ହେଲି ବନାମ ହ୍ୟାରିସ: ଆମେରିକା ରାଷ୍ଟ୍ରପତି ଲଢ଼େଇରେ ଦୁଇ ‘ଭାରତ ଝିଅ’

ଆମେରିକା ରାଷ୍ଟ୍ରପତି ପଦ ନିମନ୍ତେ ନଭେମ୍ବର ମାସରେ ହେବାକୁଥିବା ନିର୍ବାଚନରେ ଭାରତର ଭୂମିକା ଗୁରୁତ୍ବପୂର୍ଣ । ଆମେରିକାରେ ବସବାସ କରୁଥିବା ଭାରତୀୟ-ଆମେରିକୀୟ, ଭାରତୀୟ ବଂଶୋଦ୍ଭବ ହିଁ ନିର୍ଣ୍ଣାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଡ଼େମୋକ୍ରାଟିକ ଦଳର  ରାଷ୍ଟ୍ରପତି ପଦ ପ୍ରାର୍ଥୀ  ଜୋ ବାଇଡ଼େନ୍ ଉପରାଷ୍ଟ୍ରପତି ପଦ ନିମନ୍ତେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସଙ୍କୁ ମନୋନୀତ କରିଛନ୍ତି । ଅନ୍ୟପକ୍ଷରେ ରିପବ୍ଲିକାନ ଦଳର ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଉପରାଷ୍ଟ୍ରପତି ପଦ ନିମନ୍ତେ ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ନିକି ହେଲି ଓରଫ୍ ନିକି ରନ୍ଧୱାଙ୍କୁ ତାଙ୍କ ଦଳର ଉପରାଷ୍ଟ୍ରପତି ପଦ ପ୍ରାର୍ଥୀ ଭାବରେ ମନୋତୀତ କରିପାରନ୍ତି ବୋଲି ଚର୍ଚା ଦାନା ବାନ୍ଧିଛି । ଗତକାଲି (ସୋମବାର) ରାତିରେ ନିକି ରନ୍ଧୱା ଓରଫ୍ ନିକି ହେଲି ଯେପରି ରାଷ୍ଟ୍ରପତି ଟ୍ରମ୍ପଙ୍କ ସପକ୍ଷରେ ଓ ବିରୋଧୀ ଜୋ ବାଇଡ଼େନଙ୍କ ବିପକ୍ଷରେ ପ୍ରାୟ ୧୦ ମିନିଟ୍ ଧରି ଭାଷଣ ଦେଇଛନ୍ତି ତାହା ଏପରି ଚର୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ନାଗରିକ ନିକି ହେଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଉପରାଷ୍ଟ୍ରପତି ଦାବିଦାର ଦୌଡ଼ରେ ଏବେ ସବୁଠୁ ଆଗରେ ଅଛନ୍ତି । ଯଦିଓ ସେ ପୂର୍ବରୁ କୌଣସି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି। ଏହା ସତ୍ବେ ତାଙ୍କୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବେଶ୍ ଗୁରୁତ୍ବ ଦିଆଯାଉଛି । ଦଳ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ନିମନ୍ତେ ମନୋନୀତି କରିବାର ସମ୍ଭାବନା ରହିଛି  । ତେବେ ସବୁଠାରୁ ବଡ଼ କାରଣ ହେଉଛି ଡ଼େମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପଦ ନିମନ୍ତେ କମଳା ହ୍ୟାରିସଙ୍କ ମନୋନୟନ । କମଳାଙ୍କୁ ମୁକାବିଲା କରିବା ଓ ଭାରତୀୟ ଭୋଟରଙ୍କ ସମର୍ଥନ ନିମନ୍ତେ ନିକିଙ୍କ ପ୍ରାର୍ଥିତ୍ବ ଉପରେ ଜୋର ଦିଆଯାଉଛି ।

