରୟୋଗ ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଧମକ ପରେ ସାରା ବିଶ୍ବ ବିଚଳିତ ହୋଇପଡିଛି। ଏପରିସ୍ଥିତିରେ ପୁଟିନଙ୍କୁ ଅଣୁଅସ୍ତ୍ର ପ୍ରୟୋଗ ଯୋଜନାରୁ ଦୂରେଇ ରଖିବାକୁ ବିଭିନ୍ନ ରାଷ୍ଟ୍ର ଉଦ୍ୟମ କରିଛନ୍ତି। ଏହି କ୍ରମରେ ଆମେରିକା ପୁଟିନଙ୍କ ଯୋଜନାକୁ ନେଇ ପାଲଟା ଧମକ ଦେଇଛନ୍ତି। ରବିବାର ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଭାନ କହିଛନ୍ତି ଯେ ରୁଷ୍ ଯଦି ୟୁକ୍ରେନ ଉପରେ ଅଣୁଅସ୍ତ୍ର ପ୍ରୟୋଗ କରିବ ତେବେ ଏହାକୁ ଚରମ ପରିଣାମ ଭୋଗ କରିବାକୁ ହେବ। ସୁଲିଭାନ କହିଛନ୍ତି ଯେ ୟୁକ୍ରେନ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଆମେରିକା ଗତ କିଛି ଦିନ ହେଲ ରୁଷ ସହିତ ଯୋଗାଯୋଗ କରିଥିବାବେଳେ ଏହା ଅଣୁଅସ୍ତ୍ରର ଧମକ ଦେଇ ଚାଲିଛି। ମାତ୍ର ରୁଷ୍‌ର ଏପରି ଧମକ ଗ୍ରହଣୀୟ ନୁହେଁ। ରୁଷ୍ ଅଣୁ ଆକ୍ରମଣ କଲେ ଏହାକୁ ମଧ୍ୟ ପରିଣାମ ଭୋଗ କରିବାକୁ ପଡିବ। ଅନ୍ୟପଟେ ୟୁକ୍ରେନ ବିରୋଧରେ ରୁଷ୍ ଏହାର ସେନା ଅଭିଯାନକୁ ଜୋରଦାର କରିଛି। ଯୁଦ୍ଧରେ ସାମିଲ ଲାଗି ସାଧାରଣ ଜନତାଙ୍କୁ ସେନାର ବଳପୂର୍ବକ ସାମିଲ କରାଯାଉଛି। ମାତ୍ର ଯୁଦ୍ଧ ଚାହଁୁ ନଥିବା ରୁଷ୍୍‌ବାସୀ ଏବେ ଭୟରେ ଦେଶ ଛାଡିପଳାଉଛନ୍ତି। ବିମାନ ବନ୍ଦରରେ କଟକଣା ଲାଗୁ କରାଯିବା ପରେ ରୁଷ୍‌ବାସୀ ସ୍ଥଳ ପଥ ଦେଇ ପଡ଼ୋଶୀ​‌ ଦେଶକୁ ଯିବାକୁ ବ୍ୟଗ୍ର ହୋଇପଡିଛନ୍ତି। ଏଥିପାଇଁ ସୀମାରେ ଭିଡ ଦେଖିବାକୁ ମିଳିଛି।

Comments are closed.