‘ହୁ’କୁ ଆମେରିକା ପାଣ୍ଠି ବନ୍ଦ

ୱାଶିଂଟନ୍‌: କରୋନା ଭୂତାଣୁ ସଂକ୍ରମଣକୁ ଲୁଚାଇବା ଓ ଏହି ପ୍ରସଙ୍ଗରେ ଚୀନ୍‌କୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ସଂଗଠନ (ହୁ)କୁ ଆମେରିକା ଯୋଗାଉଥିବା ପାଣ୍ଠିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଛନ୍ତି। ଏଥିସହିତ ସାମ୍ପ୍ରତିକ ପରିସ୍ଥିତି ପାଇଁ ସେ ‘ହୁ’କୁ ଉତ୍ତରଦାୟୀ କରିଛନ୍ତି ଏବଂ ଅଭିଯୋଗ ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ‘ହୁ’ର ପରିଚାଳନା ବାବଦରେ ସିଂହଭାଗ ବହନ କରିବା ସହ ଏହାକୁ ବାର୍ଷିକ ୪୦୦ରୁ ୫୦୦ନିୟୁତ ଡଲାର ଯୋଗାଇଥାଏ। ଅପରପକ୍ଷରେ ଚୀନ୍‌ ଏହି ଆନ୍ତର୍ଜାତିକ ସଂଗଠନକୁ ୪୦ନିୟୁତ ଡଲାର ବା ଏହାଠାରୁ କମ୍‌ ସହାୟତା ଦେଇଥାଏ। କରୋନା ମହାମାରୀ ମାମଲାର ପରିଚାଳନାରେ ଗୁରୁତର ତ୍ରୁଟି ଓ ଏହାକୁ ଚପାଇଦେବା ଉଦ୍ୟମ କରିଥିବା ଅଭିଯୋଗରେ ଟ୍ରମ୍ପ ଗତ କିଛି ଦିନ ଧରି ‘ହୁ’ ବିରୋଧରେ ବିଷୋଦ୍‌ଗାର କରିଆସୁଥିଲେ। ଚୀନ୍‌ରୁ ଅନ୍ୟ ରାଷ୍ଟ୍ରକୁ ଯାତ୍ରା କଟକଣାକୁ ବିରୋଧ କରି ‘ହୁ’ ମସ୍ତବଡ଼ ଭୁଲ୍‌ କରିଥିଲା ଓ ଏହା ହିଁ ତମାମ ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣ ପାଇଁ ରାସ୍ତା ଫିଟାଇଥିଲା। ସେହିଭଳି ମଣିଷରୁ ମଣିଷକୁ ଏହି ଭୂତାଣୁ ସଂକ୍ରମିତ ହୁଏ ନାହିଁ ବୋଲି କହି ଚୀନ୍‌ କଥାରେ ପଡ଼ି ‘ହୁ’ ଜାନୁଆରୀରେ ଯେଉଁ ପ୍ରଚାର କରିଥିଲା ତାହା ଅତ୍ୟନ୍ତ ଭୟଙ୍କର ସ୍ଥିତିକୁ ଡାକିଆଣିଥିବା ଟ୍ରମ୍ପ କହିଥିଲେ। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ‘ହୁ’କୁ ପାଣ୍ଠିଯୋଗାଣ ବନ୍ଦ ସମ୍ପର୍କରେ ସେ ଧମକ ଦେଇଥିଲେ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ସମାଲୋଚନା ସହ ଗଭୀର ଚିନ୍ତା ବ୍ୟକ୍ତ କରିଛି ଚୀନ୍‌। ଏଥିସହିତ ‘ହୁ’କୁ ଏହାର ଅନୁଦାନ ବୃଦ୍ଧି କରିବା ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ମାମଲାରେ ‘ହୁ’ ଯେଉଁ ଭୂମିକା ନିଭାଇଛି ତାହା ଅତ୍ୟନ୍ତ ପରିତାପର ବିଷୟ। ସଂଗଠନର ପରିଚାଳନା ପାଇଁ ଆମେରିକା ସର୍ବାଧିକ ବ୍ୟୟଭାର ବହନ କରୁଥିବାରୁ ସଂଗଠନକୁ ଉତ୍ତରଦାୟୀ କରିବାର ଅଧିକାର ରଖିଛି। ପାଣ୍ଠିଯୋଗାଣ ବନ୍ଦ ନିଷ୍ପତ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ କଠିତ ହୋଇଥିଲେ ମଧ୍ୟ ଏହି ଆନ୍ତର୍ଜାତିକ ସଂଗଠନରେ କ’ଣ ଚାଲିଛି ତାହା ବିଶ୍ବର ସମସ୍ତ ରାଷ୍ଟ୍ର ଜାଣିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି। ‘ହୁ’ ବାସ୍ତବ ତଥ୍ୟ ଅନୁଧ୍ୟାନ ନ କରି ଚୀନ୍‌ ସରକାରଙ୍କ କଥାରେ ଭାସିଲା। ଚୀନ୍‌କୁ ‘ହୁ’ ନିଜର ବି​‌େ​‌ଶଷଜ୍ଞ ଦଳ ପଠାଇଥିଲେ ମଧ୍ୟ ଚୀନ୍‌ ସରକାରଙ୍କ ମିଛ ରିପୋର୍ଟ ଉପରେ ଏହି ଦଳ ଭରସା କରିଥିଲା ଓ ଶୁଆ ଭଳି ଚୀନ୍‌ ସରକାରଙ୍କ ଅସ୍ବଚ୍ଛ ରିପୋର୍ଟକୁ ଦୋହରାଇଥିଲା। ଚୀନ୍‌ ସରକାର ବାସ୍ତବତାକୁ ଲୁଚାଇଚାଲିଥିବାବେଳେ ‘ହୁ’ ଏଥିରେ ମୋହର ମାରିଚାଲିଥିଲା। କରୋନାରେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଥିବାରୁ ‘ହୁ’ ଏଥିପାଇଁ ଦାୟୀ ହେବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ଏତଦ୍‌ବ୍ୟତୀତ ‘ହୁ’କୁ ପାଣ୍ଠିଯୋଗାଣ ବନ୍ଦ କରିଥିଲେ ମଧ୍ୟ ଏହି ସଂସ୍ଥାଠାରୁ ଆମେରିକା ସମ୍ପର୍କ ବିଛିନ୍ନ କରିବ ନାହିଁ; ବରଂ ଏହାର ପରିଚାଳନାରେ ସଂସ୍କାର ଆଣିବା ପାଇଁ ଆମେରିକା କାର୍ୟ୍ୟ କରିବ ବୋଲି ଟ୍ରମ୍ପ କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ମିଶି ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ କାର୍ୟ୍ୟ କରିବ ବୋଲି ସେ କହିଛନ୍ତି।

Comments are closed.