ଆମେରିକାରେ ପ୍ରାୟ ୪୦.୫ ଲକ୍ଷ ଭାରତୀୟ ବଂଶୋଦ୍ଭବ ଲୋକ ରହୁଛନ୍ତି । ସଂଖ୍ୟା କମ୍ ହେବା ସତ୍ବେ ମାର୍କିନ ରାଜନୀତିରେ ଭାରତୀୟଙ୍କ ପ୍ରଭାବ ବଢ଼ିବାରେ ଲାଗିଛି । ଜୋ ବାଇଡ଼େନଙ୍କ ନିର୍ବାଚନ ଶିବିର ପରିଚାଳନା କରୁଥିବା ଜଣେ ଭାରତୀୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକାରେ ୧୩.୧ ଲକ୍ଷ ଭାରତୀୟ ଭୋଟର ଆମେରିକାର ୮ଟି ନିର୍ବାଚନମଣ୍ଡଳୀର ଫଳାଫଳକୁ ପ୍ରଭାବିତ କରିବାକୁ ସକ୍ଷମ ।  ଅନ୍ୟପକ୍ଷରେ ଟ୍ରମ୍ପ ଭିକ୍ଟ୍ରି ଆମେରିକାନ ଫାଇନେନ୍ସ କମିଟି ଭାରତୀୟ-ଆମେରିକୀୟ ଭୋଟରଙ୍କ ମଧ୍ୟରୁ ଅଧାରୁ ଅଧିକ ଭୋଟ ସେମାନଙ୍କ ସପକ୍ଷରେ ଆସିବ ବୋଲି ଆକଳନ କରିଛି ।

ଏହି ସ୍ଥିତିରେ ଦୁଇ ଦଳ ରିପବ୍ଲିକାନ ଓ ଡ଼େମୋକ୍ରାଟିକ ଭାରତୀୟ-ଆମେରିକୀୟ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ପୁରା ଦମ୍ ଲଗାଇ ଦେଇଛନ୍ତି । କମଳା ହ୍ୟାରିସଙ୍କୁ ଡ଼େମୋକ୍ରାଟିକ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା  ଓ ନିକି ହେଲିଙ୍କୁ ରିପବ୍ଲିକାନ ଦଳ ଗୁରୁତ୍ବ ଦେବା ମଧ୍ୟ ପଛରେ ଏହା ହିଁ ମୁଖ୍ୟ କାରଣ । ପୂର୍ବରୁ ରିପବ୍ଲିକାନ ଦଳ ମାଇକ୍ ପେନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଆପାତତଃ ଚୂଡ଼ାନ୍ତ ହୋଇଥିଲା, ମାତ୍ର ଯେତେବେଳେ ଭାରତୀୟ ଭୋଟରଙ୍କ ପ୍ରଶ୍ନ ଉଠିଲା ସେତେବେଳେ ପେନ୍ସଙ୍କ ସ୍ଥାନରେ ଏବେ ନିକି ହେଲିଙ୍କ ନାଁ ଚର୍ଚାକୁ ଆସିଛି । ରାଷ୍ଟ୍ରୀୟ କନଫରେନ୍ସରେ ନିକି ହେଲିଙ୍କୁ ଭାଷଣ ଦେବା ପାଇଣ ରିପବ୍ଲିକାନ ଦଳ ସୁଯୋଗ ଦେବା ପରେ ତାଙ୍କର ଉପରାଷ୍ଟ୍ରପତି ପଦ ପ୍ରାର୍ଥିତ୍ବକୁ ନେଇ ଚର୍ଚା ଆରମ୍ଭ ହୋଇଛି ।

ନିକି ହେଲି ଓରଫ୍ ନିକ ରନ୍ଧୱା

୪୮ ବର୍ଷ ବୟସ୍କ ନିକି ହେଲି ଆମେରିକା ରାଜନୀତିରେ ଜଣେ ଚର୍ଚିତ ଚେହେରା । ତାଙ୍କୁ ଟ୍ରମ୍ପ ପ୍ରଶାସନ ନିଜ କ୍ୟାବିନେଟରେ ସାମିଲ କରିଥିଲା ଓ ଏହି ପଦରେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା । ତାଙ୍କ ବାପାଙ୍କ ନାଁ ଅଜିତ୍ ସିଂହ ରନ୍ଧୱା ଓ ମା’ଙ୍କ ନାଁ ରାଜ କୌର ରନ୍ଧୱା ।  ଅଜିତ୍ ପଞ୍ଜାବର ବାସିନ୍ଦା, ମାତ୍ର ପରେ ସେ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇଛନ୍ତି । ୧୯୭୨ ମସିହାରେ ଦକ୍ଷିଣ କୈରୋଲାଇନାର ବୈମ୍ବର୍ଗରେ ସେ ଜନ୍ମଗ୍ରହଣ କରିଥିଲେ । ନିକି ୧୯୯୬ରେ ମାଇକେଲ ହେଲିଙ୍କୁ ବିବାହ କରିଥିଲେ ଓ ସେନାବାହିନୀରେ କାର୍ଯ୍ୟ କରିଥିଲେ । ଆକାଉଣ୍ଟିଂରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିବା ନିକି ପ୍ରଥମେ ନିଜ ପରିବାରର କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଓ ପରେ ନିଜ ମାଙ୍କ କମ୍ପାନୀ ଏକ୍ସାଟିକା ଇଣ୍ଟରନେସନାଲରେ ଦୀର୍ଘସମୟ ଧରି କାର୍ଯ୍ୟ କରିଛନ୍ତି । ସେ ନେସନାଲ ଆସୋସିଏସନ ଅଫ୍ ୱିମେନ ବିଜିନେସ ଓନର୍ସର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

