ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଦୁଇଦିନିଆ ଭାରତ ଗସ୍ତ

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଙ୍ଗଳବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । ମଙ୍ଗଳବାର ଦିନ ଅପରାହ୍ଣରେ ବ୍ଲିଙ୍କେନ ଏଠାରେ ପହଞ୍ଚିବା ପରେ ବୁଧବାର ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିଜ ଭୋଡାଲଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏଥିସହିତ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାପରେ କୁଏତ ଅଭିମୁଖେ ଯାତ୍ରା କରିବେ ।

ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ଲିଙ୍କେନଙ୍କର ଏହି ଗସ୍ତ ଭାରତ-ଆମେରିକା ବିଶ୍ୱସ୍ତରୀୟ କୌଶଳାତ୍ମକ ସହଭାଗିତା ଉପରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନାକୁ ଆଗେଇ ନେବାରେ ସହାୟକ ହେବା ସହିତ ଏହାକୁ ସୁଦୃଢ କରିବାରେ ସହାୟକ ହେବ । ଦୁଇ ପକ୍ଷ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ତାହାକୁ ପୁନଃ ମଜଭୁତ କରିବାର ଗୁରୁତ୍ୱ ଆଦି ବହୁବିଧ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ ବୋଲି ଜଣାଯାଇଛି । ବିଶେଷକରି ବ୍ଲିଙ୍କେନଙ୍କର ଏହି ଗସ୍ତ କାଳରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ, କୋଭିଡ ମହାମାରୀ ସ୍ଥିତିରୁ ସୁଧୁରିବା, ଭାରତ-ପ୍ରଶାନ୍ତ ମହାସାଗରୀ ଅଞ୍ଚଳର ପରିସ୍ଥିତି, ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଏବଂ ଜାତିସଂଘରେ ସହଯୋଗ ଆଦି ବିଷୟ ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

Comments are closed.