ଯୁଦ୍ଧ ମୁଦ୍ରାରେ ଆମେରିକା ଓ ଇରାନ

ୱାଶିଂଟନ/ତେହରାନ : ଆମେରିକା ଓ ଇରାନ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆରେମିକାର ଏକ ଶକ୍ତିଶାଳୀ ଗୁପ୍ତଚର ଡ୍ରୋନକୁ ମାରି ଇରାନ ଧ୍ୱଂସ କରିଦେଇଛି। ଆମେରିକା ସ୍ୱୀକାର କରିଛି ଯେ ତାର ୧୮ କୋଟି ଡଲାରର ଏକ ଶକ୍ତିଶାଳୀ ଗୁପ୍ତଚର ଡ୍ରୋନକୁ ଇରାନ ମାରି ଖସାଇ ଦେଇଛି। ଏହାସହ ଇରାନ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛି।
ପ୍ରକାଶଯୋଗ୍ୟ ଯେ ମଧ୍ୟପ୍ରାଚ୍ୟ ବା ଗଲ୍ଫ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାରୁ ପରମାଣୁ ଯୁଦ୍ଧ ହୋଇପାରେ ବୋଲି ଏକ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯିବା ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଡେଲି ମେଲ ରିପୋର୍ଟ ଅନୁସାରେ ଆମେରିକା ସେନା ଦାବି କରିଛି ଯେ ତାର ଡ୍ରୋନ ଇରାନର ବାୟୁ ସୀମା ମଧ୍ୟରେ ନଥିଲା। ଏହାପରେ ବି ଇରାନ ଆମେରିକାର ଡ୍ରୋନକୁ ମାରି ଖସାଇ ଦେଇଛି। ଇରାନର କମାଣ୍ଡର ହୁସେନ ସଲାମି ଗୁରୁବାର କହିଛନ୍ତି ଯେ ଇରାନ ବାୟୁ ସୀମା ମଧ୍ୟରେ ପ୍ରବେଶ କରିଥିବା ଆମେରିକାର ଆରକ୍ୟୁ-୪ ଗ୍ଲୋବାଲ ହକ ଡ୍ରୋନକୁ ମାରି ଖସାଇ ଦିଆଯାଇଛି। ତାଙ୍କ ଯବାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି । ଆମେରିକାର ପ୍ରତି କାର୍ଯ୍ୟାନୁଷ୍ଠାନର ଦୃଢ ଜବାବ ଦିଆଯିବ। ଅପରପକ୍ଷରେ ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ନୌସେନାର ଏମକ୍ୟୁ-୪ ଟ୍ରିଟନ ଡ୍ରୋନକୁ ଇରାନ ମାରି ଖସାଇ ଦେଇଛି। ଅନ୍ତର୍ଜାତୀୟ ବାୟୁ ସୀମା ମଧ୍ୟରେ ଥିବା ସତ୍ତ୍ବେ ଆମେରିକାର ଡ୍ରୋନକୁ କ୍ଷପେଣାସ୍ତ୍ର ମାଡ଼ କରାଯାଇଛି।

ଆମେରିକା ୟୁ-୨ ଗୁପ୍ତଚର ବିମାନ ସ୍ଥାନରେ ଏମକ୍ୟୁ-୪ ଟ୍ରିଟନ ଡ୍ରୋନର ବ୍ୟବହାର କରୁଛି। ଏହି ଡ୍ରୋନ ୫୬,୦୦୦ ଫୁଟ ଉଚ୍ଚରେ ଉଡ଼ିପାରିବ। ଏହି ଶକ୍ତିଶାଳୀ ଡ୍ରୋନ ୫୦ ଫୁଟ୍‍ ଲମ୍ବା ବିଶିଷ୍ଟ ହୋଇଥିବା ବେଳେ ଏହାର ପଙ୍ଗା ୧୩୦ ଫୁଟ୍‍ ଲମ୍ବା ଅଟେ। ଏହା ଘଣ୍ଟା ପ୍ରତି ୩୬୮ କିଲୋମିଟର ବେଗରେ ଉଡ଼ିପାରିବ। ଏହି ଡ୍ରୋନକୁ କେବଳ ଶକ୍ତିଶାଳୀ ରେଡାରରେ ଟ୍ରାକ କରିହେବ ଓ ଗାଇଡେଡ କ୍ଷେପଣାସ୍ତ୍ର ମାଧ୍ୟମରେ ମାରି ଖସାଇ ହେବ। ଇରାନ ରୁଷଠାରୁ ଆଣିଥିବା ଏସ୍‍-୩୦୦ କ୍ଷେପଣାସ୍ତ୍ର ପ୍ରୟୋଗ କରି ଆମେରିକାର ଏମକୁୃ-୪ ଟ୍ରିଟନ ଡ୍ରୋନକୁ ମାରି ଖସାଇଥିବା ଅନୁମାନ କରାଯାଉଛି। କୁହାଯାଉଛି ଯେ ପ୍ରଥମ ଥର ଆମେରିକାର ଟ୍ରିଟନ ଡ୍ରୋନକୁ ମାରି କୌଣସି ଦେଶ ଖସାଇ ଦେଇଛି। ଏହା ଆମେରିକା ପାଇଁ ଏକ ଝଟକା ସଦୃଶ ହୋଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

Comments are closed.