ଭାରତ ଓ ଅନ୍ୟ ଏସୀୟ ରାଷ୍ଟ୍ରଙ୍କୁ ୧୬ ନିୟୁତ ଟିକା ଦେବା ଆମେରିକା

ୱାଶିଂଟନ: ଆମେରିକା ପ୍ରଶାସନ ଭାରତ ଏବଂ ଅନ୍ୟ ଏସୀୟ ରାଷ୍ଟ୍ରଗୁଡିକୁ ୧୬ ନିୟୁତ କୋଭିଡ ଟିକା ଯୋଗାଇଦେବେ। ହ୍ୱାଇଟ ହାଉସ ପକ୍ଷରୁ ସୋମବାର ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏକ ସରକାରୀ ବିବୃତିରେ ହ୍ୱାଇଟ ହାଉସ ମୁଖପାତ୍ର କହିଛନ୍ତି, ଜୁନ୍‍ ଶେଷସୁଦ୍ଧା ଆମେରିକା ସାରା ବିଶ୍ୱକୁ ୮୦ ନିୟୁତ କୋଭିଡ ଟିକା ଯୋଗାଇବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ତାହାର ଅଂଶ ଭାବରେ ୫୫ ନିୟୁତ କୋଭିଡ ଟିକା ଯୋଗାଣ ଆରମ୍ଭ ହେବ। ସେଥିମଧ୍ୟରୁ କୋଭାକ୍ସ ଜରିଆରେ ପ୍ରାୟ ୪୧ ନିୟୁତ ଟିକା ଯୋଗାଇ ଦିଆଯିବ। ସେଥିମଧ୍ୟରୁ ପ୍ରାୟ ୧୪ ନିୟୁତ ଲାଟିନ ଆମେରିକା ଏବଂ କାରିବିଆନ୍‍ ରାଷ୍ଟ୍ରଗୁଡିକୁ ଯୋଗାଇ ଦିଆଯିବା ବେଳେ ୧୬ ନିୟୁତ ଏସୀୟ ରାଷ୍ଟ୍ରଗୁଡିକୁ ମିଳିବ। ଏଥିସହିତ ଆଫ୍ରିକୀ ରାଷ୍ଟ୍ରଗୁଡିକୁ ପ୍ରାୟ ୧୦ ନିୟୁତ ଟିକା ଉପଲବ୍ଧ କରାଯିବ। ଏସିଆରେ ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଅନ୍ୟ ରାଷ୍ଟ୍ରଗୁଡିକ ଏହାଦ୍ୱାରା ଉପକୃତ ହେବେ। ଆଉ ପ୍ରାୟ ୧୪ ନିୟୁତ ଟିକା ଆଞ୍ଚଳିକ ଅଗ୍ରାଧିକାର ଏବଂ ଅନ୍ୟ ଗ୍ରହୀତା ଭିତ୍ତିରେ ଯୋଗାଇ ଦିଆଯିବ। ସେଥିଧ୍ୟରେ ଆଫଗାନିସ୍ତାନ, ଇରାକ, ୱେଷ୍ଟବ୍ୟାଙ୍କ ଏବଂ ଗାଜା ପ୍ରଭୃତି ଅଞ୍ଚଳ ଅନ୍ତର୍ଭୁକ୍ତ।

Comments are closed.