୨୦୦୪ରେ ନିକି ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୦ରେ ସେ ଆମେରିକୀୟ ରାଜ୍ୟ ସାଉଥ କୈରୋଲାଇନରୁ ଆମେରିକାର ସଂସଦ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଗଭର୍ଣ୍ଣର ନିର୍ବାଚିତ ହେବାରେ ସେ ପ୍ରଥମ ମହିଳା ଥିଲେ ଓ ଆମେରିକାର ସବୁଠୁ କମ୍ ବର୍ଷରେ ଗଭର୍ଣ୍ଣର ହେବାର ରେକର୍ଡ଼ କରିଥିଲେ । ୨୦୧୪ରେ ସେ ପୁଣିଥରେ ସାଉଥ କୈରୋଲାଇନରୁ ଗଭର୍ଣ୍ଣର ହୋଇଥିଲେ ଓ ୨୦୧୭ ପର୍ଯ୍ୟନ୍ତ ଏହି ପଦରେ ଥିଲେ ।

୨୦୧୭ରେ ଯେତେବେଳେ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ବିରୋଧରେ ଷ୍ଟେଟ ଅଫ୍ ଦ ୟୁନିୟନ ଆଡ଼୍ରେସ ଉପରେ ପ୍ରତିକ୍ରିୟା ଦେବା ପାଇଁ ଦଳ ବାଛିଲା, ସେତେବେଳେ ରିପବ୍ଲିକାନ ପାର୍ଟିରେ ତାଙ୍କର ସ୍ଥାନ ମଜବୁତ ହେବା ଆରମ୍ଭ ହେଲା । ଟିକସ ହ୍ରାସ, ଗର୍ଭପାତ ଉପରେ ପ୍ରତିବନ୍ଧକ ପରି ପ୍ରସଙ୍ଗ ଉପରେ ସେ ବେଶ୍ ପ୍ରଭାବଶାଳୀ ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇଥିଲେ । ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କୁ ଟ୍ରମ୍ପ ପ୍ରଶାସନ ମିଳିତ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ଦେଇଥିଲେ।

କମଳା ଦେବୀ ହ୍ୟାରିସ

କମଳା ହ୍ୟାରିସ ୧୯୬୪ ମସିହାରେ କାର୍ଲିଫର୍ଣିଆରେ  ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାଙ୍କ ନାଁ ଥିଲା ଡ଼. ଶ୍ୟାମଳା ଗୋପାଳନ ଓ ସେ ଦକ୍ଷିଣ ଭାରତୀୟ ଥିଲେ। । ବାପା ଡ଼ୋନାଲ୍ଡ଼ ଜେ ହ୍ୟାରିସ ଜାମାଇକା ବାସିନ୍ଦା ଥିଲେ ଓ ଷ୍ଟାନଫୋର୍ଡ଼ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଥିଲେ । କମଳା  ହାୱାର୍ଡ଼ ବିଶ୍ବବିଦ୍ୟାଳୟ ଓ ହେଷ୍ଟିଙ୍ଗ କଲେଜ ଅଫ୍ ଲରେ ଶିକ୍ଷାଲାଭ କରିଛନ୍ତି ଓ ସାନଫ୍ରାନ୍ସସିସକୋରେ ଆଟର୍ଣି ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୦ ଓ ୨୦୧୪ରେ ସେ କାର୍ଲିଫର୍ଣିଆ ଆଟର୍ଣି ଜେନେରାଲ ଭାବରେ ନିର୍ବାଚିତ ହୋଇଛନ୍ତି । ୨୦୧୬ରେ ସେ ସିନେଟ୍ ନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ଦ୍ବିତୀୟ ଆଫ୍ରିକାନ-ଆମେରିକାନ ଏବଂ ପ୍ରଥମ ଦକ୍ଷିଣଏସୀୟ-ଆମେରିକାନ ଭାବରେ ସିନେଟରେ ପହଞ୍ଚିଥିଲେ । 

Comments are closed.