ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା

ୱାଶିଂଟନ: ସଂସଦର ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା। ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ବିଲ୍‌ ଯେକୌଣସି ରାଷ୍ଟ୍ରର ଗଣତାନ୍ତ୍ରିକ ମୂଲ୍ୟବୋଧଗୁଡ଼ିକର ମୂଳ ସିଦ୍ଧାନ୍ତକୁ ଦୁର୍ବଳ କରିଦେଇପାରେ। ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ(ୟୁଏସସିଆଇଆରଏଫ) ପକ୍ଷରୁ କୁହାଯାଇଛି ଯେ, ନାଗରିକତା ସଂଶୋଧନ ବିଲ୍‌ ‘ଭୁଲ ଦିଗରେ ଆଗକୁ ବଢୁଥିବା ଏକ ଭୟଙ୍କର ପଦକ୍ଷେପ’। ଯଦି ଏହା ଭାରତୀୟ ସଂସଦରେ ପାରିତ ହେଉଛି, ତେବେ ଭାରତୀୟ ନେତୃତ୍ଵଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଯିବା ଦରକାର। ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭାରେ ପାରିତ ହେବା ପରେ ୟୁଏସସିଆଇଆରଏଫ ବହୁମାତ୍ରାରେ ଚିନ୍ତିତ ଥିବା ସୋମବାର ଏକ ବିବୃତିରେ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ହୋଇଛି। ବିଲ୍‌ରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଧାର୍ମିକ ନିର୍ଯାତନା ଯୋଗୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବାର ବ୍ୟବସ୍ଥା ରହିଛି। ଏହା ଉପରେ ୟୁଏସସିଆଇଆରଏଫ କହିଛି ଯେ, ଯଦି ବିଲ୍‌ ଦୁଇଟି ଯାକ ସଦନରେ ପାରିତ ହୋଇଯାଏ, ତେବେ ଆମେରିକା ସରକାରଙ୍କୁ ଭାରତୀୟ ନେତୃତ୍ଵଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରିବା ଉଚିତ।

Comments are closed.