ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ‘ମୋଦୀ’ କାର୍ଡ଼; ଭାରତୀୟ ଭୋଟରଙ୍କ ପାଇଁ ଜାରି କଲେ ଭିଡ଼ିଓ

ନ୍ୟୁୟର୍କ: ଆମେରିକାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଏହି ନିର୍ବାଚନ ହେବ । ଏଥିନିମନ୍ତେ ଦୁଇ ବଡ଼ ରାଜନୈତିକ ଦଳ ଡ଼େମୋକ୍ରାଟିକ ଓ ରିପବ୍ଲିକାନ ନିଜନିଜ ଭୋଟରଙ୍କୁ ପ୍ରଲୋଭିତ କରିବାରେ ଲାଗି ପଡ଼ିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟଙ୍କ ଭୂମିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ନିର୍ଣାୟକ ରହିଥିବାରୁ ଭାରତୀୟ ଭୋଟରମାନଙ୍କୁ ପ୍ରଲୋଭିତ କରିବାକୁ ଉଭୟ ଦଳ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ସ୍ଥିତିରେ ଭାରତୀୟ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଡ଼ୋନାଲ୍ଡ଼ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ନେଇଛନ୍ତି । ଏଥିପାଇଁ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି ।

ରବିବାର ଟ୍ରମ୍ପଙ୍କ ଶିବିର ପକ୍ଷରୁ ଜାରି ହୋଇଥିବା ଏହି ଭିଡ଼ିଓରେ ମୋଦୀ-ଟ୍ରମ୍ପଙ୍କ ବନ୍ଧୁତ୍ବକୁ ଦର୍ଶାଯାଇଛି । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଟ୍ରମ୍ପ ଭାରତ ଆସିଥିବାବେଳେ ଅହମ୍ମଦାବାଦ ଷ୍ଟାଡ଼ିଅମରେ ଏକ ବଡ଼ ସମାବେଶ ଆୟୋଜନ ହୋଇଥିଲା। ଏଥିରେ ଦୁଇ ଦେଶର ନେତା ଭାଷଣ ଦେଇଥିଲେ । ଟ୍ରମ୍ପ ଭିକ୍ଟ୍ରି ଫାଇନାନ୍ସ କମିଟି ୨୦୨୦ର ଅଧ୍ୟକ୍ଷ କେ.ଗୁଇଲଫଏଲ ଏହି ଭିଡ଼ିଓକୁ ଟ୍ବିଟ କରି ରିପବ୍ଲିକାନ ପାର୍ଟି (ଟ୍ରମ୍ପଙ୍କ ଦଳ) ଭାରତୀୟ ଆମେରିକୀୟମାନଙ୍କର ସମର୍ଥନ ହାସଲ କରିଛି ବୋଲି ଉଲ୍ଲେଖ କରିଛନ୍ତି । ଏହି ଟ୍ରମ୍ପ ଭିକ୍ଟ୍ରି ଫାଇନାନ୍ସ କମିଟିକୁ ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ପୁଅ ଚଳାଉଛନ୍ତି । ଭାରତୀୟ ବଂଶୋଦ୍ଭବ ଓ ଭାରତୀୟ-ଆମେରିକୀୟ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ସେ ଜୋରସୋର ଉଦ୍ୟମ କରୁଛନ୍ତି ।

ପ୍ରଦର୍ଶିତ ଭିଡ଼ିଓରେ ମୋଦୀ ଓ ଟ୍ରମ୍ପ ହାତକୁ ହାତ ମିଶାଇ ଆଗକୁ ଚାଲୁଥିବା ଦେଖାଯାଉଛି । ଏଥିରେ ଗୋଟିଏ ସ୍ଥାନରେ ମୋଦୀ କହୁଛନ୍ତି- ମିଷ୍ଟର ପ୍ରେସିଡ଼େଣ୍ଟ ଆପଣ ମୋତେ ୨୦୧୭ରେ ଆପଣଙ୍କ ପରିବାର ସହ ପରିଚିତ କରାଇଥିଲେ, ଆଜି ଆପଣଙ୍କୁ ମୋ ପରିବାର ସହ ଆପଣଙ୍କୁ ପରିଚିତ କରାଇବାର ମୋତେ ସୁଯୋଗ ମିଳିଛି ।

ସୂଚନାଯୋଗ୍ୟ ଯେ ୨୦୧୭ରେ ହାଓଡ଼ି ମୋଦୀ କାର୍ଯ୍ୟକ୍ରମ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହୋଇଥିଲା ଓ ଏହାପରେ ୨୦୨୦ରେ ଭାରତରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁଇ କାର୍ଯ୍ୟକ୍ରମରେ ଉଭୟ ନେତା ଏକାଠି ହୋଇଥିଲେ । ଏହି ଭିଡ଼ିଓ କ୍ଲିପରେ ଟ୍ରମ୍ପ ଆମେରିକା ଭାରତକୁ ବେଶ ଭଲପାଏ, ଭାରତକୁ ସମ୍ମାନ କରେ ଓ ଆମେରିକା ସର୍ବଦା ଭାରତୀୟ ଲୋକଙ୍କର ବିଶ୍ବସ୍ତ ବନ୍ଧୁ ହୋଇ ରହିବ ବୋଲି କହୁଥିବା ଦେଖାଯାଇଛି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ବେଶ୍ ପ୍ରଶଂସା ମିଳିଛି ।

Comments are closed.